ଛେଳିଗଡ ଜଳସେଚନ ପ୍ରକଳ୍ପ ନିର୍ମାଣ ଆରମ୍ଭ କେବେ ? ବିସ୍ତାପିତଙ୍କୁ ଥଇଥାନ ପାଇଁ ବିତିଲାଣି ତିନି ଦଶନ୍ଧି 

ଚାନ୍ଦିପୁଟ (ପ୍ରେମାନନ୍ଦ ପୂଜାରୀ) : ଚାଷ ଓ ଚାଷୀଙ୍କ ଉନ୍ନତି ଲାଗି ସରକାରଙ୍କ ଅନେକ ଯୋଜନା ରହିଛି। ଗଞ୍ଜାମ ଜିଲ୍ଲାର ଅନେକ ଚାଷ ଜମି ଜଳାଭାବ ଯୋଗୁଁ ଶୁଖିଲା ପଡୁଥିବା ବେଳେ ଜଳସେଚନ କରିବା ପାଇଁ ସରକାର ଛେଳିଗଡ ଠାରେ ଏକ ବୃହତ ଜଳଭଣ୍ଡାର ର ନିର୍ମାଣ କରୁଛନ୍ତି ।
ଗଜପତି ଜିଲ୍ଲା ଛେଳିଗଡ଼ ଗାଁରେ ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ବୃହତ ଜଳ ସେଚନ ପ୍ରକଳ୍ପ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ, ଗଜପତି ଜିଲ୍ଲାର ୧ ହଜାର ହେକ୍ଟର, ଗଞ୍ଜାମ ଜିଲ୍ଲାର ୫ ହଜାର ହେକ୍ଟର ଜମି ଜଳ ସେଚିତ ହେବା ସହ ତିନୋଟି ଟନେଲରୁ ୩୬ ମେଗା ୱାଟ ବିଦ୍ୟୁତ ଉତ୍ପାଦନ ହୋଇପାରିବ ଲକ୍ଷ୍ୟ ରଖାଯାଇଛି। ଏଥିସହ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରକୁ ଏକ କ୍ୟୁବିଏକ୍ସ ପାନୀୟ ଜଳ ଯୋଗାଣ ହୋଇ ପାରିବ। ଜଳ ପ୍ରକଳ୍ପ ହେବା ପରେ ଛେଳିଗଡ଼ ଓ ମହେନ୍ଦ୍ରଗଡ଼ ଅଂଚଳର ୫୭୪ ହେକ୍ଟର ଜଳମଗ୍ନ ହେବାକୁ ଥିବା ବେଳେ ଛେଳିଗଡ ନିକଟବର୍ତ୍ତୀ ୫ ଗୋଟି ଗାଁକୁ ବୁଡି ଅଂଚଳ ଭାବେ ଘୋଷଣା କରାଯାଇଛି। ତିଳିଗାଁ, ବିଦ୍ୟାଧରପୁର,ସୁଗୁବା, କାକାଲି,ଚଡିଆପଦା ଏହିସବୁ ଗାଁର ସମୁଦାୟ ୩୩୮ ପରିବାରଙ୍କୁ ବିସ୍ଥାପିତ ପାଇଁ  ଅନ୍ୟତ୍ର ଥଇଥାନ ପାଇଁ ଜମି ଅଧିଗ୍ରହଣ କାମ ଚାଲିଥିବା ବେଳେ ସୁଗୁଵା ଗାଁରୁ ୧୦୫ ପରିବାରଙ୍କୁ ବିସ୍ଥାପିତ କରି  ଗଡସମନ୍ତରାପୁର ମୈଜାର ୨୭୪ ଏକର ଜମିରେ ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇଛି। ସେହିପରି କାକିଲି ଗାଁର ୬୮ ପରିବାରଙ୍କୁ ବାବୁଲିବନ୍ଧ ମୈଜାର ୧୦୧ ଏକର ଜମିରେ ଥଇଥାନ ପାଇଁ ଜମି ଅଧିଗ୍ରହଣ ପରେ କଲୋନୀ ନିର୍ମାଣ କାମ ଶେଷ ହୋଇଛି। ଅନ୍ୟ ଗାଁ ଗୁଡିକ ଅର୍ଥାତ ତିଳିଗାଁର ୭୫ ପରିବାରଙ୍କୁ ବାଲିପାଟ ମୈଜାରେ ୧୫୧ ଏକର, ଚଡିଆପଦା ଗାଁର ୩୫ ପରିବାରଙ୍କୁ ଚାକୁଣ୍ଡାପଲ୍ଲୀ ଗାଁ ମୈଜାର ୭୫ ଏକର ଜମିରେ ଥଇଥାନ ପ୍ରକ୍ରିୟା ଚାଲିଛି । ଦୀର୍ଘ ବର୍ଷ ଧରି ବିବାଦୀୟ ପରିସ୍ଥିତିରେ ଥିବା ବିଧ୍ୟାଧରପୁର ଗାଁର ୫୫ ପରିବାରକୁ ବହୁତ କଷ୍ଟରେ ବୁଝାସୁଝା କରି ପି.ସଇଲାଙ୍ଗ ମୈଜାର ଏକ ପାହାଡ ଉପରେ ଥିବା ୧୦ ଏକର ଜମିକୁ ସମତଳ କରାଯାଇ ଥଇଥାନ ପାଇଁ ପ୍ରକ୍ରିୟା ଚାଲିଛି। ଜମି ଅଧିଗ୍ରହଣ କାମ ଓ ବିସ୍ଥାପିତ ପରିବାରଙ୍କୁ ରାସ୍ତା, ପିଇବାପାଣି, ପୋଖରୀ କାମ ପାଇଁ ସାଢେ ତିନିକୋଟି ବ୍ୟୟ ମଞ୍ଜୁର ହୋଇଛି ଯାହା ବର୍ତ୍ତମାନ ନିର୍ମାଣାଧୀନ ଅବସ୍ଥାରେ ଅଛି। ଏବେ ମଧ୍ୟ ଅଧିକାଂଶ ପରିବାର ମିଳୁଥିବା କ୍ଷତିପୂରଣ ରାଶିରେ ସନ୍ତୁଷ୍ଟ ନଥିବା ବେଳେ କ୍ଷତିପୂରଣ ରାଶିକୁ ବୃଦ୍ଧି କରିବା ସହ ଚାଷ ଜମି ଓ ଆନୁସଙ୍ଗିକ ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି ବିଦ୍ୟାଧରପୁର ଗ୍ରାମବାସୀ ।
