’ଫନୀ’ ସତର୍କ ସୂଚନା ଜାରୀ : ୪ ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର  :  ଭାରତ-ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ’ଫନୀ’ ଓଡ଼ିଶା ମୁହାଁ ହୋଇଛି । ମଙ୍ଗଳବାର ସୁଦ୍ଧା ଏହା ଏକ ଭୟଙ୍କର ଝଡ଼ରେ ପରିଣତ ହେବା । ପରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଆସନ୍ତା ବୁଧବାର ସୁଦ୍ଧା ଗତିପଥ ପରିବର୍ତ୍ତନ କରି ଉତ୍ତର-ପୂର୍ବ ଦିଗକୁ ଗତି କରିବ ଓ ଅତି ଭୟଙ୍କର ଝଡ଼ର ରୂପ ନେବ। ଓଡ଼ିଶାରେ ଏହାର ପ୍ରଭାବ ନେଇ ଅନୁମାନ କରାଯାଉଛି। ତେବେ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକ ନିମନ୍ତେ ସତର୍କ ସୂଚନା ଜାରୀ କରାଯାଇଛି । ସ୍ଥିତିର ମୁକାବିଲା ପାଇଁ ପ୍ରାଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

’ଫନୀ’ର ମୁକାବିଲା ପାଇଁ ରାଜ୍ୟର ଚାରୋଟି ଜିଲ୍ଲା ଗଞ୍ଜାମ, କେନ୍ଦ୍ରାପଡା, ଖୋର୍ଦ୍ଧା ଓ ପୁରୀ ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଅଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ୪ଟି  ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।  ଏହି ସବୁ ଜିଲ୍ଲା ପ୍ରଶାସନ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ତେବେ ଗଞ୍ଜାମରେ ଆଗୁଆ ପଦକ୍ଷେପ ସ୍ବରୂପ ଅଙ୍ଗନବାଡି ଏବଂ ଆଶାକର୍ମୀଙ୍କ ସହାୟତାରେ ଜିଲ୍ଲାର ସମସ୍ତ ପ୍ରସୂତୀଙ୍କୁ ମଙ୍ଗଳବାର ଠାରୁ ମେଡିକାଲରେ ଭର୍ତି କରାଯିବ। ସମୁଦ୍ରକୂଳିଆ ଲୋକଙ୍କୁ ସଚେତନ କରାଯିବା ସହିତ ସମୁଦ୍ରରେ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ନିରାପଦ ପକ୍କାଘର ଓ ବାତ୍ୟା ଆଶ୍ରୟସ୍ଥଳ ଚିହ୍ନଟ କରାଯାଇଛି । ଅତ୍ୟାବଶ୍ୟକ ଔଷଧ, ଖାଦ୍ୟ ଓ ପାନୀୟର ବନ୍ଦୋବସ୍ତ ହେଉଛି ବୋଲି ସେ ସୂଚନା ଦେଇଛନ୍ତି।

Comments are closed.