କଡା ସୁରକ୍ଷା ମଧ୍ୟରେ ପରିଷଦର ତୃତୀୟ ବୈଠକ ଶେଷ

ଜି.ଉଦୟଗିରି: ଆଜି ବିଜ୍ଞାପିତ ଅଞ୍ଚଳ ପରିଷଦର ତୃତୀୟ ବୈଠକ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କ ଅଧ୍ୟକ୍ଷତାରେ ପୋଲିସ ସୁରକ୍ଷା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ୧୦ ଜଣ ଓ୍ବାର୍ଡ ସଭ୍ୟସଭ୍ୟା ମୂଖ୍ୟତଃ ନିଜନିଜ ଓ୍ବାଡର ରାସ୍ତା, ଡ୍ରେନେଜ ଓ ମଶାଣୀ ଉପରେ ଧ୍ୟାନ ଦେବାକୁ ଗୁରୁତ୍ବାରୋପ କରିଥିବା ନେଇ କାର୍ଯ୍ୟନିର୍ବାହୀ ଅଧିକାରୀଣୀ ଇତିଶ୍ରୀ ଷଡଙ୍ଗୀ ସୂଚନା ଦେଇଛନ୍ତି।

ପ୍ରକାଶ ଥାଉକି ପୂର୍ବ ବୈଠକରେ ଟେଣ୍ଡର ବାତିଲ ପାଇଁ ନିଆଯାଇଥିବା ଅଧ୍ୟକ୍ଷା କାର୍ଯ୍ୟକାରୀ କରି ନଥିବା ନେଇ ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ସ୍ବାଧିନ ଓ୍ବାର୍ଡ ସଭ୍ୟ ପି.ସଞ୍ଜୀବ କୁମାର ପାତ୍ର ସୂଚନା ଦେଇଥିବା ବେଳେ ପରିଷଦରେ ଅନ୍ୟୁନ ୩ ଜଣ କିମ୍ବା ଅତ୍ୟଧିକ ୬ ଜଣ ଓ୍ବାର୍ଡ ସଭ୍ୟ କିମ୍ବା ସ୍ଥାନୀୟ ଭୋଟରଙ୍କୁ ନେଇ ପରିମଳ ଓ ଉନ୍ନୟନ ନିମନ୍ତେ ଦୁଇଟି କମିଟି ଗଠନ କରାଯିବା ନେଇ ନିର୍ଦ୍ଧାରଣ ସଂଖ୍ୟା ୧୪ରେ ଉଲ୍ଲେଖ କରି ସେହି କମିଟିକୁ ଦୃଢିକରଣ କରିବା ନେଇ ଅଧ୍ୟକ୍ଷା ଶ୍ରୀମତି ମିଶ୍ର ପ୍ରସ୍ତାବ ରଖିଥିବା ବେଳେ ମୁନସିପାଲଟି ଧାରା ୪୯ ଅନୁସାରେ ଉକ୍ତ କମିଟି ଠିକ୍ କରାଯାଇ ନାହିଁ,ଏଣୁ ଏହାକୁ ଅନୁମୋଦନ ନକରିବା ପାଇଁ ବିଜେଡି ଓ୍ବାର୍ଡ ସଭ୍ୟ ଲେକଚରର ବୁଲିଆନ ଅଭିଯୋଗ କରିବାରୁ ଅଧ୍ୟକ୍ଷା ମୁଁ କେଉଁ ନିୟମ ଜାଣିନାହିଁ, ମୁଁ ଯାହା ନିଷ୍ପତ୍ତି ନେବି ତାହା ଚୁଡାନ୍ତ ବୋଲି କହିବାରୁ ଅଧ୍ୟକ୍ଷା ଓ ଲେକଚରର ବୁଲିଆନଙ୍କ ମଧ୍ୟରେ କଥା କଟାକଟି ହେବା ସହ ଏନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି ଲେକଚରର ବୁଲିଆନ ସୂଚନା ଦେଇଛନ୍ତି। ଆୟୋଜିତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟନିର୍ବାହୀ ଅଧିକାରୀଣୀ, ଓ୍ବାର୍ଡ ସଭ୍ୟ/ସଭ୍ୟା, ଜନସ୍ବାସ୍ଥ୍ୟ ଯନ୍ତ୍ରୀ, ଏନଏସି ଯନ୍ତ୍ରୀ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Comments are closed.