‘ଓଡ଼ିଶାର ଭବିଷ୍ୟତର ଉଦ୍ୟୋଗୀ’ ଲୋକର୍ପିତ

ଭୁବନେଶ୍ୱର : ମହିଳା ବାଣିଜ୍ୟ ମେଳାର ଆଶାତୀତ ସଫଳତା ପରେ, ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ମହିଳା ଉଦ୍ୟୋଗୀ ସଂଗଠନ ଓ ଲିଟିଲ ରିଡ଼ର୍ କ୍ଲବ୍ର ପ୍ରତିଷ୍ଠାତା କପିଳା ନାଗପାଳ ପ୍ରତ୍ୟେକ ଯୁବ ଉଦ୍ୟୋଗୀ ମାନଙ୍କ ପ୍ରତିଷ୍ଠା ନିମନ୍ତେ ସହଯୋଗର ହାତ ବଢାଇଛନ୍ତି। ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶିକ୍ଷକ,ହାପିନେସ୍ କୋଚ ଓ ଆନ୍ତର୍ଜାତୀୟ କଥାକାର ତଥା ଲିଟିଲ୍ ରିଡ଼ର୍ କ୍ଲବ୍ର ପ୍ରତିଷ୍ଠାତା କପିଳା ନାଗପାଲ ଯୁବ ଉଦ୍ୟୋଗୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ଦଶଦିନିଆ ବ୍ୟାପୀ କର୍ମଶାଳା “ଓଡ଼ିଶାର ଭବିଷ୍ୟତର ଉଦ୍ୟୋଗୀ” ଲୋକର୍ପିତ ହୋଇଛି। ଏଥିରେ ୧୨ ବର୍ଷରୁ ଅଧିକ ବୟସ୍କ ଯୁବ ଉଦ୍ୟୋଗୀମାନଙ୍କ ପ୍ରସ୍ତୁତି ନିମନ୍ତେ ସହଯୋଗ କରାଯିବ। ଉକ୍ତ କାର୍ଯ୍ୟକ୍ରମରେ ଆଇ.ସି.ସି ଓଡ଼ିଶା ଷ୍ଟେଟ କାଉନ୍ସିଲ୍ର ସହ ଅଧ୍ୟକ୍ଷ ଏମ୍.କେ ଗୁପ୍ତା, କୋର୍ ମେମ୍ବର ସ୍ୱାତୀ କେଜରିୱାଲ, ଆଇ.ଡ଼ବ୍ଲୁ.ଇସି ସହ ଅଧ୍ୟକ୍ଷା ସୁକୀର୍ତ୍ତୀ ପଟ୍ଟନାୟକ, ଓଲିଉଡ଼୍ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ସମେତ କପିଳା ନାଗପାଳ ଓ ଆଇ.ସି.ସି କାର୍ଯ୍ୟକର୍ତ୍ତା ପ୍ରଦୀପ କୁମାର ନାୟକ ଉପସ୍ଥିତ ଥିଲେ। ଯୁବ ମସ୍ତିଷ୍କ ମାନଙ୍କୁ ନିଜର ଅର୍ନ୍ତନିହିତ ପ୍ରତିଭାକୁ ଚିହ୍ନି ତାକୁ ଉଦ୍ୟୋଗ କ୍ଷେତ୍ରରେ ଉପଯୁକ୍ତ ଭାବେ ବ୍ୟବହାର କରିବା ନିମନ୍ତେ ଶିକ୍ଷା ଦେବା ହିଁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଏହି କର୍ମଶାଳାରେ ନାନା ଉଦ୍ୟୋଗୀ ସମ୍ବନ୍ଧିତ ଦକ୍ଷତା ସହ ମାର୍କେଟିଂ, ସେଲ୍ସ, ମାନବ ସମ୍ବଳ, ଉପସ୍ଥାପନା ତଥା ଛୋଟ ଛୋଟ ପ୍ରକଳ୍ପ କାର୍ଯ୍ୟ ଆଦି ଶିକ୍ଷା ଦିଆଯିବ। ପ୍ରତିଯୋଗୀମାନେ ଏକ ପାଞ୍ଚ ଦିନିଆ ଇଣ୍ଟର୍ନସିପ୍ ମାଧ୍ୟମରେ ପାଞ୍ଚଟି ଥିଓରୀ ଓ ପାୱାରପଏଣ୍ଟ ଆଦି ବିଷୟରେ ଶିକ୍ଷା ପ୍ରାପ୍ତ କରିବା ସହ କର୍ମଶାଳା ଶେଷରେ ସାର୍ଟିଫିକେଟ ପାଇବେ। ଏହି କର୍ମଶାଳା ଗୁଡ଼ିକ, ସତ୍ୟ ନଗର ଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଲିଟଲ୍ ରିଡ଼ର୍ କ୍ଲବ୍ ଛାତ୍ର ଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ଏକ ଉତ୍ତମ ପ୍ଲାଟଫର୍ମ ଯୋଗାଇବାରେ ସହାୟକ ହେବ। ଏହି ପ୍ରତିଷ୍ଠାନ ଭାଷା ଓ ଦକ୍ଷତା, ଉପସ୍ଥାପନା ଦକ୍ଷତା ତଥା କଳାତ୍ମକ ଲେଖା ଶୈଳୀ ଉପରେ ବିଶେଷ ଭାବେ ଧ୍ୟାନ କେନ୍ଦ୍ରିତ କରେ।

Comments are closed.