ପାନୀୟ ଜଳ ପାଇଁ ଡହଳ ବିକଳ ଅଞ୍ଚଳବାସୀ

ଜି.ଉଦୟଗିରି : ସରକାର ବସୁଧା ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବାାକୁ ଚେଷ୍ଟା କରୁଥିବାବେଳେ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ଅନ୍ତର୍ଗତ ପିକରବାଡି ପଞ୍ଚାୟତ ସ୍ଥିତ ପାଙ୍ଗା ବିଦୁଙ୍ଗିଆ ଗ୍ରାମରେ ଦୀର୍ଘ ୧୦ ମାସରୁ ଉର୍ଦ୍ଧ୍ବ ହେବ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଥିବା ଦେଖିବାକୁ ମିଳିଛି।

ବିବରଣୀରୁ ପ୍ରକାଶ ଯେ, ସ୍ଥାନୀୟ ସରପଞ୍ଚ ଗୋକୁଳାନନ୍ଦ ପ୍ରଧାନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଟ ଯନ୍ତ୍ରୀଙ୍କ ପାଖକୁ ଦୌଡିଦୌଡି ନୟାନ୍ତ ହେଲେ ମଧ୍ୟ ଦେଖିବା, କରିବା, ତଥା ନିର୍ମିତ ସୋଲାର ପମ୍ପ ଜନସ୍ବାସ୍ଥ୍ୟ ବିଭାଗକୁ ହସ୍ଥାନ୍ତର ହୋଇନାହିଁ ବୋଲି କହିଥିଲେ।ତେବେ ଏନେଇ ଆମ ପ୍ରତିନିଧି ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଟ ଯନ୍ତ୍ରୀ ନାରାୟଣ ନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଏହା ୨୦୧୪-୧୫ ଆର୍ଥିକ ବର୍ଷରେ ନିର୍ମିତ ହୋଇଥିଲା, ଏଯାବତ ନିର୍ମାଣକାରୀ ସଂସ୍ଥା ଉକ୍ତ ସୋଲାର ପମ୍ପକୁ ଜନସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରିନାହିଁ ଓ ଏହାର ମେଣ୍ଟେନାନ୍ସ ପାଇଁ ୫ ବର୍ଷ ରହିଥିବାବେଳେ ଏବେ ସେ ଅବଧି ମଧ୍ୟ ସରିଯାଇଛି।ତେବେ ବର୍ତ୍ତମାନ କଥା ଉଠୁଛି ଯେ, ଯଦି ଏହା ବିଭାଗକୁ ହସ୍ତାନ୍ତର ହୋଇନାହିଁ ଓ ମେଣ୍ଟେନାନ୍ସ ଦିନ ସରିଯାଇଛି, ତେବେ ତାହା ଆଉ ନିର୍ମାଣ ହେବନାହିଁ କି? ଆଉ ଯଦି ହେବ ତେବେ କେବେ?  ଏ ସମ୍ପର୍କରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ, ମୁଁ ପାଙ୍ଗା ବିଦୁଙ୍ଗିଆ ଗ୍ରାମକୁ ଯାଇ ସୋଲାର ପମ୍ପ ମୋଟରଟି ଖରାପ ହୋଇଥିବା ଦେଖିଛି ।ଖୁବଶୀଘ୍ର ତାହା ତିଆରି କରାଯିବ ।ଉକ୍ତ ଗ୍ରାମରେ ପ୍ରାୟ ୨୫୦ ରୁ ୩୦୦ ଲୋକ ବାସ କରୁଥିବାବେଳେ ଲୋକ ପ୍ରତିନିଧି ଓ ପ୍ରଶାସନିକ ସ୍ତରରେ ସମନ୍ବୟ ରକ୍ଷା କରି କେତେ ଶୀଘ୍ର ଅଞ୍ଚଳବାସୀଙ୍କୁ ପାନୀୟ ଜଳ ତୁରନ୍ତ ଯୋଗାଇ ଦେବାରେ ସକ୍ଷମ ହେଉଛି ତାହା ଦେଖିବାକୁ ବାକି ରହିଲା।

Comments are closed.