ବିଶ୍ବ ଜନସଂଖ୍ୟାର ୧୭% ଭାରତ, ଅଙ୍ଗାରକାମ୍ଳ ନିର୍ଗମନ କରୁଛି ​୫%‌: ମୋଦୀ

ବର୍ଲିନ : ଭାରତ ଭଳି ବିକାଶଶୀଳ ରାଷ୍ଟ୍ରଗୁଡିକ ଅଧିକ ମାତ୍ରାରେ ଅଙ୍ଗାରକାମ୍ଳ ନିର୍ଗମନ କରୁଥିବା ନେଇ ରହିଥିବା ବିଶ୍ବ ନେତାଙ୍କ ଚିନ୍ତାଧାରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁଲ୍ ପ୍ରମାଣିତ କରିଛନ୍ତି। ମୋଦୀ କହିଛନ୍ତି ଯେ ବିଶ୍ବର ମୋଟ ଜନସଂଖ୍ୟାର ୧୭% ଜନତା ଭାରତରେ ବାସ କରୁଥିବାବେଳେ ଏହା ମାତ୍ର ୫% ଅଙ୍ଗାରକାମ୍ଳ ନିର୍ଗମନ କରୁଛି। ବିଶ୍ବରେ ବାର୍ଷିକ ଯେତିକି ପରିମାଣର ଅଙ୍ଗାରକାମ୍ଳ ନିର୍ଗମନ ହେଉଛି ତାର ମାତ୍ର ୫% ପ୍ରତିଶତ ଭାରତରୁ ସୃଷ୍ଟି ହେଉଛି। ୨୬ ଓ ୨୭ ତାରିଖ ଦୁଇଦିନ ଧରି ଏଠାରେ ଚାଲିଥିବା ଜି-୭ ରାଷ୍ଟ୍ର ଗୋଷ୍ଠୀର ଶିଖର ସମ୍ମିଳନୀ ଅବସରରେ ଆୟୋଜିତ ସ୍ବତନ୍ତ୍ର ଅଧିବେଶନରେ ଯୋଗ ଦେଇ ମୋଦୀ କହିଛନ୍ତି ଯେ ଊର୍ଜା ବା ଶକ୍ତି ହାସଲ କରିବା କେବଳ ଧନୀ ରାଷ୍ଟ୍ରଗୁଡିକର ଅଧିକାର ନୁହେଁ। ସମ୍ପ୍ରତି ବିଶ୍ବର ଭୂରାଜନୈତିକ ଉତ୍ତେଜନା ଯୋଗୁଁ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ବିକାଶଶୀଳ ରାଷ୍ଟ୍ରଗୁଡିକ ବିକଳ୍ପ ଶକ୍ତିର ସନ୍ଧାନ ଓ ଉପଯୋଗ କରିବା ଉପରେ ଗୁରୁତ୍ବ ଦେଉଛନ୍ତି। ମୋଦୀ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ରୋକିବା ଦିଗରେ ଭାରତ ଯେଉଁ ପ୍ରତିଶ୍ରୁତି ଦେଇଛି ସେ ଦିଗରେ କାର୍ଯ୍ୟ କରିଆସୁଛି। ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ନିମନ୍ତେ ଭାରତ ସରକାର ଘରେ ଘରେ ରନ୍ଧନ ଗ୍ୟାସର ଯୋଗାଣ କରିଛନ୍ତି। ସେହିପରି ଏଲଇଡି ବଲ୍‌ବର ବ୍ୟବହାର ବୃଦ୍ଧି କରିଛନ୍ତି। ସ୍ବାସ୍ଥ୍ୟ ପ୍ରସଙ୍ଗରେ ମୋଦୀ କହିଛନ୍ତି ଯେ ମଣିଷର ସ୍ବାସ୍ଥ୍ୟ ଓ ବିଶ୍ବ ପରସ୍ପର ସହିତ ଜଡିତ। ତେଣୁ ଭାରତ ‘ୱାନ ୱାର୍ଲ୍ଡ, ୱାନ ହେଲଥ’ର ଆଭିମୁଖ୍ୟ ପୋଷଣ କରିଛି। କରୋନା ମହାମାରୀ ସମୟରେ ଭାରତ ଡିଜିଟାଲ ଟେକ୍ନୋଲୋଜିର ଉପଯୋଗ କରିଥିଲା। ଜି-୭ ରାଷ୍ଟ୍ରଗୁଡିକ ଏହି ଟୋକ୍ନୋଲୋଜିକୁ ବିକାଶଶୀଳ ରାଷ୍ଟ୍ରଗୁଡିକ ନିକଟରେ ପହଞ୍ଚାଇବାରେ ସହଯୋଗ କରିଥିଲେ। ସେହିପରି ଯୋଗାସନ ଭଳି ପାରମ୍ପରିକ ଔଷଧକୁ କରୋନା କାଳରେ ବହୁଳ ବ୍ୟବହାର କରାଯାଇଥିଲା। ଯୋଗାସନକୁ ସ୍ବାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ବହୁଳ ବ୍ୟବହାର ନିମନ୍ତେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଭାରତରେ ଏକ ସ୍ବତନ୍ତ୍ର କେନ୍ଦ୍ର ଖୋଲିବାର ନିଷ୍ପତ୍ତି ନେଇଥିବା ମୋଦୀ କହିଛନ୍ତି। ଜଳବାୟୁ, ଶକ୍ତି ଓ ସ୍ବାସ୍ଥ୍ୟ ସମ୍ପର୍କିତ ଏହି ସ୍ବତନ୍ତ୍ର ଅଧିବେଶନକୁ ଜି-୭ ରାଷ୍ଟ୍ରଗୋଷ୍ଠୀ ବ୍ୟତୀତ ଭାରତ, ଇଣ୍ଡୋନେସିଆ, ଦକ୍ଷିଣ ଆଫ୍ରିକା, ଆର୍ଜେଣ୍ଟିନା ଓ ସେନାଗାଲକୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇଥିଲା। ଜଳବାୟୁ ପରିବର୍ତ୍ତନ, ସ୍ବାସ୍ଥ୍ୟ ଓ ଶକ୍ତି ଭଳି ପ୍ରମୁଖ ପ୍ରସଙ୍ଗରେ ଆନ୍ତର୍ଜାତିକ ସମନ୍ବୟ ନିମନ୍ତେ ଜି-୭ ରାଷ୍ଟ୍ର ସମୂହ ଏହି ବୈଠକ ଆୟୋଜନ କରିଥିଲେ।

