ଭାର୍ଗବୀ ବନ୍ୟା ଜଳ ନିୟନ୍ତ୍ରଣରେ ବରଦାନ ସାଜିଛି ଗବକୁଣ୍ଡ କଟ

ସୁଆଣ୍ଡୋ : ପୁରୀ ଜିଲାରେ ପ୍ରବାହିତ ଭାର୍ଗବୀ ନଦୀର ବନ୍ୟା ଜଳ ନିୟନ୍ତ୍ରଣରେ ବରଦାନ ସାଜିଛି ଗବକୁଣ୍ଡ କଟ । ନଦୀରେ ଜଳ ବୃଦ୍ଧି ପାଉଛି । ବନ୍ଧର ଉଭୟ ପାର୍ଶ୍ୱ ଦେଇ ବନ୍ୟାଜଳ ପ୍ରବାହିତ ହେଉଛି । ୨୦୧୯ ମସିହାରେ ହୋଇଥିବା ବନ୍ୟାଠାରୁ ଅଧିକ ଜଳ ନଦୀରେ ପ୍ରବାହିତ ହେଉଛି । ନଈବଢିକୁ ଦେଖି ନଈକୂଳିଆ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ପୁରୀ ଜିଲାର ବନ୍ୟା ନିୟନ୍ତ୍ରଣ ପାଇଁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପରିକଳ୍ପିତ ଗବକୁଣ୍ଡ ୧୯୬୧ ମସିହାରେ ବିଜୁବାବୁଙ୍କ ଦ୍ୱାରା କରାଯାଇଥିଲା । ଏହି ଗବକୁଣ୍ଡ କଟ ଯୋଗୁ ପୁରୀ ଜିଲାର ତ୍ରିକୋଣଭୂମି ଅଞ୍ଚଳରେ ପ୍ରବାହିତ ଭାର୍ଗବୀ, ଦୟା, କୁଶଭଦ୍ରା, ରାଜୁଆ, ମକରା, ରତ୍ନଚିରା ଆଦି ନଦୀର ବନ୍ୟା ନିୟନ୍ତ୍ରଣ ହୋଇପାରୁଛି । ବଳଙ୍ଗା ଜଳସମ୍ପଦ ବିଭାଗ ପକ୍ଷରୁ ଗବକୁଣ୍ଡଠାରୁ ବଳଙ୍ଗା ପର୍ଯ୍ୟନ୍ତ ପାଟ୍ରୋଲିଂ କରାଯାଉଛି । ଯେଉଁଠି ବନ୍ଧ ଦୁର୍ବଳ ରହିଛି ସେଠାରେ ବାଲି ବସ୍ତା ରଖାଯାଇଥିବା ଦେଖିବାକୁ ମିଳିଛି । ଏବେ ବଳଙ୍ଗାଠାରେ ବନ୍ୟା ଜଳ ପ୍ରବାହିତ ହେଉଛି । ତେବେ କୌଣସି ବିପଦର ସମ୍ଭାବନା ନାହିଁ, କିନ୍ତୁ ଜନ ସାଧାରଣ ସତର୍କ ରହିବା ଉଚିତ ବୋଲି ବଳଙ୍ଗା ଜଳସମ୍ପଦ ବିଭାଗ ଉପଖଣ୍ଡ ଅଧିକାରୀ ହିମାଂଶୁ କୁମାର ପ୍ରକାଶ କରିଛନ୍ତି।

Comments are closed.