ପାକିସ୍ତାନକୁ ବନ୍ଧୁ ମାଲେସିଆ ଦେଲା ବଡ଼ ଝଟକା: କୁଆଲାଲାମ୍ପୁରରେ ପାକିସ୍ତାନ ଏୟାର ଲାଇନ୍ସର ବୋଇଂ ବିମାନ ଜବତ

କାଙ୍ଗାଳ ଅବସ୍ଥା ଦେଇ ଦେଇ ଗତି କରୁଥିବା ପାକିସ୍ତାନକୁ ନିଜ ବନ୍ଧୁ ମାଲେସିଆ ଏକ ବଡ଼ ଝଟକା ଦେଇଛି ।  ମାଲେସିଆର ଅଧିକାରୀମାନେ ଶୁକ୍ରବାର ଦିନ କୁଆଲାଲମ୍ପୁର ବିମାନବନ୍ଦରରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (PIA) ର ବୋଇଙ୍ଗ -୭୭୭ ବିମାନ ଜବତ କରିଛନ୍ତି। ସ୍ଥାନୀୟ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ବିମାନକୁ ଜବତ କରାଯାଇଛି। କୂଟନୈତିକ ମାଧ୍ୟମ ଜରିଆରେ ଏହି ମାମଲାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଳି ପାକିସ୍ତାନ ଏୟାର ଲାଇନ୍ସ ପକ୍ଷରୁ କୁହାଯାଇଛି । ବିମାନରେ ଯାତ୍ରା ପାଇଁ ବସିଥିବା ଯାତ୍ରୀମାନଙ୍କୁ ଓହ୍ଲାଇ ଦେଇ ବିମାନକୁ ଜବତ କରିବା ଘଟଣାକୁ ନେଇ ପାକିସ୍ତାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଅବଶ୍ୟ ଯାତ୍ରୀମାନଙ୍କ ପାଇଁ ମାଲେସିଆ ସରକାରଙ୍କ ପକ୍ଷରୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି । କିନ୍ତୁ ବିମାନ ସହ ୧୮ ଜଣ ବିମାନ କର୍ମଚାରୀ କୁଆଲାଲାମ୍ପୁରରେ ଅଟକ ରହିଛନ୍ତି । ପ୍ରୋଟୋକଲ ଅନୁସାରେ ସେମାନଙ୍କୁ ୧୪ ଦିନ କ୍ବାରେଣ୍ଟାଇନରେ ରହିବେ । 

 ସୂଚନା ଅନୁସାରେ ପାକିସ୍ତାନ ଇଣ୍ଟରନେସନାଲ ଏୟାର ଲାଇନ୍ସ ୨୦୧୫ରେ ଭିଏତନାମ କମ୍ପାନୀରୁ ଦୁଇଟି ବୋଇଂ ୭୭୭ ବିମାନ ଲିଜରେ ନେଇଥିଲା । ମାତ୍ର ପରବର୍ତୀ ସମୟରେ ବିବାଦ ଯୋଗୁଁ କମ୍ପାନୀ ଅଦାଲତର ଦ୍ବାରସ୍ଥ ହୋଇଥିଲା ଓ ଅଦାଲତ ନିର୍ଦେଶକ୍ରମେ ବିମାନକୁ ଜବତ କରାଯାଇଛି ।

 

ଅନ୍ୟପକ୍ଷରେ ପିଏଆଇଏ (ପାକିସ୍ତାନ ଇଣ୍ଟରନେସନାଲ ଏୟାରଲାଇନ୍ସ) ପକ୍ଷରୁ କୁହାଯାଇଛି ଯେ ମାଲେସିଆର ଏକ ସ୍ଥାନୀୟ କୋର୍ଟ କମ୍ପାନୀର ଏକ ବିମାନ ଜବତ କରିଛି। ମାମଲା ବ୍ରିଟେନର କୋର୍ଟରେ ବିଚାରାଧୀନ ଥିବା ମାଲେସିଆ ଏକପାଖିଆ ନିଷ୍ପତ୍ତି ନେଇଛି।  ଏ ସଂପର୍କରେ ପିଆଇଏ ପାକ୍ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛି ଓ କୂଟନୈତିକସ୍ତରରେ ଏହାର ସମାଧାନ କରିବାକୁ ଅନୁରୋଧ କରିଛି ।

Comments are closed.