ନିୟନ୍ତ୍ରଣ ବାହାରେ ତୈଳ ଦର, ୧୫ ଦିନରେ ପେଟ୍ରୋଲ ୮ ଟଙ୍କା ବଢ଼ିଲା

୯ ଟଙ୍କା ମହଙ୍ଗା ହୋଇ ରେକର୍ଡ ସ୍ତରରେ ଡିଜେଲ୍

ଭୁବନେଶ୍ବର : ଦିନକୁ ଦିନ ଲଗାମହୀନ ହେଉଛି ତେଲ ଦର । ଚଳିତମାସ ୭ରୁ ଦୈନିକ ତୈଳ ଦର ସଂଶୋଧନ ବ୍ୟବସ୍ଥା ପୁଣି ଥରେ ଆରମ୍ଭ ହେବା ପରେ ଦରବୃଦ୍ଧିରେ ଲାଗୁନି ଲଗାମ୍‌। ଏମିତି କ୍ରମାଗତ ଭାବେ ୧୫ ଦିନ ଧରି ଦେଶରେ ବଢ଼ିବାରେ ଲାଗିଛି ପେ​ଟ୍ରୋଲ ଏବଂ ଡିଜେଲ ଦର। ଲାଗୁଛି ​‌ଯେମିତି ତୈଳ ଦର ନିୟନ୍ତ୍ରଣ କରିବା କେନ୍ଦ୍ର ସରକାରଙ୍କ କ୍ଷମତା ବାହାରେ। ଏହି ୧୫ ଦିନ ମଧ୍ୟରେ ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ପାଖାପାଖି ୮ ଟଙ୍କା ଏବଂ ଡିଜେଲ ୯ ଟଙ୍କା ବୃଦ୍ଧି ଘଟିଲାଣି । ଏହା ଫଳରେ ଡିଜେଲ ଦର ନୂଆ ରେକର୍ଡ ସ୍ତରରେ ପହଞ୍ଚିଥିବାବେଳେ ପେଟ୍ରୋଲ ମୂଲ୍ୟ ଏବେ ଦୁଇ ବର୍ଷର ରେକର୍ଡ ସ୍ତର ଛୁଇଁଛି। ଶନିବାର ଭଳି ରବିବାର ନୂଆଦିଲ୍ଲୀଠାରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ବୃଦ୍ଧି ଘଟି ୭୯ ଟଙ୍କା ୨୩ ପଇସା ହୋଇଛି । ସେହିଭଳି ଡିଜେଲ ମୂଲ୍ୟରେ ଲିଟର ପିଛା ୬୦ ପଇସା ବୃଦ୍ଧି ହୋଇ ତାହା ୭୮ ଟଙ୍କା ୨୭ ପଇସା ଛୁଇଁଛି । ୧୫ ଦିନ ମଧ୍ୟରେ ଦେଶରେ ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୭ ଟଙ୍କା ୯୭ ପଇସା ଏବଂ ଡିଜେଲ ୮ ଟଙ୍କା ୮୮ ପଇସା ବୃଦ୍ଧି ହୋଇଛି । ବର୍ତ୍ତମାନ ତେଲର ଖୁଚୁରା ମୂଲ୍ୟ କ୍ଷେତ୍ରରେ ସରକାର କେବଳ ଦୁଇ ତୃତୀୟାଂଶ ଅର୍ଥ ଟିକସ ଆକାରରେ ନେଉଛନ୍ତି । ତେଲର ଲିଟର ପିଛା ୫୦ ଟଙ୍କା ୬୯ ପଇସା ଟିକସ ଅର୍ଥାତ୍‌ ପେଟ୍ରୋଲ କିମ୍ବା​‌ ଡିଜେଲ ମୂଲ୍ୟର ୬୪% ହେଉଛି ଟିକସ । ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏହି ପନ୍ଦର ଦିନରେ ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୭ ଟଙ୍କା ୭୮ ପଇସା ଏବଂ ଡିଜେଲ ୮ ଟଙ୍କା ୬୮ ପଇସା ବଢିଛି। ରବିବାର ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୩୫ ପଇସା ବୃଦ୍ଧି ଘଟି ୭୯ ଟଙ୍କା ୭୮ ପଇସା ଏବଂ ଡିଜେଲ ୫୯ ପଇସା ବଢ଼ି ଲିଟର ପିଛା ୭୬ ଟଙ୍କା ୪୬ ପଇସା ହୋଇଛି।

Comments are closed.