ଆମେରିକାର ଔଦ୍ଧତ୍ୟ

ଆମେରିକୀୟ ମିତ୍ରତାକୁ ଭାରତ ପରଖିବା ଆବଶ୍ୟକ

ସମଗ୍ର ବିଶ୍ବ ଏବେ କରୋନା ମହାମାରୀର ପ୍ରକୋପରେ ଜର୍ଜରିତ। ଦେଶ-ଦେଶ ମଧ୍ୟରେ ଟିକା ଯୋଗାଣ ଚାଲିଛି। ଏପଟେ ଭାରତର ତଥାକଥିତ ମିତ୍ର ବୋଲାଉଥିବା ଆମେରିକା ନିଜର ଅସଲ ଚେହେରା ଦେଖାଇଛି। ଭାରତୀୟ ନୌସେନାର ବିନାନୁମତିରେ ଆମେରିକୀୟ ନୌସେନା ସୀମା ଲଙ୍ଘି ନିଜ ଶକ୍ତି ପ୍ରଦର୍ଶନ କରିଛି। ଲାକ୍ଷାଦ୍ବୀପ ନିକଟସ୍ଥ ଭାରତୀୟ ସାମୁଦ୍ରିକ ସୀମା ଲଙ୍ଘନ କରି ଆମେରିକା ପ୍ରମାଣ କରିଛି ଯେ ତା’ ପାଇଁ ମିତ୍ରତା କେବଳ ପ୍ରହସନ ମାତ୍ର। ଚଳିତ ମାସ ୭ ତାରିଖରେ ଆମେରିକାର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ମାମଲାର ସ୍ବତନ୍ତ୍ର ରାଷ୍ଟ୍ରଦୂତ ଜନ୍‌ କ୍ୟାରୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ଏପଟେ ଆମେରିକାର ବିଶାଳ ଯୁଦ୍ଧ ପୋତ ‘ଜନ୍‌ ପଲ ଜୋନ୍ସ’ ବିନାନୁମତିରେ ଭାରତୀୟ ଜଳ ସୀମାରେ ପ୍ରବେଶ କରି ଧମକ ଦେଇ ଫେରି ଯାଇଛି। ଏନେଇ ଭାରତ ଆମେରିକୀୟ ବୈଦେଶିକ ମନ୍ତ୍ରଣାଳୟ ନିକଟରେ ଆପତ୍ତି କରିଥିଲା ା ତେବେ ଏହାକୁ ଭ୍ରୂକ୍ଷେପ ନକରି ଆମେରିକୀୟ ବୈଦେଶିକ ମନ୍ତ୍ରଣାଳୟ ମନ୍ତବ୍ୟ ଜାରି କରିଥିଲା ଯେ ‘ଆଗକୁ ଏପରି ଜାରି ରହିବ’। ଆମେରିକା ପରି ମିତ୍ର ରାଷ୍ଟ୍ର ନିକଟରୁ ଭାରତ ଏପରି ଆଶା କରି ନଥିଲା। ମିତ୍ରତା ନୁହେଁ; ସ୍ବାର୍ଥ ହିଁ ଆମେରିକାର ସବୁ କିଛି ବୋଲି ଏଥିରୁ ପ୍ରମାଣିତ ହୋଇଛି।

