ଫ୍ରେଞ୍ଚ ଓପନ୍‌: ଦ୍ବିତୀୟ ରାଉଣ୍ଡରେ ଓସାକା ଓ ଜେରେଭ୍‌

ପ୍ୟାରିସ : ଚଳିତ ସିଜିନର ଦ୍ବିତୀୟ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ ଓପନର ତୃତୀୟ ଦିନରେ ଖେଳାଯାଇଥିବା ସିଙ୍ଗଲ୍‌ସ ଇଭେଣ୍ଟରେ ନାଓମି ଓସାକା, ଆରିନା ସାବାଲେଙ୍କା, ଆଲେକଜାଣ୍ଡାର ଜେରେଭ୍‌, ଜୁଆନ ମାର୍ଟିନ ଡେଲ ପୋଟ୍ରୋ ଓ ଫାବିଓ ଫୋଗ୍‌ନିନି ପ୍ରମୁଖ ବିଜୟୀ ହୋଇ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ମଙ୍ଗଳବାର ମହିଳା ସିଙ୍ଗଲ୍‌ସ ପ୍ରଥମ ରାଉଣ୍ଡରେ ବିଶ୍ବର ୧ ନମ୍ବର ଖେଳାଳି ଜାପାନର ନାଓମି ଓସାକା କଷ୍ଟସାଧ୍ୟ ବିଜୟ ଜରିଆରେ ୨ୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ଏହି ମ୍ୟାଚରେ ଓସାକା ୦-୬, ୭-୬, ୬-୧ ସେଟ୍‌ରେ ସ୍ଲୋଭାକିଆର ଅଣସିଡେଡ୍‌ ଆନ୍ନା କ୍ୟାରୋଲିନା ସ୍କିମିଡ୍‌ଲୋଭାଙ୍କୁ ହରାଇଛନ୍ତି। ନିର୍ଣ୍ଣାୟକ ତୃତୀୟ ସେଟ୍‌ ସମ୍ପୂର୍ଣ୍ଣ ଏକତରଫା ହୋଇଥିଲା। ଏହି ସେଟ୍‌ରେ ଓସାକା ଦୁଇଥର ସ୍କିମିଡ୍‌ଲୋଭାଙ୍କ ସର୍ଭିସ ବ୍ରେକ କରି ୬-୧ରେ ବିଜୟୀ ହୋଇଥିଲେ।
ମହିଳା ସିଙ୍ଗଲ୍‌ସର ଅନ୍ୟ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ୩ୟ ସିଡ୍ ରୋମାନିଆର ସିମୋନା ହାଲେପ୍ ବିଜୟୀ ହୋଇଛନ୍ତି। ହାଲେପ୍ ୬-୨, ୩-୬, ୬-୧ ସେଟ୍‌ରେ ଅଷ୍ଟ୍ରେଲିଆର ଆଲ୍ୟା ଟୋମ୍‌ଲ୍ୟାନୋଭିଚ୍‌ଙ୍କୁ ପରାସ୍ତ କରିଛନ୍ତି। ୧୧ଶ ସିଡ୍‌ ବେଲାରୁଷର ଆରିନା ସାବାଲେଙ୍କା ୭-୫, ୬-୧ ସେଟ୍‌ରେ ସ୍ଲୋଭାକିଆର ଡୋମିନିକା ସିବୁଲକୋଭାଙ୍କୁ ପରାସ୍ତ କରିଥିବା ବେଳେ ୨୧ଶ ସିଡ୍‌ ରୁଷର ଡାରିଆ କାସାତ୍‌କିନା ୬-୨, ୬-୩ ସେଟ୍‌ରେ ଇଟାଲୀର ଜସ୍ମିନ୍‌ ପାଓଲିନିଙ୍କୁ, ୨୨ଶ ସିଡ୍‌ କାନାଡାର ବିୟଙ୍କା ଆ​‌େ​‌ଣ୍ଡ୍ରସ୍କୁ ୫-୭, ୬-୪, ୬-୪ ସେଟ୍‌ରେ ଚେକ୍‌ ରିପବ୍ଲିକ୍‌ର ମ୍ୟାରୀ ବୌଜ୍‌କୋଭାଙ୍କୁ, ୨୪ଶ ସିଡ୍‌ ଫ୍ରାନ୍ସର କ୍ୟାରୋଲିନ ଗାର୍ସିଆ ୬-୨, ୬-୪ ସେଟ୍‌ରେ ଜର୍ମାନୀର