ଟିସୁ କଲଚରର ଅତ୍ୟାଧୁନିକ ଜ୍ଞାନ କୌଶଳ ଉପରେ ପ୍ରଶିକ୍ଷକମାନଙ୍କ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ସ୍ଥିତ ବିଜୁପଟ୍ଟନାୟକ କକ୍ଷରେ କୃଷି ମହାବିଦ୍ୟାଳୟର ପୁଷ୍ପ ଓ ଭୂପୃଷ୍ଠ ଦୃଶ୍ୟ ଉଦ୍ୟାନ ବିଭାଗର ତତ୍ତ୍ୱାବଧାନରେ ତଥା ଓଡିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସହାୟତା କ୍ରମେ ୨୩ ଫେବ୍ରୁଆରୀରୁ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ବରମୁଣ୍ଡା ସ୍ଥିତ ବାୟୋଟେକ୍ନୋଲୋଜି-କମ-ଟିସୁକଲଚର କେନ୍ଦ୍ରରେ ଚାଲିଥିବା ଟିସୁ କଲଚରର ଅତ୍ୟାଧୁନିକ ଜ୍ଞାନ କୌଶଳ ଉପରେ ପ୍ରଶିକ୍ଷକମାନଙ୍କର ତାଲିମ କାର୍ଯ୍ୟକ୍ରମ ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୁଷ୍ପ ଓ ଭୂପୃଷ୍ଠ ଦୃଶ୍ୟ ଉଦ୍ୟାନ ବିଭାଗର ବିଭାଗୀୟ ମୁଖ୍ୟ ତଥା କାର୍ଯ୍ୟକ୍ରମର ନୋଡାଲ ଅଫିସର ଓ କୋର୍ସ କୋର୍ଡିନେଟର ଡକ୍ଟର ଶଶୀକଳା ବେଉରାଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ନିୟମିତ ଓ ଶୃଙ୍ଖଳାବଦ୍ଧ ଭାବେ ଦୀର୍ଘ ୨୧ ଦିନ ଧରି ଚାଲୁ ରହିଥିଲା ଏବଂ କୋଭିଡ-୧୯ର ସମସ୍ତ ନିୟମକୁ କଡା଼କଡ଼ି ଭାବେ ପାଳନ କରାଯାଇଥିଲା।

ବନ୍ଦେ ଉତ୍କଳ ଜନନୀ ଗାନ ପରେପରେ ଡକ୍ଟର ବେଉରା ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।କୃଷିମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡକ୍ଟର କୁମ୍ଭକର୍ଣ୍ଣ ରାଉତ କାର୍ଯ୍ୟକ୍ରମଟିର ବିଷଦ ବିବରଣୀ ପାଠ କରିବା ସହ ବାୟୋଟେକ୍ନୋଲୋଜି-କମ-ଟିସ୍ୟୁକଲଚର ସେଣ୍ଟରର କୃଷି ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ତଥା ଏହାର ଅଭୂତପୂର୍ବ ସଫଳତା ଉପରେ ଗଭୀର ଆଲୋକପାତ କରିଥିଲେ। ୨୦୦୯ରେ ସ୍ଥାପିତ ଏହି ଟିସୁ କଲଚର ଲାବଟି ବର୍ତ୍ତମାନ ସୁଦ୍ଧା କଦଳୀ, ଆଖୁଠୁଁ ଆରଂଭ କରି ଜର୍ବେରା, ଆନ୍ଥୁରିୟମ, ଅର୍କିଡ ପର୍ଯ୍ୟନ୍ତ ଫୁଲଗଛରେ ୧୮ ଲକ୍ଷ ଉନ୍ନତମାନର ଚାରା ପ୍ରସ୍ତୁତ କରି କୃଷକମାନଙ୍କୁ ବିଶେଷ ଲାଭବାନ କରିବାରେ ସମର୍ଥ ହେବା ଖୁବ ଗର୍ବ ଓ ଗୌରବର ବିଷୟ ବୋଲି ଅଧ୍ୟକ୍ଷ ମତବ୍ୟକ୍ତ କରିଥିଲେ।

