ଫ୍ରେଞ୍ଚ ଓପନ : ରେକର୍ଡ ୧୨ଥର ପାଇଁ ଫାଇନାଲରେ ନାଦାଲ

ପ୍ୟାରିସ : ସ୍ପେନର ରାଫେଲ ନାଦାଲ ଫ୍ରେଞ୍ଚ ଓପନ- ୨୦୧୯ ପୁରୁଷ ସିଙ୍ଗଲସ୍ ଫାଇନାଲରେ ପ୍ରବେଶ କରିଛନ୍ତି। ନିଜର ତୀବ୍ର ପ୍ରତିଦ୍ବନ୍ଦୀ ସ୍ବିଜରଲାଣ୍ଡ ତଥା ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଖେଳାଳୀ ରୋଜର ଫେଡେରରଙ୍କୁ ୬-୩, ୬-୪ ଓ ୬-୨ ସେଟରେ ପରାସ୍ତ କରି ନାଦାଲ ୧୨ଥର ପାଇଁ ଫାଇନାଲରେ ପ୍ରବେଶ କରିଛନ୍ତି।

ଦୀର୍ଘ ୮ ବର୍ଷ ପରେ ଦୁଇ ପ୍ରସିଦ୍ଧ ଖେଳାଳୀ ପରସ୍ପରକୁ ଫ୍ରେଞ୍ଚ ଓପନରେ ଭେଟିଥିଲେ। ପୂର୍ବରୁ ୨୦୧୧ରେ ନାଦାଲ, ଫେଡେରରଙ୍କୁ ପରାସ୍ତ କରିଥିଲେ। ଦୁଇଜଣଙ୍କ ମଧ୍ୟରେ ଟୁର୍ଣ୍ଣମେଣ୍ଟରେ ଏହାଥିଲା ୨ୟ ମୁକାବିଲା । ଫେଡେରର ୬ ବର୍ଷ ପରେ ପୁଣିଥରେ ସେମିଫାଇନାଲରେ ପହଞ୍ଚିଥିଲେ। ଅନ୍ୟପକ୍ଷରେ ନାଦାଲ ୧୨ଥର ପାଇଁ ସେମିଫାଇନାଲରେ ପହଞ୍ଚିଥିଲେ। ୨୦୦୯ରେ ଚମ୍ପିୟାନ ହୋଇଥିବା ଫେଡେରର ଦ୍ବିତୀୟଥର ପାଇଁ ଟାଇଟଲ ଜିତିବା ନେଇ ଆଶା କରିଥିଲେ।

ଫାଇନାଲରେ ନାଦାଲ, ସର୍ବିଆର ନୋଭାକ୍ ଜୋକୋଭିକ ଓ ଅଷ୍ଟ୍ରିଆର ଡୋମିନିକ ଥିଏମଙ୍କ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ସେମିଫାଇନାଲର ବିଜେତାଙ୍କୁ ଭେଟିବେ। ବର୍ତ୍ତମାନ ସୁଦ୍ଧା ୧୧ଥର ଫ୍ରେଞ୍ଚ ଓପନ ଟାଇଟଲ ଜିତିଥିବା ନାଦାଲ ୧୨ଥର ପାଇଁ ଚମ୍ପିଆନ ହେବାର ଆଶା ରଖିଛନ୍ତି। ଅନ୍ୟପକ୍ଷରେ ୧୦ବର୍ଷ ପରେ ଫ୍ରେଞ୍ଚ ଓପନ ଜିତିବା ନେଇ ଫେଡେରରଙ୍କ ଆଶା ମଉଳି ଯାଇଛି।

Comments are closed.