ଭାରତର ହଜ କୋଟା ୨ ଲକ୍ଷକୁ ବୃଦ୍ଧି କଲା ସାଉଦି ଆରବ

ରିୟାଦ : ସାଉଦି ଆରବ ଭାରତ ପାଇଁ ଥିବା ହଜ କୋଟାକୁ ୧ ଲକ୍ଷ ୭୦ ହଜାରରରୁ ୨ ଲକ୍ଷକୁ ବୃଦ୍ଧି କରିଛି। ଅର୍ଥାତ ଚଳିତ ବର୍ଷଠାରୁ ମୁସଲମାନଙ୍କ ପବିତ୍ର ତୀର୍ଥସ୍ଥଳ ମକ୍କାକୁ ୨ ଲକ୍ଷ ଭାରତୀୟ ଯାତ୍ରା କରିପାରିବେ। ଜାପାନରେ ଓସାକାଠାରେ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବା ଅବସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମଦ ବିନ ସଲମାନଙ୍କୁ ଭେଟି ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ।
ଏହାପରେ ଭାରତର ହଜ କୋଟାକୁ ସାଉଦି ଆରବ ୧ ଲକ୍ଷ ୭୦ ହଜାରରୁ ୨ ଲକ୍ଷକୁ ବୃଦ୍ଧି କରିଥିବା ବିଦେଶ ସଚିବ ବିଜୟ ଗୋଖଲେ ସୂଚନା ଦେଇଛନ୍ତି। ମୋଦୀ ଏବଂ ସାଉଦି ଆରବ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ପର୍ଯ୍ୟଟନ, ବିମାନ ସେବା ବୃଦ୍ଧି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏନେଇ ଆଉ ଥରେ ସାକ୍ଷାତ ଆଲୋଚନା କରିବାକୁ ଉଭୟ ନେତା ରାଜି ହୋଇଛନ୍ତି।
ପ୍ରକାଶ ଯେ ଗତବର୍ଷ କେନ୍ଦ୍ର ସରକାର ମହିଳାଙ୍କୁ ମେହରମ ବା ବିପା ପରୁଷ ସାଥୀରେ ହଜ ଯାତ୍ରା ପାଇଁ ଅନୁମତି ଦେଇଥିଲା। ଏହାପରେ ପାଖାପାଖି ୧,୩୦୦ ମହିଳା ଏକାକୀ ହଜ ଯାତ୍ରା କରିଥିଲେ।

Comments are closed.