ମିଳିତ ଜାତିସଂଘ (ୟୁଏନ)ର ସାମୁଦ୍ରିକ ଆଇନ ଅନୁଯାୟୀ, ସମୁଦ୍ର ଉପକୂଳରୁ ୨୦୦ ନଟିକାଲ ମାଇଲ (୩୭୦ କି.ମି) ପର୍ଯ୍ୟନ୍ତ କୌଣସି ଦେଶର ‘ବିଶେଷ ଆର୍ଥିକ କ୍ଷେତ୍ର’ (ଇଇଜେଡ୍‌) ରହିବା କଥା। ତେଣୁ ଭାରତର ଇଇଜେଡ୍‌ ମଧ୍ୟରେ ପ୍ରବେଶ କରିବା ପୂର୍ବରୁ ଆମେରିକୀୟ ନୌସେନା ଅନୁମତି ନେବା କଥା। ଏପରି ନକରି ଆମେରିକୀୟ ନୌସେନା ଭାରତୀୟ ସାମୁଦ୍ରିକ ସୀମାର ୧୩୦ ନଟିକାଲ ମାଇଲ (୨୪୦) କି.ମି ମଧ୍ୟକୁ ପଶି ଆସିଥିଲା। ଜାଣିଶୁୁଣି ଏପରି କରିଥିବା ସ୍ବୟଂ ଆମେରିକା କହିଛି। ଏହା ‘ଫ୍ରିଡମ ଅଫ ନେଭିଗେସନ ଅପରେସନ’ ଥିଲା ବୋଲି ଆମେରିକା କହିଛି। ଯେଉଁ ଦେଶ ଜାତିସଂଘ ସ୍ଥିର କରିଥିବା ସାମୁଦ୍ରିକ ସୀମାକୁ ଭ୍ରୂକ୍ଷେପ କରି ଅଧିକ ଲମ୍ବା ସୀମା ରେଖା ଦାବି କରିଥା’ନ୍ତି ସେପରି ଦେଶ ବିରୋଧରେ ଆମେରିକା ଏପରି ଧମକ ପୂର୍ଣ୍ଣ କାର୍ଯ୍ୟାନୁୁଷ୍ଠାନ ଗ୍ରହଣ କରିଥାଏ। ୧୯୭୯ରୁ ସେ ଦେଶର ସେନା ଏପରି ଅପରେସନ ନିୟମିତ ଚଳାଇ ଆସୁଛି। ଏଥିରୁ ଜାପାନ ପରି ମିତ୍ର ରାଷ୍ଟ୍ର ମଧ୍ୟ ବାଦ୍‌ ପଡ଼ି ନାହିଁ ା ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଚୀନ୍‌ ସମେତ ଅଧିକାଂଶ ଦେଶର ଜଳସୀମାକୁ ଆମେରିକା ଲଙ୍ଘନ କରୁଥିଲେ ହେଁ ରୁୁଷ୍‌ର ସାମୁଦ୍ରିକ ସୀମା ଲଙ୍ଘନ କରିବାକୁ ଏ ପର୍ଯ୍ୟନ୍ତ ସାହସ କରି ନାହିଁ। ଭାରତୀୟ ଜଳ ସୀମାରେ ଅନଧିକାର ପ୍ରବେଶ କରିବା ପରେ କୂଟନୈତିକ ସ୍ତରରେ ଉଭୟ ଦେଶ ମଧ୍ୟରେ ଆଲୋଚନା ହୋଇଥିଲା। ତେବେ ଆମେରିକା ନିଜର ଦୋଷ ସ୍ବୀକାର କରିବା ପରିବ​‌େ​‌ର୍ତ୍ତ ଏହା କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ ବୋଲି କହିବା ସହ ଆଗକୁ ଏପରି ଅପରେସନ ଜାରି ରହିବ ବୋଲି ସୂଚନା ଦେଇଛି।

୨୦୧୯ ଅକ୍ଟୋବର ପହିଲାରୁ ସେପ୍ଟେମ୍ବର ୨୦୨୦ ମଧ୍ୟରେ ୧୯ଟି ଦେଶର ଜଳ ସୀମା ଲଙ୍ଘନ କରି ଆମେରିକା ଏପରି ଅପରେସନ କରିଥିଲା। ଚୀନ୍‌ ଏଥିରେ ପ୍ରତିବାଦ ଜଣାଇଥିଲେ ହେଁ ଆମେରିକା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ପ୍ରଶ୍ନ ଉଠୁଛି ଭାରତ ଅନ୍ତର୍ଜାତୀୟ ଆଇନକୁ ସମ୍ମାନ ଦେଉଥିବାବେଳେ ଆମେରିକା ଏପରି କରୁନାହିଁ କାହିଁକି? ୧୯୯୫ରେ ଜାତିସଂଘର ସମସ୍ତ ସଦସ୍ୟ ରାଷ୍ଟ୍ର ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ଆଇନ କାର୍ଯ୍ୟକାରୀ କରିଥିଲେ। ଏହି ଆଇନ ଅନୁଯାୟୀ, ସମୁଦ୍ର ତଟଠାରୁ ୩୭୦ କି.ମି ପର୍ଯ୍ୟନ୍ତ ସମସ୍ତ ଦେଶର ସାମୁଦ୍ରିକ ସୀମା ସ୍ଥିର କରାଯାଇଛି। ଭାରତ ସମେତ ସମୁଦ୍ର ତଟବର୍ତ୍ତୀ ପ୍ରାୟ ସମସ୍ତ ଦେଶ ଏହି ଆଇନରେ ସ୍ବାକ୍ଷର କରିଥିଲେ ହେଁ ଆମେରିକା ଏ ପର୍ଯ୍ୟନ୍ତ ସ୍ବାକ୍ଷର କରି ନାହିଁ; ଅର୍ଥାତ୍‌ ଆମେରିକା ପାଇଁ ଏହି ଆଇନ ମାନିବା ବାଧ୍ୟତାମୂଳକ ନୁହେଁ। ଆମେରିକୀୟ ନୌସେନାର ରିପୋର୍ଟ ଅନୁଯାୟୀ ୧୯୮୫ ମସିହାରୁ ଭାରତୀୟ ଉପକୂଳରେ ଆମେରିକା ଏପରି ଅପରେସନ ଚଳାଇ ଆସୁଛି। ଭାରତ ପରି ସାର୍ବଭୌମ ରାଷ୍ଟ୍ରପାଇଁ ଆମେରିକାର ଅନଧିକାର ପ୍ରବେଶ ଗ୍ରହଣୀୟ ନୁହେଁ।

