ଜିଏସଟି ଚଢ଼ାଉ ଓ ଅସାଧୁ ବ୍ୟବସାୟୀଙ୍କ ଲୁଚକାଳୀରେ ଖାଉଟି ହନ୍ତସନ୍ତ

ଜି.ଉଦୟଗିରି: ଆଗକୁ ପାର୍ବଣ ମାତ୍ର ଦୁଇ ତିନ ଦିନ ବାକି ଥିବା ବେଳେ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ହେବ ଜିଏସଟି ଚଢ଼ାଉ ଓ ଅସାଧୁ ବ୍ୟବସାୟୀଙ୍କ ଲୁଚକାଳୀ ଖେଳ ଯୋଗୁଁ ସାଧାରଣ ଖାଉଟି ହନ୍ତସନ୍ତ ଅବସ୍ଥାରେ ଫେରୁଥିବାର ଦେଖିବାକୁ ମିଳିଛି।ବିବରଣୀରୁ ପ୍ରକାଶଯେ ରାୟଗଡା ଜିଏସଟି ଏନଫୋର୍ସମେଣ୍ଟ ଟିମ୍ ଦୁଇ ଦିନିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଗୁରୁବାର ବାଲିଗୁଡ଼ା, ଫୁଲବାଣି ଓ ଶଙ୍କରାଖୋଲ ଆଦି ଅଞ୍ଚଳରେ ଚଢଉ କରି ଜି.ଉଦୟଗିରି ଆସୁଥିବା ଜାଣି ଜି.ଉଦୟଗିରି ବ୍ୟବସାୟୀ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ଇତି ମଧ୍ୟରେ କିଛି ବ୍ୟୟସାୟୀ ଜିଏସଟି କରିଥିଲେ ମଧ୍ୟ ତାକୁ ରଦ୍ଦ କରି ବ୍ୟବସାୟ କରୁଥିବା ଜଣାପଡିଛି।

ଅପରପକ୍ଷେ କିଛି ଅସାଧୁ ବ୍ୟବସାୟୀ ଜିଏସଟି ଠକେଇ କରି ବ୍ୟବସାୟ କରୁଥିବା ଅଭିଯୋଗ ଆସିବା ପରେ ଚଢାଉ ଚାଲିଥିବା ବେଳେ ଗୁରୁବାର ଦିନ ମଧ୍ୟାହ୍ନ ଠାରୁ ସବୁ ଦୋକାନ ବନ୍ଦ ହୋଇଯାଇଥିବା ବେଳେ ଶୁକ୍ରବାର ଦିନ ମଧ୍ୟ କିଛି ବଡ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ଥିବାର ଦେଖିବାକୁ ମିଳିଛି। ଫଳରେ ସାଧାରଣ ଖାଉଟି ଆଗକୁ ପାର୍ବଣ ପାଇଁ ସଉଦା ନେବାକୁ ଆସି ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି।

Comments are closed.