ଫ୍ରେଞ୍ଚ୍ ଓପନ୍: ପ୍ରଥମ ରାଉଣ୍ଡରୁ କର୍ବରଙ୍କ ବିଦାୟ; ୨ୟ ରାଉଣ୍ଡରେ ଫେଡେରର

ପ୍ୟାରିସ୍: ରବିବାରଠାରୁ ରୋଲାଣ୍ଡ ଗ୍ୟାରସ୍ ଷ୍ଟାଡିୟମ୍‌ରେ ବର୍ଷର ୨ୟ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ୍ ଓପନ୍ ଆରମ୍ଭ ହୋଇଛି। କ୍ଲେକୋର୍ଟ​‌େ​‌ର ଖେଳା ଯାଉଥିବା ଏହି ଗ୍ରାଣ୍ଡସ୍ଲାମ୍‌ର ପ୍ରଥମଦିନରୁ ହିଁ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଗତବର୍ଷର ୱିମ୍ବଲଡନ ଚମ୍ପିଆନ୍ ୫ମ ସିଡ୍‌ ଜର୍ମାନୀର ଆଞ୍ଜେଲିକ୍ କର୍ବର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଜୀବନର ପ୍ରଥମ ଫ୍ରେଞ୍ଚ୍ ଓପନ୍ ଖେଳୁଥିବା ରୁଷିଆର ୧୮ ବର୍ଷ ବୟସ୍କା ଆନାଷ୍ଟାସିଆ ପାଟାପୋଭା ୬-୪, ୬-୨ ସେଟ୍‌ରେ ୩୧ ବର୍ଷ ବୟସ୍କା କର୍ବରଙ୍କୁ ପରାସ୍ତ କରିଛନ୍ତି। ଏହାକୁ ମିଶାଇ କର୍ବର ୬ଷ୍ଠ ଥର ପାଇଁ ଫ୍ରେଞ୍ଚ୍ ଓପନ୍‌ର ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇ ଯାଇଛନ୍ତି।
ରବିବାର ମହିଳା ସିଙ୍ଗଲ୍‌ସର ପ୍ରଥମ ରାଉଣ୍ଡ ମୁକାବିଲାରେ ୨ୟ ସିଡ୍ ୨ୟ ସିଡ୍ ଚେକ୍ ରିପବ୍ଲିକ୍‌ର କାରୋଲିନା ପ୍ଲିସ୍କୋଭା ୨ୟ ରାଉଣ୍ଡରେ ପହଞ୍ଚିଛନ୍ତି। ଆମେରିକାର ମ୍ୟାଡିସନ୍ ବ୍ରିଙ୍ଗଲ୍‌ଙ୍କୁ ପ୍ଲିସ୍କୋଭା ୬-୨, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ୧୫ଶ ସିଡ୍ ସ୍ବିଜରଲାଣ୍ଡର ବେଲିଣ୍ଡା ବେନ୍‌ସିକ୍ ୬-୧, ୬-୪ ସେଟ୍‌ରେ ଫ୍ରାନ୍‌ସର ଜେସିକା ପୋଞ୍ଚେଟ୍‌ଙ୍କୁ ପରାସ୍ତ କରିଛନ୍ତି। ୯ମ ସିଡ୍ ୟୁକ୍ରେନ୍‌ର ଏଲିନା ଶ୍ବିତୋଲିନା ୬-୩, ୬-୩ ସେଟ୍‌ରେ ପୂର୍ବ ଚମ୍ପିଆନ୍ ଆମେରିକାର ଭିନସ୍ ୱିଲିୟମ୍‌ସଙ୍କୁ ପରାସ୍ତ କରିଛନ୍ତି। ୧୯ଶ ସିଡ୍ ସ୍ପେନ୍‌ର ଗାର୍ବାଇନ୍ ମୁଗୁରୁଜା କଡ଼ା