ବିଶ୍ବ ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀରେ ସୀମିତ ରଖିବାକୁ ନିଷ୍ପତ୍ତି

ଜି-୨୦ ସମ୍ମିଳନୀର ଦ୍ବିତୀୟ ଅଧିବେଶନ

ରୋମ୍‌ : ବିଶ୍ବ ତାପମାତ୍ରା ବୃଦ୍ଧିକୁ ୧.୫ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ସୀମିତ ରଖିବାକୁ ଜି-୨୦ ସମ୍ମିଳନୀରେ ବିଶ୍ବ ନେତାମାନେ ନିଷ୍ପତ୍ତି ନେଇଛନ୍ତି। ରୋମ୍‌ରେ ଆୟୋଜିତ ଦୁଇଦିନିଆ ଜି-୨୦ ସମ୍ମିଳନୀର ଦ୍ବିତୀୟ ତଥା ଅନ୍ତିମ ଅଧିବେଶନରେ ରବିବାର ଏହି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ପ୍ରତ୍ୟେକ ରାଷ୍ଟ୍ର ଅଙ୍ଗାରକାମ୍ଳ ନିର୍ଗମନ ପରିମାଣକୁ ହ୍ରାସ କରିବା ଦିଗରେ ପଦକ୍ଷେପ ନେବେ। ବିଶ୍ବ ତାପମାତ୍ରା ବୃଦ୍ଧିର ୮୦% ଉତ୍ତରଦାୟୀ ରହୁଥିବା ରାଷ୍ଟ୍ର ଭାରତ, ବ୍ରାଜିଲ, ଚୀନ, ଜର୍ମାନୀ, ଆମେରିକା ଏହି ସମ୍ମିଳନୀର ସଦସ୍ୟ ରହିଥିବାବେଳେ ଏହି ରାଷ୍ଟ୍ରଗୁଡିକୁ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଦିଗରେ ଗୁରୁତ୍ବ ଦେବାକୁ କୁହାଯାଇଛି। ତେବେ ୨୦୫୦ ମସିହା ବେଳକୁ ଅଙ୍ଗାରକାମ୍ଳ ନିର୍ଗମନ ପରିମାଣକୁ ଶୂନରେ ସୀମିତ ରଖିବାକୁ ଆଜିର ଜି-୨୦ ବୈଠକରେ ନିଷ୍ପତ୍ତି ନିଆଯାଇ ନାହିଁ। ବିଶ୍ବ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ନିୟନ୍ତ୍ରଣ କରିବା ଲାଗି ଅଙ୍ଗାରକାମ୍ଳ ନିର୍ଗମନ ପ୍ରଭାବ ସୀମିତ ରଖିବାକୁ ବିଶ୍ବ ନେତାଙ୍କ ମଧ୍ୟରେ ସମ୍ମତି ପ୍ରକାଶ ପାଇଛି। ବିଶ୍ବର ସର୍ବାଧିକ ଅଙ୍ଗାରକାମ୍ଳ ନିର୍ଗମନକାରୀ ରାଷ୍ଟ୍ର ଚୀନ ୨୦୬୦ ସୁଦ୍ଧା ଏହାର ଅଙ୍ଗାରକାମ୍ଳ ନିର୍ଗମନ ଶୂନ ଡିଗ୍ରୀକୁ ହ୍ରାସ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଛି। ତେବେ ଭାରତ ଓ ରୁଷ୍ ଭଳି ରାଷ୍ଟ୍ର ୨୦୫୦ ସୁଦ୍ଧା ଅଙ୍ଗାରକାମ୍ଳ ନିର୍ଗମନକୁ ଶୂନ ଡିଗ୍ରୀକୁ ହ୍ରାସ ନେଇ କୌଣସି ଲକ୍ଷ୍ୟ ଧାର୍ଯ୍ୟ କରି ନାହାନ୍ତି। ଜାତିସଂଘ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସମୟରେ ବିଶ୍ବ ସମୁଦାୟ ଯଦି ଅଙ୍ଗାରକାମ୍ଳ ନିର୍ଗମନ ସୀମାକୁ ହ୍ରାସ ନ କରନ୍ତି ତେବେ ମରୁଡି, ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧି ପାଇବ। ତେବେ ଚଳିତବର୍ଷ ଶେଷ ସୁଦ୍ଧା କୋଇଲା ବ୍ୟବହାର ଜନିତ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନକୁ ବନ୍ଦ କରିବା ଲାଗି ଦାବି କରାଯାଇଛି। ତେବେ କୋଇଲା ଆଧାରିତ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ହ୍ରାସ ବାବଦକୁ କୌଣସି କ୍ଷତିପୂରଣ ଦିଆଯିବ ନାହିଁ। ଅନ୍ୟପଟେ ଘରୋଇ ବ୍ୟବହାର ଲାଗି କୋଇଲା ଆଧାରିତ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ବନ୍ଦ ନେଇ କୌଣସି ସମୟ ସୀମା ଧାର୍ଯ୍ୟ ହୋଇ ନାହିଁ। ତେବେ କୋଇଲା ଆଧାରିତ ବିଦ୍ୟୁତ୍ ଉତ୍ପାଦନ ବନ୍ଦ କରିବା ଯୋଗୁଁ ଛୋଟ ଛୋଟ ରାଷ୍ଟ୍ରଗୁଡିକ ସମ୍ମୁଖୀନ ହେଉଥିବା ଆର୍ଥିକ କ୍ଷତିର ଭରଣା ନିମନ୍ତେ ଜି-୨୦ ରାଷ୍ଟ୍ରଗୁଡିକ ୭.୫ଲକ୍ଷ କୋଟି ଟଙ୍କା ପାଣ୍ଠି ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ବିଶ୍ବର ପ୍ରମୁଖ ଅର୍ଥନୈତିକ ସମୃଦ୍ଧ ରାଷ୍ଟ୍ରଗୁଡିକର ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଯେଉଁ ନିଷ୍ପତ୍ତି ନିଆଯାଇଛି ତାକୁ ରବିବାରଠାରୁ ଗ୍ଲାସଗୋରେ ଆରମ୍ଭ ହୋଇଥିବା ଜାତିସଂଘ ଜଳବାୟୁ ସମିତିରେ ମଧ୍ୟ ଆଲୋଚନା କରାଯିବ। ଜି-୨୦ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିନିଧିତ୍ବ କରିଥିବା ବେଳେ ଗ୍ଲାସଗୋ ଜଳବାୟୁ ସମିତିରେ ମଧ୍ୟ ମୋଦୀ ପ୍ରତିନିଧିତ୍ବ କରିବେ।

Comments are closed.