ରାହାଡପୁର କଳାପଥରଖାଦାନରେ ଚଢାଉ, କମ୍ପ୍ରେସର, ଗାଡି ଜବତ, ଦୁଇଜଣ ଅଟକ

ଗଡମଧୁପୁର : ଧର୍ମଶାଳା ତହସିଲ ଅଧିନ ରାହାଡପୁର କଳାପଥର ଖାଦାନ ଉପରେ ଆଜି ସକାଳୁ ତହସିଲ ପକ୍ଷରୁ ଚଢାଉ କରିବା ଫଳରେ ଗୋଟିଏ କମ୍ପ୍ରେସର ଓ ୫ଟି ହାଇୱା ଗାଡି ଜବତ କରାଯିବା ସହିତ ଦୁଇଜଣ ଅଟକ ରଖାଯାଇଥିବା ଜଣାଯାଇଛି। ଖବର ନେବାରେ ଜଣାଯାଇଛି ଯେ ଏହି ରାହାଡପୁର ମୌଜାର ଗୋଟିଏ ସୈରାତକୁ ଛାଡି ବାକି ସମସ୍ତର ଲିଜ ପ୍ରକ୍ରିୟା ସମାପ୍ତ ହୋଇନାହିଁ। ଆଉ କିଛି ଲିଜ ନହୋଇ ପଡିରହିଛି। ଏହାର ଫାଇଦା ଉଠାଇ ଏହି ପାହାଡରେ ପୂର୍ବରୁ କାର୍ଯ୍ୟ କରୁଥିବା କିଛି ବେଆଇନ କଳାପଥର ବ୍ୟବସାୟୀ ପଥର ଉତ୍ତୋଳନ କରୁଥିବା ବେଳେ ସାଧାରଣ ତଦାରଖ କରିବାକୁ ଯାଇଥିବା ଇନଫୋର୍ସମେଣ୍ଟ ଟିମ ଖାଦାନରେ ଗାଡି କମ୍ପ୍ରେସର ଦେଖି ହଠାତ ଚଢାଉ କରିଥିଲେ।
ନୂତନ ତହସିଲଦାର ସ୍ୱାଗତ ଦାସ ଓ ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ମହାନ୍ତି ସଦଳ ବଳେ ଚଢାଉ ସମୟରେ ଗୋଟିଏ କମ୍ପ୍ରେସର ଓ ଖାଦାନରେ ଲୋଡ ହେଉଥିବା ସମୟରେ ୬ଟି ଟ୍ରକକୁ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଦୁଇଜଣକୁ ନିଜ ହେପାଜତକୁ ନେଇଛନ୍ତି। ଅଟକ ଦୁଇଜଣଙ୍କ ମଧ୍ୟରୁ ଜଣକର ପରିଚୟ ମିଳିପାରି ନଥିବା ବେଳେ ଅନ୍ୟଜଣକ ହେଲେ ବଳଦେବ ରାଉତ। ବଳଦେବ ଏହି ଖାଦାନର ଚଳାଇବା ଦାୟିତ୍ୱରେ ରହିଥିବା ତହସିଲଦାର ସୁଚନା ଦେଇଛନ୍ତି। ସେହିପରି ଜବତ କମ୍ପ୍ରେସର ଟ୍ରାକ୍ଟରଟି ସେହି ଅଂଚଳର ଅନୁଆର ଓ ଅଭିମନ୍ୟୁ ଏହି ଖାଦାନକୁ ଚଳାଇ ଆସିଥିଲା ବୋଲି କୁହାଯାଉଛି।
ଜବତ ଗାଡି ଗୁଡିକ ଓ କମ୍ପ୍ରେସରଟି ୧୪୪ଧାର ପ୍ରୟୋଗ ହୋଇଥିବା ଏରିଆ ମଧ୍ୟରେ ରହିଥିବା ସ୍ଥାନୀୟ ଲୋକଙ୍କ ସୁତ୍ରରୁ ପ୍ରକାଶ। ଆଜକୁ ଦୀର୍ଘ କିଛି ବର୍ଷ ଧରି ଏହି ପହାଡରୁ ବାରମ୍ବାର ପଥର ଚୋରି ଓ ଚଢାଉ ଧରପଗଡ ଏକ ନିତି ଦିନିଆ ଘଟଣାରେ ପରିଣତ ହୋଇଛି। ଗତ ୨୯।୫ରେ ଏକ ଚଢାଉରେ ଉତ୍କଳ ହାଇୱେଜର ନିଜର ଖଣି ଲିଜ ନଥିବାରୁ ବେଆଇନ ଖନନ କରୁଥିବା ସମୟରେ ଖଣି ଅଂଚଳରୁ ତାର ଗାଡି ଓ ମେସିନାରୀ ସରଞ୍ଜାମ ଜବତ ହୋଇଥିଲା। ସେହିପରି ଭାବରେ ଏହି ପାହାଡରେ କେବଳ ଗୋଟିଏ ମାତ୍ର ସୈରାତ ଲିଜ ରହିଥିବା ବେଳେ ଏକାଧିକ ଖାଦାନରୁ ପଥର ଚୋରି ଅବ୍ୟାହତ ରହିଛି। ଏହି ପାହାଡର ୪ନଂ ଓ ୫ନଂ ଖଣିଅଂଚଳରୁ ଏବେ ମଧ୍ୟ ପ୍ରତ୍ୟହ ପଥର ଚୋରି ଜାରି ରହିଥିବା ବେଳେ ଅନ୍ୟ କିଛି ବେଆଇନ କଳାପଥର ବ୍ୟବସାୟୀ ଲିଜ ଏରିଆ ଭିତରୁ ମନ ଇଛା ପଥର ଉତ୍ତୋଳନ କରୁଥିବା ନେଇ ସୂଚନା ମିଳିଛି।

Comments are closed.