କାଗଜ ଉତ୍ପାଦନ ବିଜ୍ଞାନୀ ବିନାୟକ ମିଶ୍ରଙ୍କ ପରଲୋକ

ଆଠଗଡ଼: ଆଠଗଡ଼ ସହରର ରାଧାନାଥପୁର ଶାସନ ନିବାସୀ ସ୍ୱର୍ଗତ କାହ୍ନୁଚରଣ ମିଶ୍ରଙ୍କ ୫ମ ପୁତ୍ର ତଥା କାଗଜ ଉତ୍ପାଦନ ବିଜ୍ଞାନୀ ବିନାୟକ ମିଶ୍ର (୮୮)ଙ୍କର ନିଜ ଝିଅ ଘର ନୂଆଦିଲ୍ଲୀରେ ଶୁକ୍ରବାର ରାତି ୯ଟାରେ ପରଲୋକ ହୋଇଯାଇଛି। ଜର୍ମାନୀରେ କାଗଜ ଉତ୍ପାଦନର ବୈଷୟିକ ଶିକ୍ଷା ହାସଲ କରିବା ପରେ ସ୍ୱର୍ଗତ ମିଶ୍ର ପ୍ରଥମେ ରାୟଗଡ଼ାସ୍ଥିତ ଜେକେ କାଗଜ କଳ ଏବଂ ପରେ ବିଦେଶ ଯାଇ ନାଇଜେରିଆ ଓ ଇରାନରେ ଦୀର୍ଘ ବର୍ଷ କାର୍ଯ୍ୟ କରିଥିଲେ। ତା ପରେ ସେ ଭାରତ ଆସି ଉତ୍ତରପ୍ରଦେଶର ଗୋରଖପୁୁରରେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ। ତାଙ୍କର ୩ଝିଅଙ୍କ ମଧ୍ୟରୁ ବଡଝିଅ ଯୁକ୍ତରାଷ୍ଟ୍ର ଆମେରିକାରେ ଏବଂ ଅନ୍ୟ ଦୁଇଝିଅ ଦିଲ୍ଲୀ ଓ ନଏଡାରେ ଅବସ୍ଥାନ କରନ୍ତି। ତାଙ୍କ ମଧ୍ୟମ ଓ ସାନ ଝିଅ ଘରେ ରହୁଥିବା ଶ୍ରୀ ମିଶ୍ର ଗତ କିଛିଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ତାଙ୍କ ପରଲୋକ ଖବର ପ୍ରଚାରିତ ହେବାମାତ୍ରେ ରାଧାନାଥପୁର ଶାସନ ସମେତ ଆଠଗଡ଼ରେ ଶୋକର ଛାୟା ଖେଳିଯାଇଥିଲା। ଲୋକସେବକ ମଣ୍ଡଳ ଓଡ଼ିଶା ଶାଖା ଅଧ୍ୟକ୍ଷ ତଥା ସମାଜ ସଂପାଦକ ନିରଞ୍ଜନ ରଥ ବିନାୟକ ବାବୁଙ୍କ ବିୟୋଗ ଖବର ଶୁଣି ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ। ନଏଡାରେ ଶନିବାର ସକାଳେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ଝିଅ ଋତାଞ୍ଜଳି ଓ ଅଳକାନନ୍ଦା ମୁଖାଗ୍ନି ଦେଇଥିଲେ।

Comments are closed.