ଦ୍ରୁତ ଅର୍ଥନୈତିକ ବିକାଶ ଯାତ୍ରା ସଂକଳ୍ପ ସହ ଶେଷ ହେଲା ଜି-୨୦ ଶୀର୍ଷ ବୈଠକ

ନୂଆଦିଲ୍ଲୀ/ଓସାକା: ଜି-୨୦ ଓସାକା ଶୀର୍ଷ ବୈଠକ ଶନିବାର ଶେଷ ହୋଇଛି। ବିଶ୍ୱସ୍ତରୀୟ ବଡ଼ ବଡ଼ ଅର୍ଥନୈତିକ ଆହ୍ୱାନଗୁଡ଼ିକର ମୁକାବିଲା କରିବା ପାଇଁ ସମ୍ମିଳିତ ଉଦ୍ୟମ ଜାରି ରଖିବାକୁ ନେତାମାନେ ସହମତ ହୋଇଛନ୍ତି। କାରିଗରୀ ଜ୍ଞାନ ଉପଯୋଗରେ ନୂଆ ନୂଆ ଉଦ୍ଭାବନ, ଡିଜିଟୀକରଣ ଏବଂ ସମସ୍ତଙ୍କୁ ଉପକାର ପ୍ରଦାନ ବ୍ୟବସ୍ଥା ମାଧ୍ୟମରେ ବିଶ୍ୱସ୍ତରୀୟ ଦ୍ରୁତ ଅର୍ଥନୈତିକ ବିକାଶ ପାଇଁ ମିଳିମିଶି କାମ କରିବାକୁ ନେତାମାନେ ରାଜି ହୋଇଛନ୍ତି। ବୈଠକ ପରେ ଓସାକାରେ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତର ଶେର୍‍ପା ସୁରେଶ ପ୍ରଭୁ କହିଛନ୍ତି, ବିଭିନ୍ନ କ୍ଷେତ୍ରକୁ ବିବେଚନା କରାଗଲେ ଜି-୨୦ ଶୀର୍ଷ ସମ୍ମିଳନୀ ଭାରତ ପାଇଁ ଅତ୍ୟଧିକ ଫଳପ୍ରଦ ହୋଇପାରିଛି। ସେ କହିଛନ୍ତି, ବିଶ୍ୱ ସମୁଦାୟର କଲ୍ୟାଣ ପାଇଁ ନୂଆ ଉଦ୍ୟମ ସକାଶେ ଭାରତ ଗୁରୁତ୍ୱାରୋପ କରିଛି।

ପ୍ରଭୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଶ୍ୱସ୍ତରୀୟ ଦୁର୍ନୀତି ବିରୋଧି ପଦକ୍ଷେପ ପାଇଁ ଆବଶ୍ୟକତା ପ୍ରତି ଭାରତ ଗୁରୁତ୍ୱାରୋପ କରିଛି। ଏଣୁ ଦୁର୍ନୀତି ବିରୋଧରେ ସଂଗ୍ରାମ ପାଇଁ ବିଦେଶୀ ସ୍ତରରେ ଲାଞ୍ଚ କାରବାରକୁ ଦମନ କରିବାଲାଗି ଜି-୨୦ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମିଳିମିଶି ସଂଗ୍ରାମ କରିବା ଉଚିତ ବୋଲି ଭାରତ କହିଛି। ବିଶ୍ୱ ଅର୍ଥନୀତି ଓ ଆର୍ଥିକ ସ୍ଥିତି, ମୁକ୍ତ ଓ ମଜବୁତ୍‍ ଆର୍ଥିକ ବ୍ୟବସ୍ଥା, ଦୁର୍ନୀତି ବିରୋଧରେ ସଂଗ୍ରାମ, ମହିଳା ସଶକ୍ତିକରଣପାଇଁ ଦୂରଦୃଷ୍ଟି, କୃଷି, ବିଶ୍ୱ ସ୍ୱାସ୍ଥ୍ୟ, ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ରହିତ ଶକ୍ତି ବିଷୟ ପ୍ରତି ଭାରତ ପ୍ରାଧାନ୍ୟ ଦେଇଛି। ସମାଜର ମଙ୍ଗଳପାଇଁ ଡିଜିଟାଲ୍‍ଭିତ୍ତିକ ଉଚ୍ଚମାନର ମୌଳିକ ଢାଞ୍ଚା ବିକାଶ ପାଇଁ ଭାରତ ଗୁରୁତ୍ୱାରୋପ କରିଛି। ସମ୍ମିଳନୀ ଶେଷରେ ଆମେରିକା ବ୍ୟତୀତ ଜି-୨୦ ରାଷ୍ଟ୍ରସମୂହର ୧୯ଟି ସଦସ୍ୟ ରାଷ୍ଟ୍ର ପ୍ୟାରିସ୍‍ ଜଳବାୟୁ ରାଜିନାମାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଏବଂ ଏହାର ସମ୍ପୂର୍ଣ୍ଣ ରୂପାୟନ ପାଇଁ ପ୍ରତିଶ୍ରୁତି ପ୍ରକାଶ କରିଛନ୍ତି।

Comments are closed.