ଜି-୭ ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଓ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେୟୁଙ୍କ ସାକ୍ଷାତ କରିଛନ୍ତି। ସେହିପରି ରବିବାର ମୋଦୀ ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବର୍ଟ ଫର୍ଣ୍ଣାଡେଜ୍‌ଙ୍କୁ ଭେଟିଥିଲେ। ଏହା ଦୁଇ ନେତାଙ୍କ ପ୍ରଥମ ଦ୍ବିପାକ୍ଷିକ କଥାବାର୍ତ୍ତା ଥିଲା। କଥାବାର୍ତ୍ତା କାଳରେ ପ୍ରତିରକ୍ଷା, ବାଣିଜ୍ୟ, କୃଷି, ଜଳବାୟୁ ପରିବର୍ତ୍ତନ, ଖାଦ୍ୟ ସୁରକ୍ଷା ଓ ପୁଞ୍ଜିନିବେଶ କ୍ଷେତ୍ରରେ ପାରସ୍ପରିକ ସହଯୋଗ ନେଇ ଆଲୋଚନା କରିଥିଲେ। ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହିତ ମୋଦୀ ଚାଏ ପେ ଚର୍ଚ୍ଚା କରିଥିଲେ। ଜି-୭ ବୈଠକରେ ଭାରତ ପର୍ଯ୍ୟବେକ୍ଷକ ଭା​ବେ ଯୋଗ ଦେଇଛି।

Comments are closed.