ଆଜିଠୁ ବିଧାନସଭା ବଜେଟ ଅଧିବେଶନ, ରହିବ ପ୍ରଶ୍ନକାଳ ଓ ଶୂନ୍ୟକାଳ

ଭୁବନେଶ୍ବର: ବିଧାନସଭାର ବଜେଟ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଗୃହରେ ଏଥର ପ୍ରଶ୍ନକାଳ ଏବଂ ଶୂନ୍ୟକାଳ ରହିବ। ସଦସ୍ୟଙ୍କର ତାରକା ଚିହ୍ନିତ ଏବଂ ଅଣତାରକା ଚିହ୍ନିତ ପ୍ରଶ୍ନ ଗୁଡ଼ିକର ଉତ୍ତର ଦିଆଯିବ। ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରାଯିବ। ରବିବାରକୁ ଛାଡ଼ି ଶନିବାର ଓ ସମସ୍ତ ସରକାରୀ କାର୍ୟ୍ୟ ଦିବସରେ ଅଧିବେଶନ ବସିବ। ଏଥର ବିଧାନସଭା ଦୈନିକ ୫ ଘଣ୍ଟା ଏବଂ ବିଶେଷ ଆଲୋଚନା ଥିବା ନିର୍ଦ୍ଧାରିତ ଦିନରେ ୬ ଘଣ୍ଟା ଚାଲିବ। ଗଣମାଧ୍ୟମ ପ୍ରତିନିଧି ପ୍ରେସ ଗ୍ୟାଲେରୀକୁ ଯିବା ଉପରେ କଟକଣା କରାଯାଇଛି। ସେମାନେ ସମ୍ମିଳନୀ କକ୍ଷରେ ରହିବେ। ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗୃହରେ ଥିବା ପ୍ରେସ ଗ୍ୟାଲେରିକୁ ଛାଡିବା ପାଇଁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦାବି କରିଥିଲେ ମଧ୍ୟ ବାଚସ୍ପତି ଏହାକୁ ଗ୍ରହଣ କରିନାହାନ୍ତି।

କରୋନା କଟକଣା ଭିତରେ ଅଧିବେଶନ ବସୁଥିବା ଦୃଷ୍ଟିରୁ ମନ୍ତ୍ରୀ ବିଧାୟକ, ବିଧାନସଭା କର୍ମଚାରୀ, ବିଧାନସଭା ଆସିବାକୁ ଥିବା ସରକାରୀ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ କୋଭିଡ ପରୀକ୍ଷା କରାଯାଇଛି। ଅଧିବେଶନ ସୁରୁଖୁରୁରେ ଚାଲିବା ନେଇ ବାଚସ୍ପତି ସର୍ବଦଳୀୟ ବୈଠକରେ ସବୁ ଦଳର ସହଯୋଗ କାମନା କରିଛନ୍ତି। ବୈଠକର ନିଷ୍ପତ୍ତି ଅନୁଯାୟୀ କୌଣସି କାରଣରୁ ମୁଲତବୀ ପ୍ରସ୍ତାବର ଆଲୋଚନା ବାଧାପ୍ରାପ୍ତ ହେଲେ ତାହା ବାତିଲ କରାଯିବ। ଗୁରୁବାର ପୂର୍ବାହ୍ନ ୧୧ଟାରେ ଗୃହକାର୍ୟ୍ୟ ଆରମ୍ଭ ହେବ। ରାଜ୍ୟପାଳଙ୍କ ଅଭିଭାଷଣ, ଶୋକ ପ୍ରସ୍ତାବ, ଧନ୍ୟବାଦ ପ୍ରସ୍ତାବ ଏବଂ ଗୃହର ସମ୍ମତି ପାଇଥିବା ବିଧେୟକ ଗୁଡ଼ିକ ଉପସ୍ଥାପନ ପରେ ଗୃହ ସେହିଦିନ ପାଇଁ ମୁଲତବୀ ରହିବ।

ଅନ୍ୟ ଦିନ ଅଧିବେଶନ ପୂର୍ବାହ୍ନ ୧୦.୩୦ରୁ ଅପରାହ୍ଣ ୧.୩୦ ଏବଂ ଅପରାହ୍ଣ ୪ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଚାଲିବ। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ, ବ୍ୟୟମଞ୍ଜୁରି ବିଧେୟକ, ବଜେଟ ଉତ୍ତର, ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗ ଓ ରାଜସ୍ବ ବିଭାଗର ଖର୍ଚ୍ଚ ଦାବି ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ଦିନ ଗୃହ ଅପରାହ୍ଣ ୭ଟା ପର୍ୟ୍ୟନ୍ତ ଚାଲିବ। ବିରୋଧୀ ସଦସ୍ୟଙ୍କ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ୯୦ ମିନିଟ ସମୟ ଧାର୍ୟ୍ୟ କରାଯାଇଛି। ବିରୋଧୀ ସଦସ୍ୟ ୫୫ ମିନିଟ ଏବଂ ସରକାରୀ ଦଳ ସଦସ୍ୟ ଓ ମନ୍ତ୍ରୀଙ୍କ ଉତ୍ତର ପାଇଁ ୩୫ ମିନିଟ ସମୟସୀମା ରଖାଯାଇଛି।

ମନ୍ତ୍ରୀ ଓ ସଦସ୍ୟମାନେ ଛିଡା ହୋଇ କିମ୍ବା ବସି ଆଲୋଚନାରେ ଭାଗ ନେଇପାରିବେ। ଓକାକ, ଲୋକସେବା ଭବନର ଦ୍ବିତୀୟ ମହଲା ସମ୍ମିଳନୀ କକ୍ଷ, ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ୟ୍ୟାଳୟ ନବୀନ ନିବାସ, ବିରୋଧୀ ଦଳ ନେତା ଓ ବିଧାୟକଙ୍କ କାର୍ୟ୍ୟାଳୟ ଏବଂ ଜିଲାପାଳଙ୍କ କାର୍ୟ୍ୟାଳୟ ପ୍ରଭୃତିରୁ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନାରେ ଭାଗ ନେବାର ବ୍ୟବସ୍ଥା କରାଯାଇଛି।
ଚଳିତଥର ବିଧାନସଭା ଅଧିବେଶନକୁ ଇ-ବିଧାନସଭା କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। କେବଳ ସଂଶୋଧନ ବିଧେୟକ, ବଜେଟ ଦସ୍ତାବିଜ ଓ ମନ୍ତ୍ରୀଙ୍କ ଉତ୍ତର ବିବରଣୀ ଆକାରରେ ସଭ୍ୟମାନଙ୍କୁ ଯୋଗାଇ ଦିଆଯିବ। କାଗଜ ଆକାରରେ ଅନ୍ୟ ବିବରଣୀ ଗୃହରେ ପ୍ରଦାନ କରାଯିବ ନାହିଁ। ସର୍ବଦଳୀୟ ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଶରୀ ଆରୁଖ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀ, ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଯୋଗ ଦେଇଥିଲେ।

Comments are closed.