ବିଦ୍ୟାଧରପୁର ଗ୍ରାମରେ ୬୦ବର୍ଷ ହେବ ଆଦିବାସୀ ମାନେ ଚାଷ ବାସ କରି ଚଳିଆସୁଥିବା ବେଳେ ଗ୍ରାମ ଚାଷ ଜମି ବ୍ୟତିତ ସଂପୁର୍ଣ୍ଣ ଗାଁଟି ଜଳମଗ୍ନ ହେବାକୁ ଯାଉଛି। ଗ୍ରାମବାସୀଙ୍କ ବସବାସ ପାଇଁ ସଇଲଙ୍ଗ ଗାଁ ପାହାଡ ଉପରେ ନିର୍ମାଣ ଚାଲିଛି ବିଦ୍ୟାଧରପୁର କଲୋନୀ। ହେଲେ ଚାଷ ଜମି ବାବଦରେ ଉପଯୁକ୍ତ କ୍ଷତିପୁରଣ ମିଳୁନଥିବା ଯୋଗୁଁ ଗ୍ରାମର ଅଧିକାଂଶ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଆଦିବାସୀଙ୍କ ଜୀବନ ଜୀବିକା ପାଇଁ ଜମି ନିହାତି ଆବଶ୍ୟକ ହୋଇଥିବା ବେଳେ ଜମି ଦିଆନଯାଇ ଏକର ପିଛା ୮୫,୦୦୦ ଟଙ୍କା ସରକାରୀ ଧାର୍ଯ୍ୟ ମୁତାବକ ଅନକମ୍ପା ସହାୟତା ରାଶି ଦିଆଯାଉଛି । ପ୍ରତି ବିସ୍ଥାପିତ ପରିବାର ପିଛା ୫ଏକର ଜମି ଘର ବାବଦରେ ପ୍ରାୟ ୮ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ପ୍ରଶାସନ ଖର୍ଚ୍ଚ କରୁଛନ୍ତି।
ଏହି ପ୍ରକଳ୍ପଟିକୁ ପ୍ରଥମେ ଗତ ୧୯୮୫ ମସିହାରେ ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ସର୍ଭେ କରି ନକ୍ସା ତିଆରି କରାଯାଇଥିଲା। ୧୯୮୯ ମସିହାରେ ପ୍ରକଳ୍ପ ଆରମ୍ଭରେ ୫୭ କୋଟି ମଞ୍ଜୁର ହୋଇଥିଲା। ବିସ୍ଥାପିତଙ୍କ ଥଇଥାନ କାମ ଆଗେଇ ପାରୁନଥିବା ହେତୁ କ୍ରମେ କ୍ରମେ ୨୦୦୫ ମସିହରେ ଏହାର ବ୍ୟୟ ଅଟକଳ ବଢି ୨ ଶହ କୋଟି ଓ ଗତ ୨୦୧୮-୧୯ ଏହାର ବ୍ୟୟ ଅଟକଳ ୭୦୮ କୋଟି ଟଙ୍କାରେ ପହଂଚିଛି । ଆଗକୁ ଏହା ୧ ହଜାର କୋଟିରେ ପହଂଚିବାର ଆଶଙ୍କା କରାଯାଉଛି। ହେଲେ, ଯେତେବେଳେ ବୁଡି ଅଂଚଳ ଗ୍ରାମବାସୀଙ୍କୁ କ୍ଷତିପୂରଣ ଦେବା ଓ ବୁଝା ସୁଝା କରି ବିସ୍ଥାପିତ କରିବା ପାଇଁ ତିନି ଦଶନ୍ଧି ସମୟ ବିତି ଗଲାଣି,  ଆଉ କେତେ ବର୍ଷ ଲାଗିବ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ତାହା ସାଧାରଣରେ ପ୍ର୍ରଶ୍ନବାଚି ସୃଷ୍ଟି କରିଛି ? ଏନେଇ ଜଳ ସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ନଗେନ୍ଦ୍ର ନାଥ ମହାରଣାଙ୍କୁ ପଚାରିବାରେ  ବିସ୍ଥାପିତ ପାଇଁ ଜମି ଅଧିଗ୍ରହଣ ସହ ଗାଁକୁ ରାସ୍ତା, ପାନୀୟ ଜଳ,  ବିଦ୍ୟୁତ ସହ କାମ ଅତ୍ୟାଧୁନିକ ଶୈଳୀରେ ଜୋର ସୋରରେ ଚାଲିଛି। ପ୍ରକଳ୍ପ ପାଇଁ ଟେଣ୍ଡର କାମ ସରିଛି ଖୁବ ଶୀଘ୍ର କାମ ଆରମ୍ଭ ହେବ ବୋଲି କହିଛନ୍ତି ।

Comments are closed.