କୋଭିଡ-୧୯ ସମ୍ପର୍କରେ ସଦ୍ୟତମ ସୂଚନା

 

  • ମେକ ଇନ ଇଣ୍ଡିଆ ଅନ୍ତର୍ଗତ କିଟ ଓ ଟିକା ବିକାଶ କାର୍ଯ୍ୟ ତ୍ବରାନ୍ବିତ କରିବା ଲାଗି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ପ୍ଲାଜମା ଥେରାପି ଚିକିତ୍ସା ପଦ୍ଧତିର ସୁନିଶ୍ଚିତ ପ୍ରମାଣିକତା ନାହିଁ : ଆଇସିଏମଆର

ଏକ ସତର୍କ, ସକ୍ରିୟ ତଥା ବର୍ଗୀକୃତ ମୁକାବିଲା ନୀତିର ଅଂଶବିଶେଷ ସ୍ବରୂପ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହିତ ମିଶି ଭାରତ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାକୁ ନିୟମିତ ଭାବେ ଉଚ୍ଚସ୍ତରରେ ସମୀକ୍ଷା ଏବଂ ଅନୁଧ୍ୟାନ କରାଯାଉଛି ।
କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଆଜି ଭିଡିଓ କନଫରେନ୍ସ ଜରିଆରେ ଜୈବ ପ୍ରଯୁକ୍ତି ବିଭାଗ ଓ ଏହାର ୧୮ଟି ସ୍ବାୟତ୍ତ ସଂସ୍ଥା ତଥା ପିଏସୟୁର ନିର୍ଦ୍ଦେଶକ/ପ୍ରମୁଖଙ୍କ ଦ୍ବାରା ପରିଚାଳିତ ଗବେଷଣା କାର୍ଯ୍ୟର ସମୀକ୍ଷା କରିଥିଲେ। ସେ ‘ମେକ ଇନ ଇଣ୍ଡିଆଦ ଅନ୍ତର୍ଗତ କୋଭିଡ-୧୯ ଲାଗି ଆଣ୍ଟି ବଡି ନିରୂପଣ କିଟ, ରିୟଲ-ଟାଇମ ପିସିଆର ଆଧାରିତ ନିରୂପଣ କିଟ ଓ ଟିକା ବିକଶିତ କରିବାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଆଦେଶ ଦେଇଥିଲେ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଦିଲ୍ଲୀର ଉପରାଜ୍ୟପାଳ ଶ୍ରୀ ଅନିଲ ବୈଜଲ, ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ସତ୍ୟେନ୍ଦ୍ର ଜୈନ, ଦିଲ୍ଲୀର ସମସ୍ତ ଜିଲ୍ଲାର ଏମସିଡି ଆୟୁକ୍ତ, ଜିଲ୍ଲା ଅଧିକାରୀ ଓ ଡିସିପି, କେନ୍ଦ୍ର/ରାଜ୍ୟ ଓ ଜିଲ୍ଲା ନିରୀକ୍ଷଣ ଅଧିକାରୀ ଓ ସରକାରୀ ଡାକ୍ତରଖାନାର ମୁଖ୍ୟ ମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ଦିଲ୍ଲୀରେ ବର୍ତ୍ତମାନର କୋଭିଡ-୧୯ ନିରୀକ୍ଷଣ ସ୍ଥିତି ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକ ସମୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଓଏସଡି ଶ୍ରୀ ରାଜେଶ ଭୂଷଣ ଓ ଏନସିଡିସି ଡା. ଏସକେ ସିଂ ଉପସ୍ଥିତ ଥିଲେ ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅତି ସାଧାରଣ/ପୂର୍ବ ଲକ୍ଷଣ ଥିବା ରୋଗୀଙ୍କ ଲାଗି ଘରେ ଏକାନ୍ତବାସରେ ରହିବା ପାଇଁ ଦିଶାନିର୍ଦ୍ଦେଶ ଜାରି କରାଯାଇଛି। ଯେଉଁ ରୋଗୀଙ୍କ ଲାଗି ସେମାନଙ୍କ ଘରେ ଏକାନ୍ତବାସରେ ରହିବାର ସୁବିଧା ରହିଛି, ସେମାନେ ଏହି ବିକଳ୍ପର ଉପଯୋଗ କରିପାରିବେ। କୋଭିଡ-୧୯ ସନ୍ଦିଗ୍ଧ/ନିଶ୍ଚିତ ସଂକ୍ରମଣ ମାମଲାର ଉଚିତ ପରିଚାଳନା ଲାଗି ୭ ଏପ୍ରିଲ ୨୦୨୦ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ଦିଶାନିର୍ଦ୍ଦେଶ ବ୍ୟତୀତ ଏହି ନିର୍ଦ୍ଦେଶ ଜାରି କରାଯାଇଛି।