ଏତଦଵ୍ୟତୀତ ଆମ୍ବ, କଦଳୀ, ପିଜୁଳିର ଭିନ୍ନଭିନ୍ନ କିସମରେ ଡି.ଏନ.ଏ ଫିଙ୍ଗର ପ୍ରିଣ୍ଟିଂ ପରୀକ୍ଷାଗାରରେ ମଧ୍ୟ ମୋଲେକୁଲାର ସ୍ତରରେ ଅନେକ କାମ କରାଯିବା ସହ ଉକ୍ତ ବି.ଟି.ସି.ସି ଲାଵ ବିଶ୍ୱବିଦ୍ୟାଳୟର ସ୍ନାତକ, ସ୍ନାତକୋତ୍ତର ଓ ପିଏଚଡି ଛାତ୍ରଛାତ୍ରୀମାନଙ୍କର ଉପଯୁକ୍ତ ଶିକ୍ଷା ଓ ଗବେଷଣା ପାଇଁ ବିଶେଷ ଭାବେ ସହାୟକ ହୋଇପାରିଛି। ଏପରିକି ଓୟୁଏଟି ବାହାରୁ ମଧ୍ୟ ଉତ୍କଳ ବିଶ୍ଵବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଆମିଟି ୟୁନିଭରସିଟି, ନୂଆଦିଲ୍ଲୀ, ଏସଆରଏମ, ଏମଜିଆର, ଭାରତ ୟୁନିଭରସିଟି, ଚେନ୍ନାଇର ଗବେଷଣାରତ ଛାତ୍ରଛାତ୍ରୀମାନେ ମଧ୍ୟ ନିଜର ଗବେଷଣା ନିମନ୍ତେ ଏହି ଲାବର ସହାୟତା ଆବଶ୍ୟକ କରୁଛନ୍ତି।

ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟରୁ ୨୦ ଜଣ ଗବେଷକ, ପ୍ରଫେସର, ବୈଜ୍ଞାନିକମାନେ ଟିସୁ କଲଚର ବିଦ୍ୟାର ବିବିଧ କୌଶଳ ସଂପର୍କରେ ଉପଯୁକ୍ତ ପ୍ରଶିକ୍ଷଣ ନେବା ପାଇଁ ଯୋଗଦେଇଥିଲେ ଏବଂ ସେମାନଙ୍କୁ ଟିସୁ କଲଚରର ବିଭିନ୍ନ ବିଦ୍ୟା ମାଇକ୍ରୋପ୍ରୋପାଗେସନ, ସୋମାକ୍ଲୋନାଲ ଭେରୀଏସନ, ଆନଥର କଲଚର, ହାପଲୋଏଡ ପ୍ରଡକସନ, କ୍ରାଇଓପ୍ରିଜରଭେସନ ସମ୍ପର୍କରେ ତାଲିମ ପ୍ରଦାନ କରିବା ନିମନ୍ତେ ଓୟୁଏଟି ଓ ଓୟୁଏଟି ବାହାରୁ ଡକ୍ଟର ଏଚ ଏସ ଚାଓଲା, ପୂର୍ବତନ ଡିନ, ପି.ଜି.ଏସ, ଗୋଭିନ୍ଦ ବଲ୍ଲଭପଂଥ ବିଶ୍ୱବିଦ୍ୟାଳୟ, ପନ୍ଥନଗର, ଡକ୍ଟର ଭି ଚିନୁସ୍ୱାମୀ, ଆଇ. ଏ.ଆର.ଆଇ, ନୂଆ ଦିଲ୍ଲୀ, ଡକ୍ଟର ଭି କେ ଖାନ୍ନା, ପ୍ରାକ୍ତନ ଡିନ, ପି.ଜି.ଏସ, କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ, ମେଘାଳୟଙ୍କ ସମେତ ଓୟୁଏଟି, ଚେସ, ଏ.ଆଇ. ସିଆରପିର ଦକ୍ଷ ବୈଜ୍ଞାନିକ ଓ ପ୍ରଫେସରମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ଯାହା ଏହି କାର୍ଯ୍ୟକ୍ରମର ମହତ ଉଦ୍ଦେଶ୍ୟକୁ ସାର୍ଥକ କରିପାରିଛି ବୋଲି କାର୍ଯ୍ୟକ୍ରମର ମୁଖ୍ୟ ଡକ୍ଟର ଶଶୀକଳା ବେଉରା ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମରେ ଅଶୋକ କୁମାର ପଣ୍ଡା, ମାନ୍ୟବର ମନ୍ତ୍ରୀ, ବିଜ୍ଞାନ ଓ ବୈଷୟିକ ବିଭାଗ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ସେ ଓୟୁଏଟିର ପୂର୍ବତନ ଛାତ୍ର ରୂପେ ବେଶ ଗର୍ବ ଅନୁଭବ କରନ୍ତି ବୋଲି ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ। ସମ୍ପ୍ରତି ଜଳବାୟୁର ସ୍ଥିତି ଓ ଓଡ଼ିଶାର ଅବସ୍ଥିତିକୁ ନଜରରେ ରଖି କୃଷିକ୍ଷେତ୍ରରେ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ବିବିଧତା ଆଣିବା ଆବଶ୍ୟକ ବୋଲି ସେ ନିଜର ଅଭିମତ ପ୍ରକାଶ କରିଥିଲେ ଏବଂ ଏହା କୃଷକର ଆୟ ବୃଦ୍ଧିରେ ମଧ୍ୟ ସହାୟକ ହେବ ବୋଲି ଆଶା ପୋଷଣ କରିଥିଲେ। ଏହା ସହିତ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ କିପରି ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ବିଜ୍ଞାନ ସମ୍ବନ୍ଧୀୟ ବୈଷୟିକ ଓ ଗବେଷଣlରତ ଅନୁଷ୍ଠାନଗୁଡ଼ିକ ସହ ସୁସଂପର୍କ ସ୍ଥାପନ କରି ବିଭିନ୍ନ ତାଲିମ୍ କାର୍ଯ୍ୟକ୍ରମ ଆୟୋଜନ କରି ଉଭୟ ଛାତ୍ର ଶିକ୍ଷକମାନଙ୍କର ଜ୍ଞାନର ସ୍ତର ବୃଦ୍ଧି କରିବା ଦିଗରେ ବିଶେଷ ଭୂମିକା ବହନ କରୁଛି।

