କମୁଛି ଜଳସ୍ତର: କୂଅ ପୋଖରି ଶୁଖିଲା, ଗରାମାଠିଆ ଧରି ମହିଳାଙ୍କ ପାଣି ପାଇଁ ଆନ୍ଦୋଳନ

ଗଡ଼ମଧୁପୁର: ଧର୍ମଶାଳା ବ୍ଲକର ବିଭିନ୍ନ ସ୍ଥାନରେ ଏବେ ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବୁଧା ଭୋଗୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ ପରେ ମଧ୍ୟ ଅବସ୍ଥା ସୁଧୁରୁ ନାହିଁ। ଧର୍ମଶାଳା ବ୍ଲକ ଅଣ୍ଟିଆ ପଂଚାୟତର ଅଣ୍ଟିଆ ତଳସାହି ୩ନଂ ୪ନଂ କୁମ୍ଭାରସାହିରେ ଏପରି ଅବସ୍ତା ଦେଖିବାକୁ ମିଳିଛି। ସର୍ବନିମ୍ନ ମୌଳିକ ସୁବିଧା ପାନୀୟ ଜଳ ଟୋପାଏ ପାଇବାରେ ଏତେ ବାଧା ବିଘ୍ନ ହେବାରୁ ଆଜି ଶତାଧିକ ମହିଳା ଏହି ନଳକୂପ ପାଖରେ ଏକତ୍ରିତ ହୋଇ ଗରାମାଠିଆ ଧରି ଅନ୍ଦୋଳନକୁ ଓହ୍ଲାଇଥିଲେ। ଘଣ୍ଟା ଘଣ୍ଟା ଧରି ଲୋକେ ପାଣି ପାଇଁ ସେଠାରେ ବସି ରହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଆସିନଥିଲେ। ଗଣମାଧ୍ୟମ ପ୍ରତିନିଧିମାନଙ୍କ ଜରିଆରେ ସେମାନେ ପାଣି ମୁନ୍ଦାଏ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଜଣାଯାଏ ଜଳସ୍ତର କମିଯିବା ଫଳରେ ଏବେ କୂଅ ପୋଖରି ଶୁଖିଲା ପଡିଛି। ନଳକୂପରୁ ମଧ୍ୟ ଅନେକ ସ୍ଥାନରେ ପାଣି ବାହାରୁ ନାହିଁ।

 

ଏହି ସାହିର ୪୦୦ଶହରୁ ଅଧିକ ଲୋକବାସ କରୁଥିବା ବେଳେ ପାଣିର ଏକ ମାତ୍ର ଉତ୍ସ ଭାବରେ ଗୋଟିଏ ନଳକୂପ ରହିଛି। ଏହି ଏକ ମାତ୍ର ନଳକୂପ ଉପରେ ପୁରା ୧୦୦ପରିବାର ନିର୍ଭର କରୁଥିବାରୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମହିଳା ମାନେ ଲାଇନ ଲଗାଇ ପାଣି ପାଇଁ ଜଗି ରହୁଛନ୍ତି। ଗ୍ରାମର ଅନେକ ଲୋକ ଏକାଧିକବାର ପଂଚାୟତ କାର୍ଯ୍ୟନିର୍ବାହୀ, ସରପଞ୍ଚ ପ୍ରତିନିଧି, ଓ ଜଳଯୋଗାଣ ବିଭାଗର ଅଧିକାରୀ ଓ ଧର୍ମଶାଳା ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଭେଟି ଅଭିଯୋଗ ଦେଲା ପରେ ମଧ୍ୟ ଅବସ୍ଥାରେ ସୁଧାର ଆସିନାହିଁ। ଉଚ୍ଚ ବିଦ୍ୟାଳୟ ନିକଟରେ ଉଚ୍ଚକ୍ଷମତା ସମ୍ପନ ପାଣି ଟାଙ୍କି ରହିଥିଲେ ମଧ୍ୟ ଏହି ସାହିକୁ ପାଇପ ବିଛା ଯାଇନାହିଁ କି ପାଣିର ବ୍ୟବସ୍ଥା କରାଯାଇ ନାହିଁ।

Comments are closed.