ମନ୍ଦିର ବାରଣ୍ଡାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଗଡ଼ମଧୁପୁର : ଜେନାପୁର ଥାନା ଅଧିନ ରାଇଚନ୍ଦା ପଂଚାୟତ ବାରକଣା ହାଟପଡିଆ ମଧ୍ୟରେ ଥିବା ହନୁମାନ ମନ୍ଦିର ପରିଷରରୁ ଜଣେ ଯୁବକଙ୍କ ମୃତଦେହ ଜେନାପୁର ପୁଲିସ ଜବତ କରିଛି। ଆଜି ଭୋରୁ ସ୍ଥାନୀୟ ଲୋକେ ହନୁମାନ ମନ୍ଦୀର ବାରଣ୍ଡାରେ ମୃତ ଯୁବକର ଶବ ଦେଖି ପୁଲିସକୁ ଖବର ଦେଇଥିଲେ। ମୃତ ଯୁବକ ଜଣକ ହେଲେ ଏହି ଥାନା ଅଧିନ ଏଣ୍ଡଳବା ପଂଚାୟତ କଲାଣ୍ଡ ଗ୍ରାମର କିଶୋର ପଲେଇ(୨୦) ପିତା ମାଧବାନନ୍ଦ ପଲେଇ ବୋଲି ଜଣାପଡିଛି। ହେଲେ ତାର ମୃତଦେହ କିପରି ଓ କେଉଁ ପରିସ୍ଥିତିରେ ସେଠାରେ ପଡି ରହିଛି ତାହା ଏବେ ସନ୍ଦେହ ଘେରରେ ରହିଛି।

ପୁଅର ମୃତ୍ୟୁ ସମ୍ବନ୍ଧରେ ପଚାରିବାରୁ ବାପା ମାଧବାନନ୍ଦ କହନ୍ତି, ଗତକାଲି ରାତିରେ କିଶୋର ଖାଇ ସାରି ନିକଟରେ ଥିବା ତାର ସାଙ୍ଗ ଘରକୁ ଶୋଇବାକୁ ଆସିଥିଲା। ହେଲେ ସକାଳୁ ତାର ଶବ ବାରକଣା ହନୁମାନ ମନ୍ଦିରରେ ପଡିଥିବା ଖବର ପାଇଲୁ। ତାର ସାଙ୍ଗକୁ ପଚାରିବାରୁ ସେ ଗତକାଲି ତାଙ୍କ ଘରକୁ ଶୋଇବାକୁ ଯାଇ ନଥିବା କହିଥିଲେ। ଗାଁରେ ଜଣେ ଝିକୁ ୨ ବର୍ଷ ଧରି ଭଲ ପାଉଥିବା ଓ ତାର ପ୍ରେମରେ କିଛି ସମସ୍ୟା ଥିବାରୁ ସେ ସେଠାକୁ ଯାଇଥାଇ ପାରେ ବୋଲି କହିଥିଲେ। ଗତକାଲି ରାତି ୨ଟା ୩୦ମିନିଟ ସମୟ ପାଖାପାଖି ସେ ପ୍ୟାଣ୍ଟ ସାର୍ଟ ପିନ୍ଧି ସେହି ଗାଁ ଅଭିମୁଖେ ଯାଉଥିବାର ଗାଁର କିଛି ଲୋକ ଦେଖିଥିବା ଶୁଣିବାକୁ ମିଳିଛି। ତେବେ ସକାଳୁ ତାର ମଲା ଖବର ପାଇ ଘରଲୋକେ ବିଚଳିତ ହୋଇପଡିଥିଲେ। ଖବର ପାଇ ଜେନାପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଛେଦ କରିବା ନିମନ୍ତେ ଶବକୁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଅଧିକ ତଦନ୍ତ ଚଳାଇଛନ୍ତି।

Comments are closed.