ରାଜ୍ୟରେ ବିଜ୍ଞାନ ସମ୍ବନ୍ଧିତ ଜ୍ଞାନ ଓ କୌଶଳର ସମ୍ପ୍ରସାରଣ କ୍ଷେତ୍ରରେ ମଧ୍ୟ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗର ଭୂମିକା ଅନସ୍ବୀକାର୍ଯ୍ୟ।ପରିଶେଷରେ ମାନ୍ୟବର ମନ୍ତ୍ରୀ ମହୋଦୟ ଉକ୍ତ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ ଏବଂ ଏପରି କାର୍ଯ୍ୟକ୍ରମ ଦେଶର ଶିକ୍ଷା ଓ କୃଷି ଉଭୟର ଅଗ୍ରଗତି ଦିଗରେ ବିଶେଷ ସହାୟକ ହେବ ବୋଲି ଆଶା ପୋଷଣ କରିଥିଲେ।

କାର୍ଯ୍ୟକ୍ରମରେ ଡକ୍ଟର ପବନ କୁମାର ଅଗ୍ରୱାଲ, କୁଳପତି, ଓୟୁଏଟି ସଭାପତିତ୍ୱ କରିଥିଲେ। ଡକ୍ଟର ପବନ କୁମାର ଅଗ୍ରୱାଲ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ପୂର୍ବରୁ ଓଡିଶାରେ ଖାଦ୍ୟାଭାଵ ସମସ୍ୟା ଏକ ଉତ୍କଟ ସମସ୍ୟା ରୂପେ ପରିଗଣିତ ହେଉଥିଲା।କିନ୍ତୁ ୧୯୬୨ ମସିହାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ସ୍ଥାପିତ ହେବା ପରେପରେ ଉକ୍ତ ସମସ୍ୟା ବହୁମାତ୍ରାରେ ଦୂରୀଭୂତ ହେବା ସହ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡିଶା ଅଗ୍ରୀମ ଭୂମିକାରେ ଅବତୀର୍ଣ୍ଣ ହୋଇଛି। ଆଧୁନିକ ସମୟକୁ ତାଳ ଦେଇ ଉତ୍ପାଦନ କ୍ଷେତ୍ରରେ ଏହି ମାନକୁ ଆଗାମୀ ଦିନରେ ବଜାୟ ରଖିବାକୁ ହେଲେ କୃଷି ବିଜ୍ଞାନ ସହ ଟିସୁ କଲଚର ଓ ଜିନୋମ ଏଡିଟିଙ୍ଗର ବିଭିନ୍ନ ଉନ୍ନତ ଦିଗ ଓ ବିଦ୍ୟା ସବୁକୁ ସଂଯୋଜିତ କରାଯିବା ଆବଶ୍ୟକ। ଏ କ୍ଷେତ୍ରରେ ବରମୁଣ୍ଡା ସ୍ଥିତ ବାୟୋଟେକ୍ନୋଲୋଜି-କମ-ଟିସୁକଲଚର ସେଣ୍ଟରର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଛି। ଖୁବ ସ୍ୱଳ୍ପ ସମୟର ଅବଧି ଭିତରେ ଏହି ପରୀକ୍ଷାଗାରରୁ ଭିନ୍ନଭିନ୍ନ ଶସ୍ୟର ଲକ୍ଷାଧିକ ଉନ୍ନତମାନର ଚାରା ପ୍ରସ୍ତୁତ କରାଯାଇପାରୁଛି ଯାହା କୃଷକ ମାନଙ୍କୁ ଅଧିକ ଉତ୍ପାଦନକ୍ଷମ, ଅମଳକ୍ଷମ ଓ ଲାଭବାନ କରାଇପାରୁଛି। ବାୟୋଟେକ୍ନୋଲୋଜି-କମ-ଟିସୁକଲଚର ସେଣ୍ଟରର ଏତାଦୃଶ ସଫଳତାରେ କୁଳପତି ମହୋଦୟ ଅତ୍ୟନ୍ତ ଖୁସି ହେବା ସହ ଏଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ।

Comments are closed.