ମୋନା ବାର୍ଥେଲଙ୍କୁ ହରାଇଛନ୍ତି। ତେବେ ଅନ୍ୟ ଏକ ପ୍ରଥମ ରାଉଣ୍ଡ ମ୍ୟାଚରେ ୧୭ଶ ସିଡ୍‌ ଏଷ୍ଟୋନିଆର ଆନେଟ୍‌ କୋନ୍ତାଭିତ୍‌ ୬-୩, ୨-୬, ୨-୬ ସେଟ୍‌ରେ ଚେକ୍‌ ରିପବ୍ଲିକ୍‌ର ଅଣସିଡେଡ୍‌ ଖେଳାଳି କ୍ୟାରୋଲିନା ମୁକୋଭାଙ୍କଠାରୁ ହାରି ଯାଇଛନ୍ତି। ବିଶ୍ବର ପୂର୍ବତନ ୧ ନମ୍ବର ଖେଳାଳି ବେଲାରୁଷର ଭିକ୍ଟୋରିଆ ଆଜାରେଙ୍କା ୬-୪, ୭-୬ ସେଟ୍‌ରେ ଲାଟ୍‌ଭିଆର ଜେଲିନା ଓସ୍ତାପେଙ୍କୋଙ୍କୁ ହରାଇ ୨ୟ ରାଉଣ୍ଡରେ ପହଞ୍ଚିଛନ୍ତି।
ପୁରୁଷ ସିଙ୍ଗଲ୍‌ସ ପ୍ରଥମ ରାଉଣ୍ଡରେ ୫ମ ସିଡ୍‌ ଜର୍ମାନୀର ଆଲେକ୍‌ଜାଣ୍ଡାର ଜେରେଭ୍‌ ଅଷ୍ଟ୍ରେଲିଆର ଜନ ମିଲମ୍ୟାନଙ୍କୁ ପରାସ୍ତ କରିଛନ୍ତି। ଜେରେଭ୍‌ ୭-୬, ୬-୩, ୨-୬, ୬-୭, ୬-୩ ସେଟ୍‌ରେ ମିଲମ୍ୟାନଙ୍କୁ ହରାଇଛନ୍ତି। ଅନ୍ୟ ପ୍ରଥମ ରାଉଣ୍ଡ ମ୍ୟାଚରେ ୮ମ ସିଡ୍‌ ଆର୍ଜେଣ୍ଟିନାର ଜୁଆନ ମାର୍ଟିନ ଡେଲ ପୋଟ୍ରୋ ୩-୬, ୬-୨, ୬-୧, ୬-୪ ସେଟ୍‌ରେ ଚିଲିର ନିକୋଲାସ ଜାରିଙ୍କୁ ପରାସ୍ତ କରିଛନ୍ତି। ୯ମ ସିଡ୍‌ ଇଟାଲୀର ଫାବିଓ ଫୋଗ୍‌ନିନି ୬-୩, ୬-୦, ୩-୬, ୬-୩ ସେଟ୍‌ରେ ସ୍ବଦେଶର ଆଣ୍ଡ୍ରିଆସ ସେପିଙ୍କୁ, ୧୦ମ ସିଡ୍‌ ରୁଷର କାରେନ ଖାଚାନୋଭ୍‌ ୬-୧, ୬-୧, ୬-୪ ସେଟ୍‌ରେ ଜର୍ମାନୀର ସେଡ୍ରିକ୍‌-ମାର୍ସେଲ ଷ୍ଟିବ୍‌ଙ୍କୁ, ୧୮ଶ ସିଡ୍‌ ସ୍ପେନର ରବର୍ଟୋ ବାଟିଷ୍ଟା ଅଗୁଟ୍‌ ୬-୩, ୬-୪, ୬-୨ ସେଟ୍‌ରେ ଆମେରିକାର ଷ୍ଟିଭ୍‌ ଜନସନଙ୍କୁ, ୨୨ଶ ସିଡ୍‌ ଫ୍ରାନ୍ସର ଲୁକାସ ପୌଲି ୬-୩, ୬-୪, ୭-୫ ସେଟ୍‌ରେ ଇଟାଲୀର ସାଇମନ ବୋଲେଲିଙ୍କୁ, ୨୮ଶ ସିଡ୍‌ ବ୍ରିଟେନର କାଇଲ ଏଡ୍‌ମଣ୍ଡ ୭-୬, ୫-୭, ୬-୪, ୪-୬, ୭-୫ ସେଟ୍‌ରେ ଫ୍ରାନ୍ସର ଜେରେମି ଚାର୍ଡିଙ୍କୁ ହରାଇଛନ୍ତି।
ଡବଲ୍‌ସରେ ବୋପନ୍ନା ବିଜୟୀ
ପୁରୁଷ ଡବଲ୍‌ସରେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି ଭାରତର ରୋହଣ ବୋପନ୍ନା। ପ୍ରଥମ ରାଉଣ୍ଡରେ ବୋପନ୍ନା ଓ ରୋମାନିଆର ମାରିଅସ୍ କୋପିଲ ୬-୩, ୭-୬ ସେଟ୍‌ରେ ୬ଷ୍ଠ ସିଡ୍ ