ଯୁଦ୍ଧ ପାଇଁ ଉସୁକାଉଛି ଇରାନ, ଆମେରିକା ଦୂତାବାସ ଉପରେ ପୁଣି ମାଡ଼ କଲା ରକେଟ୍‌

ବାଗଦାଦ: କାସିମ ସୋଲେମାନିଙ୍କ ହତ୍ୟା ପରେ ଆମେରିକା ନୀରବ ରହିଥିବାବେଳେ ଇରାନ ବାରମ୍ବାର ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଉଛି। ଇରାକରେ ଥିବା ଆମେରିକା ଦୂତାବାସ ଉପରେ ଆକ୍ରମଣ ଜାରି ରଖିଛି। ମଙ୍ଗଳବାର ଭୋର ସମୟରେ ପୁଣି ଥରେ ବାଗଦାଦରେ ଥିବା ଆମେରିକା ଦୂତାବାସ ଉପରେ ରକେଟ୍‌ ଦ୍ବାରା ଆକ୍ରମଣ ହୋଇଛି। ୩ଟି ରକେଡ୍‌ ମାଡ଼ ହୋଇଥିବାବେଳେ ତାହା ଦୂତାବାସଠାରୁ ଅଳ୍ପ ଦୂରରେ ପଡ଼ିଥିଲା। ଏହି ଘଟଣାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ସାନି ଉତ୍ତେଜନା ଦେଖିବାକୁ ମିଳିଛି। ଇରାନ ଯୁଦ୍ଧ ପାଇଁ ଆମେରିକାକୁ ଉସୁକାଉଥିବା ଏପରି ଘଟଣାରୁ ବୁଝାପଡ଼ୁଛି।

ସୂଚନା ଅନୁସାରେ, ବାଗଦାଦର ଗ୍ରୀନ୍‌ ଜୋନ୍‌ରେ ଆମେରିକା ଦୂତାବାସ ରହିଛି। ମଙ୍ଗଳବାର ଭୋର ସମୟରେ ୩ଟି ରକେଟ୍‌ ମାଡ଼ କରାଯିବା ପରେ ସମ୍ପୂର୍ଣ୍ଣ ଅଞ୍ଚଳରେ ସାଇରନ ବାଜିଥିଲା। ମଧ୍ୟ ବାଗଦାଦ୍‌ରେ ଗ୍ରୀନ୍‌ ଜୋନ ରହିଥିବାବେଳେ ସେହି ଅଞ୍ଚଳରେ ସରକାରୀ କାର୍ଯ୍ୟାଳୟ ଏବଂ ଦୂତାବାସ ରହିଛି। ତେବେ ରକେଟ୍‌ ଆକ୍ରମଣରେ କେହି ମୃତାହତ ହୋଇଛନ୍ତି କି ନାହିଁ ସେ ସମ୍ପର୍କରେ କିଛି ସୂଚନା ମିଳିନାହିଁ।

ସୂଚନାଯୋଗ୍ୟ, ଇରାନର ମୁଖ୍ୟ କମାଣ୍ଡର କାସିମ ସୋଲେମାନିଙ୍କୁ ଆମେରିକା ଡ୍ରୋନ ଆକ୍ରମଣରେ ହତ୍ୟା କରିଥିଲା। ଏହାର ୪ ଦିନ ପରେ ଇରାକରେ ଥିବା ଆମେରିକାର ସୈନ୍ୟ ଶିବିର ଉପରେ କ୍ଷେପଣାସ୍ତ୍ର ମାଡ଼ କରି ସେଗୁଡ଼ିକୁ ଧ୍ଵଂସ କରିଦେଇଥିଲା। ଏଥିରେ ଆମେରିକାର ପ୍ରାୟ ୮୦ ସୈନ୍ୟ ପ୍ରାଣ ହରାଇଥିଲେ। ଏହି ଘଟଣାକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିଥିବାବେଳେ ଗତ ୮ ତାରିଖରେ ଇରାନ ଆମେରିକା ଦୂତାବାସ ଉପରେ ୨ଟି ରକେଟ୍‌ ମାଡ଼ କରିଥିଲା। ଏବେ ପୁଣି ଥରେ ଦୂତାବାସ ଉପରେ ରକେଟ ମାଡ଼ କରିଛି।

Comments are closed.