ଫ୍ରେଞ୍ଚ ଓପନ୍‌: ୩ୟ ରାଉଣ୍ଡରେ ଓସାକା ଓ ଜୋକୋଭିକ୍‌

ପ୍ୟାରିସ : ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିନରେ ଅର୍ଥାତ ଗୁରୁବାର ଖେଳାଯାଇଥିବା ଦ୍ବିତୀୟ ରାଉଣ୍ଡ ସିଙ୍ଗଲ୍‌ସ ଇଭେଣ୍ଟରେ ନାଓମି ଓସାକା, ବେଲିଣ୍ଡା ବେନସିକ୍‌, ନୋଭାକ୍‌ ଜୋକୋଭିକ୍‌, ଡୋମିନିକ୍‌ ଥିଏମ ଓ ଆଲେକ୍‌ଜାଣ୍ଡାର ଜେରେଭ୍‌ଙ୍କ ଭଳି ସିଡେଡ୍‌ ଖେଳାଳି ବିଜୟୀ ହୋଇ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି। ତେବେ ମହିଳା ସିଙ୍ଗଲ୍‌ସରେ ଆରିନା ସାବାଲେଙ୍କା, କ୍ବିୟାଙ୍ଗ୍‌ ୱଙ୍ଗ୍‌, ଡାରିଆ କାସାତ୍‌କିନା, ମାରିଆ ସାକାରି ଓ ପୁରୁଷ ସିଙ୍ଗଲ୍‌ସରେ ଡିଏଗୋ ସ୍କ୍ବାର୍ଜମ୍ୟାନ ଓ ଜାଇଲ୍‌ସ ସାଇମନଙ୍କ ଭଳି ସିଡେଡ୍‌ ଖେଳାଳିଙ୍କୁ ୨ୟ ରାଉଣ୍ଡରୁ ବିଦାୟ ନେବାକୁ ପଡିଛି।
ଗୁରୁବାର ଖେଳାଯାଇଥିବା ମହିଳା ସିଙ୍ଗଲ୍‌ସ ୨ୟ ରାଉଣ୍ଡ ମ୍ୟାଚରେ ବିଶ୍ବର ୧ ନମ୍ବର ଖେଳାଳି ତଥା ଟପ୍‌ ସିଡ୍‌ ଜାପାନର ନାଓମି ଓସାକା ୪-୬, ୭-୫, ୬-୩ ସେଟ୍‌ରେ ବେଲାରୁଷର ଭିକ୍ଟୋରିଆ ଆଜାରେଙ୍କାଙ୍କୁ ପରାସ୍ତ କରିଛନ୍ତି। ପ୍ରଥମ ରାଉଣ୍ଡ ଭଳି ଏଥର ମଧ୍ୟ ଓସାକା ପ୍ରଥମ ଗେମରେ ପରାଜିତ ହୋଇଥିଲେ। ତେବେ ପରବର୍ତ୍ତୀ ଦୁଇଟି ସେଟ୍‌ରେ ବିଜୟୀ ହୋଇ ସେ ତୃତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ତୃତୀୟ ରାଉଣ୍ଡରେ ଓସାକା ଚେକ୍‌ ରିପବ୍ଲିକ୍‌ର ଅଣସିଡେଡ୍‌ ଖେଳାଳି କ୍ୟାଟେରିନା ସିନିଆକୋଭାଙ୍କୁ ଭେଟିବେ। ଦ୍ବିତୀୟ ରାଉଣ୍ଡରେ ସିନିଆକୋଭା ୭-୬, ୬-୭, ୬-୩ ସେଟ୍‌ରେ ୨୯ଶ ସିଡ୍‌ ଗ୍ରୀସର ମାରିଆ ସାକାରିଙ୍କୁ ହରାଇଛନ୍ତି। ଅନ୍ୟ ୨ୟ ରାଉଣ୍ଡ ମ୍ୟାଚରେ ୫ମ ସିଡ୍‌ ସ୍ବିଜରଲାଣ୍ଡର ବେଲିଣ୍ଡା ବେନସିକ୍‌ ୪-୬, ୬-୪, ୬-୪ ସେଟ୍‌ରେ ଜର୍ମାନୀର ଲରା ସିଗ୍‌ମଣ୍ଡଙ୍କୁ ପରାସ୍ତ କରିଥିବାବେଳେ ୮ମ ସିଡ୍‌ ଅଷ୍ଟ୍ରେଲିଆର ଆସ୍‌ଲେ ବାର୍ତି ୭-୫, ୬-୧ ସେଟ୍‌ରେ ଆମେରିକାର ଡାନିଏଲା