କୋଭିଡ-୧୯ ଲାଗି ପ୍ଲାଜମା ଥେରାପି ବିଷୟରେ ଆଇସିଏମଆର ପକ୍ଷରୁ ପୂର୍ବରୁ ସବୁକିଛି ସ୍ପଷ୍ଟ ଭାବେ କୁହାଯାଇସାରିଛି। ବର୍ତ୍ତମାନ କୋଭିଡ-୧୯ ଲାଗି ପ୍ଲାଜମା ଥେରାପି କିମ୍ବା ଅନ୍ୟ କୌଣସି ସ୍ବୀକୃତିପ୍ରାପ୍ତ ଥେରାପି ବା ଚିକିତ୍ସା ପଦ୍ଧତି ନାହିଁ । ଏହା ସେହିସବୁ ଚିକିତ୍ସା ପଦ୍ଧତି ମଧ୍ୟରୁ ଗୋଟିଏ, ଯାହା ଉପରେ ବର୍ତ୍ତମାନ ପରୀକ୍ଷଣ କରାଯାଉଛି। ତେବେ ବର୍ତ୍ତମାନସୁଦ୍ଧା ଏହି ପଦ୍ଧତିରେ ରୋଗୀଙ୍କ ନିଶ୍ଚିତ ଆରୋଗ୍ୟ ସଂକ୍ରାନ୍ତରେ କୌଣସି ଠୋସ ପ୍ରମାଣ ନାହିଁ। ଆଇସିଏମଆର ପକ୍ଷରୁ ଏହି ଥେରାପିର ପ୍ରଭାବ ଆକଳନ କରିବା ନିମନ୍ତେ ଜାତୀୟ ସ୍ତରରେ ଏକ ଅଧ୍ୟୟନ ମଧ୍ୟ ଆରମ୍ଭ କରାଯାଇଛି। ତେବେ ଏହା ସ୍ପଷ୍ଟ କରିବାର ଆବଶ୍ୟକତା ରହିଛି, ଯେପର୍ଯ୍ୟନ୍ତ ଆଇସିଏମଆରର ଏହି ଅଧ୍ୟୟନ ସମ୍ପୂର୍ଣ୍ଣ ହୋଇ ନ ଯାଇଛି ଏବଂ ଠୋସ ବୈଜ୍ଞାନିକ ପ୍ରମାଣ ଉପଲବ୍ଧ ନାହିଁ, ଏହାକୁ ଗବେଷଣା ଓ ପରୀକ୍ଷଣ ଉଦ୍ଦେଶ୍ୟ ବ୍ୟତୀତ ଅନ୍ୟତ୍ର ଉପଯୋଗ କରାଯିବା ଅନୁଚିତ । ବାସ୍ତବତା ହେଉଛି ପ୍ଲାଜମା ଥେରାପି ଉପଯୋଗ କରିବା କାରଣରୁ ରୋଗୀର ଜୀବନ ପ୍ରତି ମଧ୍ୟ ସଙ୍କଟ ଆସିବାର ଜଟିଳତା ଦେଖାଦେଇପାରେ। ପ୍ଲାଜମା ଥେରାପି ଅଧ୍ୟୟନର ବିକଳ୍ପ ପ୍ରୟୋଗ ବିଷୟରେ ଆଇସିଏମଆର ପକ୍ଷରୁ ପୂର୍ବରୁ ବିସ୍ତୃତ ଦିଶାନିର୍ଦ୍ଦେଶ ଜାରି କରାଯାଇସାରିଛି ।

ପୂର୍ବରୁ ମାମଲା ଥିବା ୧୭ଟି ଜିଲ୍ଲାରେ ବିଗତ ୨୮ ଦିନ ମଧ୍ୟରେ ଗୋଟିଏ ହେଲେ ନୂଆ ସଂକ୍ରମିତ ମାମଲା ସାମ୍ନାକୁ ଆସିନାହିଁ। ଗତକାଲି ଏହି ତାଲିକାରେ ୨ଟି ନୂଆ ଜିଲ୍ଲା ଯୋଡ଼ି ହୋଇଥିବା ବେଳେ ଆଉ ଗୋଟିଏ ଜିଲ୍ଲାକୁ ତାଲିକାରୁ ହଟାଇ ଦିଆଯାଇଛି। ଯେଉଁ ନୂଆ ଜିଲ୍ଲା ଯୋଡ଼ି ହୋଇଛି ସେ ଦୁଇଟି ହେଲା ପଶ୍ଚିମବଙ୍ଗର କାଲିମପଙ୍ଗ ଏବଂ କେରଳର ଓ୍ବାୟନାଡ଼ । ସେହିପରି ଏହି ତାଲିକାରୁ ବିହାରର ଲଖିସରାୟକୁ ହଟାଇ ଦିଆଯାଇଛି ।

ଦେଶରେ ବର୍ତ୍ତମାନସୁଦ୍ଧା ୨୩.୩ ପ୍ରତିଶତ ଆରୋଗ୍ୟ ହାରରେ ୬,୮୬୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନସୁଦ୍ଧା ଦେଶରେ ମୋଟ ୨୯,୪୩୫ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଛି ।

Comments are closed.