ମୁକାବିଲା ପରେ ୫-୭, ୬-୨, ୬-୨ ସେଟ୍‌ରେ ଆମେରିକାର ଟେଲର ଟାଉନ୍‌ସେଣ୍ଡ୍‌ଙ୍କୁ ପରାସ୍ତ କରିଛନ୍ତି। ୩୧ନଂ ସିଡ୍ କ୍ରୋଏସିଆର ପେଟ୍ରା ମାଟ୍ରିଚ୍ ୬-୧, ୬-୨ ସେଟ୍‌ରେ ଟ୍ୟୁନିସିଆର ଓନ୍‌ସ ଜାବ୍ୟୁରଙ୍କୁ ପରାସ୍ତ କରିଛନ୍ତି।
ପୁରୁଷ ସିଙ୍ଗଲ୍‌ସରେ ୩ୟ ସିଡ୍ ରଜର ଫେଡେରର, ୬ଷ୍ଠ ସିଡ୍ ଗ୍ରୀସ୍‌ର ଷ୍ଟିଫାନସ୍ ସିସିପାସ୍ ଓ ୭ମ ସିଡ୍ ଜାପାନର କେଇ ନିଶିକୋରି ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପ୍ରଥମ ରାଉଣ୍ଡରେ ୨୦ଟି ଗ୍ରାଣ୍ଡସ୍ଲାମ୍ ସିଙ୍ଗଲ୍‌ସ ଟାଇଟଲର ବିଜେତା ସ୍ବିଜରଲାଣ୍ଡର ଫେଡେରର ୬-୨, ୬-୪, ୬-୪ ସେଟ୍‌ରେ ଇଟାଲୀର ଲୋରେଞ୍ଜୋ ସୋନେଗୋଙ୍କୁ ପରାସ୍ତ କରିଛନ୍ତି। ୨୦ ବର୍ଷ ବୟସ୍କ ସିସିପାସ୍ ୬-୨, ୬-୨, ୭-୬ ସେଟ୍‌ରେ ଜର୍ମାନୀର ମାକ୍ସିମିଲାନ୍ ମାର୍ଟେରରଙ୍କୁ ପରାସ୍ତ କରିଛନ୍ତି। ଜାପାନର କେଇ ନିଶିକୋରି ୬-୨, ୬-୩, ୬-୪ ସେଟ୍‌ରେ ଫ୍ରାନ୍‌ସର ​‌େ‌କ୍ବଣ୍ଟିନ୍ ହାଲିସ୍‌ଙ୍କୁ ପରାସ୍ତ କରିଛନ୍ତି। ୧୧ଶ ସିଡ୍ କ୍ରୋଏସିଆର ମାରିନ୍ ସିଲିକ୍ ୬-୩, ୭-୫, ୬-୧ ସେଟ୍‌ରେ ଇଟାଲୀର ଥମାସ୍ ଫାବିଆନୋଙ୍କୁ ପରାସ୍ତ କରିଛନ୍ତି। ୧୬ଶ ସିଡ୍ ଇଟାଲୀର ମାର୍କୋ ସେଚିନାଟୋ ୫ଟି ସେଟ୍‌ର କଡ଼ା ମୁକାବିଲା ପରେ ଫ୍ରାନ୍‌ସର ନିକୋଲାସ୍ ମାହୁତ୍‌ଙ୍କୁ ପରାସ୍ତ କରିଛନ୍ତି। ୨୯ନଂ ସିଡ୍ ମାଟିଓ ବେରେଟିନି ୬-୭, ୬-୪, ୬-୪, ୬-୨ ସେଟ୍‌ରେ ସ୍ପେନ୍‌ର ପାବ୍‌ଲୋ ଆନ୍ଦୁଜାରଙ୍କୁ ପରାସ୍ତ କରିଛନ୍ତି। ଅନ୍ୟ ଅଣସିଡେଡ୍‌ ଖେଳାଳିଙ୍କ ମଧ୍ୟରେ ବୁଲ୍‌ଗେରିଆର ଗ୍ରିଗୋର ଡିମିଟ୍ରୋଭ୍, ଅଷ୍ଟ୍ରେଲିଆର ଆଲେକ୍ସି ପୋପିରିନ୍, ନରୱେର କାସ୍ପର ରୁଡ୍, ଜର୍ମାନୀର ଓସ୍କାର୍ ଓଟ୍‌ ପ୍ରମୁଖ ବିଜୟୀ ହୋଇଛନ୍ତି।

Comments are closed.