କଲିନ୍‌ସଙ୍କୁ, ୧୦ମ ସିଡ୍‌ ଆମେରିକାର ସେରେନା ୱିଲିୟମ୍‌ସ ୬-୩, ୬-୨ ସେଟ୍‌ରେ ଜାପାନର କୁରୁମି ନାରାଙ୍କୁ ହରାଇଛନ୍ତି। ଅପରପକ୍ଷରେ ଆମେରିକାର ଅଣସିଡେଡ୍‌ ଖେଳାଳି ଆମାଣ୍ଡା ଅନିସିମୋଭା ୬-୪, ୬-୨ ସେଟ୍‌ରେ ୧୧ଶ ସିଡ୍‌ ବେଲାରୁଷର ଆରିନା ସାବାଲେଙ୍କାଙ୍କୁ, ପ୍ୟୁଟୋରିକୋର ମୋନିକା ପୁଇଗ୍‌ ୬-୩, ୬-୧ ସେଟ୍‌ରେ ୨୧ଶ ସିଡ୍‌ ରୁଷର ଡାରିଆ କାସାତ୍‌କିନାଙ୍କୁ ଓ ପୋଲାଣ୍ଡର ଇଗା ସ୍ବିଆଟେକ୍‌ ୬-୩, ୬-୦ ସେଟ୍‌ରେ ୧୬ଶ ସିଡ୍‌ ଚୀନର କ୍ବିୟାଙ୍ଗ୍‌ ୱଙ୍ଗ୍‌ଙ୍କୁ ହରାଇ ବିପର୍ଯ୍ୟୟ ଘଟାଇଛନ୍ତି।
ପୁରୁଷ ସିଙ୍ଗଲ୍‌ସ ୨ୟ ରାଉଣ୍ଡରେ ୧ ନମ୍ବର ଖେଳାଳି ତଥା ଟପ୍‌ ସିଡ୍‌ ସର୍ବିୟାର ନୋଭାକ୍‌ ଜୋକୋଭିକ୍‌ ସିଧାସଳଖ ୬-୧, ୬-୪, ୬-୩ ସେଟ୍‌ରେ ଫିନଲାଣ୍ଡର ହେନେରି ଲାକ୍‌ସୋନେନ୍‌ଙ୍କୁ ପରାସ୍ତ କରିଛନ୍ତି। ତୃତୀୟ ରାଉଣ୍ଡରେ ସେ ଇଟାଲୀର ଅଣସିଡେଡ୍‌ ଖେଳାଳି ସାଲଭାଟୋର କାରୁସୋଙ୍କୁ ଭେଟିବେ। ଦ୍ବିତୀୟ ରାଉଣ୍ଡରେ କାରୁସୋ ୬-୧, ୬-୨, ୬-୪ ସେଟ୍‌ରେ ୨୬ଶ ସିଡ୍‌ ଫ୍ରାନ୍ସର ଜାଇଲ୍‌ସ ସାଇମନଙ୍କୁ ହରାଇଛନ୍ତି। ଅନ୍ୟ ଦ୍ବିତୀୟ ରାଉଣ୍ଡ ମ୍ୟାଚରେ ୪ର୍ଥ ସିଡ୍‌ ଅଷ୍ଟ୍ରିଆର ଡୋମିନିକ୍‌ ଥିଏମ ୬-୩, ୬-୭, ୬-୩, ୭-୫ ସେଟ୍‌ରେ କାଜାଖସ୍ତାନର ଆଲେକ୍‌ଜାଣ୍ଡାର ବବ୍‌ଲିକ୍‌ଙ୍କୁ ପରାସ୍ତ କରିଥିବାବେଳେ ୫ମ ସିଡ୍‌ ଜର୍ମାନୀର ଆଲେକ୍‌ଜାଣ୍ଡାର ଜେରେଭ୍‌ ୬-୧, ୬-୩, ୭-୬ ସେଟ୍‌ରେ ଇଥିଓପିଆର ମାଇକେଲ ୱାଇମେରଙ୍କୁ ହରାଇଛନ୍ତି। ଆର୍ଜେଣ୍ଟିନାର ଲିଓନାର୍ଡୋ ମେୟର ୪-୬, ୬-୩, ୬-୪, ୭-୫ ସେଟ୍‌ରେ ୧୭ଶ ସିଡ୍‌ ମାନ୍ୟତାପ୍ରାପ୍ତ ସ୍ବଦେଶର ଡିଏଗୋ ସ୍କ୍ବାର୍ଜମ୍ୟାନଙ୍କୁ ପରାସ୍ତ କରିଥିବାବେଳେ ୨୮ଶ ସିଡ୍‌ ବ୍ରିଟେନର କାଇଲ ଏଡମଣ୍ଡ୍‌ ଆହତ ହୋଇ ମ୍ୟାଚରୁ ଓହରିଯିବାରୁ ଉରୁଗୁଏର ପାବ୍‌ଲୋ କ୍ୟୁଭାସ୍‌ ୩ୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି।

Comments are closed.