ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ କର୍କଟ ପୀଡ଼ିତଙ୍କୁ ଉତ୍କୃଷ୍ଟ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ପାଣ୍ଠି ସଂଗ୍ରହ ଅଭିଯାନ

“ୟୁ ଆର ନଟ୍ ଏଲୋନ” ନାମରେ ନିଆରା ପ୍ରୟାସ

ଭୁବନେଶ୍ୱର: ଦେଶର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ରେଡ଼୍ ସ୍ୱସ୍ତିକ ସୋସାଇଟି, ଓଡ଼ିଶା ଶାଖା ଓ ସିମ୍ପଲିକେୟାର କ୍ଳିନିକ୍ର ମିଳିତ ସହଯୋଗରେ କର୍କଟ ପୀଡ଼ିତଙ୍କ ଚିକିତ୍ସା ନିମନ୍ତେ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ରେଡ଼୍ ସ୍ୱସ୍ତିକ ଓଡ଼ିଶା ଶାଖା କାର୍ଯାଳୟରେ ଅନୁଷ୍ଠିତ ହୋଇଯାଇଛି। ରେଡ଼୍ ସ୍ୱସ୍ତିକ ଓଡ଼ିଶା ଶାଖା ସଭାପତି ବିଜୟ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଯୋଗଦାନ କରି ଅନୁଷ୍ଠାନର ବହୁବିଧ କଲ୍ୟାଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ପୂର୍ବତନ ଆୟକର ସଚିବ ଶରତ କୁମାର ଦାସ ଉପସ୍ଥିତ ରହିବା ସହ ସ୍ୱତନ୍ତ୍ର ଅତିଥି ଭାବରେ ପୂର୍ବତନ କର୍ପୋରେଟର ମାନସୀ ସୁନ୍ଦରାୟ ଓ ସୁରଜିତ୍ ସ୍ୱାଇଁ ଯୋଗ ଦେଇଥିଲେ। ରେଡ଼୍ ସ୍ୱସ୍ତିକ ସୋସାଇଟି ଦୀର୍ଘ ୧୯ ବର୍ଷ ଧରି କର୍କଟ ପୀଡ଼ିତ ଓ ଭିନ୍ନକ୍ଷମ ମାନଙ୍କ ବହୁବିଧ କଲ୍ୟାଣ ନିମନ୍ତେ କାର୍ଯ୍ୟକରିଆସୁଛି। ଏହାସହିତ ଆଗାମୀ ଦିନରେ ଏହି ପ୍ରୟାସ ଜାରି ରହିବା ସହ କର୍କଟ ପୀଡ଼ିତଙ୍କ ଦ୍ୱାରା ଦେଶରେ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ଯୋଗାଇବା ନିମନ୍ତେ ଏକ ମୋବାଇଲ ଭ୍ୟାନର ବ୍ୟବସ୍ଥା କରାଯିବା ନେଇ ଅନୁଷ୍ଠାନର ସଭାପତି ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଥିଲେ।

“ୟୁ ଆର ନଟ୍ ଏଲୋନ” ନାମରେ ନିଆରା ପ୍ରୟାସ ମାଧ୍ୟମରେ ଦାତବ୍ୟ ଭାବରେ ସଂଗୃହୀତ ଅର୍ଥକୁ ପୀଡ଼ିତଙ୍କୁ ଚିହ୍ନଟ ଓ ତାଙ୍କ ପାଖରେ ପହଞ୍ଚାଇବା ନିମନ୍ତେ ଏକ ସ୍ୱତନ୍ତ୍ର ଜୁରୀ କମିଟି ଗଠନ କରାଯାଇଛି। ଏହି କମିଟିର ସଦସ୍ୟ ଭାବରେ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ, ପଦ୍ମଶ୍ରୀ ଦିଲ୍ଲିପ ତିର୍କୀ, ଚାଟାର୍ଟ ଆକାଉଣ୍ଟାଣ୍ଟ ଏସ୍.ସି. ଭଦ୍ରା, ଅଙ୍କୋଲୋଜିଷ୍ଟ ଡା ଚିନ୍ମୟ ପାଣି, ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ସ୍ମରଜିତ୍ ପଟ୍ଟନାୟକ, ବିଜୟ ଆଚାର୍ଯ୍ୟ, ଦେବାଶିଷ ପଟ୍ଟନାୟକ ପ୍ରମୁଖ ସଦସ୍ୟ ଅଛନ୍ତି। ଏହି କାର୍ଯ୍ୟକ୍ରମକୁ ରେଡ଼୍ ସ୍ୱସ୍ତିକର ସମ୍ପାଦକ ଓ କୋଷାଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଲାୟନ ମିନତି ବେହେରା କ୍ୟାନ୍ସର ଫାଉଣ୍ଡେସନର ସମ୍ପାଦିକା ସୁଚିସ୍ମିତା ପୃଷ୍ଟି ଉପସ୍ଥିତ ଥିଲେ। ପରିଶେଷରେ ବିଭିନ୍ନ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Comments are closed.