ଏହି ଦେଶ ସହ ପ୍ରଥମେ ଆଣବିକ ଚୁକ୍ତି ହୋଇଥିଲା ା ପରେ ଆମେରିକା ନେତୃତ୍ବାଧୀନ ମେଣ୍ଟ ‘କ୍ବାଡ୍‌’ରେ ଭାରତ ସଦସ୍ୟ ରହିଛି। ସାମରିକ କ୍ଷେତ୍ରରେ ଉଭୟ ଦେଶ ପରସ୍ପରର ସହଯୋଗୀ। ଅନୁମତି ନେଇ ପ୍ରବେଶ କରିଥିଲେ ଭାରତ ଚିନ୍ତିତ ହୋଇ ନଥା’ନ୍ତା। ଲାକ୍ଷାଦ୍ବୀପରେ ଭାରତୀୟ ନୌସେନାର ଘାଟି ଅଛି। ପ୍ରତିରକ୍ଷା ସମ୍ବନ୍ଧୀୟ ରଣକୌଶଳ ସେଠାରେ ସ୍ଥିର ହୋଇଥାଏ ା ତେଣୁ ଭାରତର ଏପରି ଏକ ସମ୍ବେଦନଶୀଳ ଅଞ୍ଚଳକୁ ଆମେରିକା ବିନାନୁମତିରେ ପ୍ରବେଶ କରିବା ଦେଶର ପ୍ରତିରକ୍ଷା ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରିପାରେ। ଆମେରିକା ସହ ‘ମିତ୍ରତା’ ଭାରତର ହାତ ବାନ୍ଧି ଦେଇଛି। ଏହି ଦେଶର ଅତୀତକୁ ପରିଖିଲେ ଜଣାପଡ଼େ, ଆମେରିକାର କେହି ସ୍ଥାୟୀ ମିତ୍ର ଅଥବା ଶତ୍ରୁ ଦେଶ ନାହାନ୍ତି। ନିଜ ସ୍ବାର୍ଥ ପାଇଁ ଆମେରିକା ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ କରାଇପାରେ ଅଥବା ଦକ୍ଷିଣ ଏସିଆରେ ଅଶାନ୍ତି ସୃଷ୍ଟି କରିପାରେ। ତେଣୁ ଆମେରିକା ସହ ମିତ୍ରତା ଖଣ୍ଡାର ଧାର ସଦୃଶ। ଏହି ଦେଶକୁ ଭରସା କରି ପାକିସ୍ତାନ, ଇରାକ୍‌ ଓ ସିରିଆ ପରି ଦେଶ ଏଯାଏ ସଳଖି ଛିଡ଼ା ହୋଇ ପାରି ନାହାନ୍ତି। ଏହି ଦେଶ ନିଜ ସ୍ବାର୍ଥ ପାଇଁ କିଛି ବି କରିପାରେ ବୋଲି ଭାରତ ଜାଣିବା ଆବଶ୍ୟକ। ମିତ୍ରତା ଆଳରେ ଆମେରିକାର ଏପରି ଔଦ୍ଧତ୍ୟକୁ ଭାରତ କଦାପି ବରଦାସ୍ତ କରିବା ଉଚିତ୍‌ ନୁହେଁ। ଏପରି ଘଟଣାର ଯେମିତି ପୁନରାବୃତ୍ତି ନ ଘଟେ ସେ ନେଇ କୂଟନୈତିକ ସ୍ତରରେ ଭାରତ ପ୍ରୟାସ ଜାରି କରିବା ଆବଶ୍ୟକ।

Comments are closed.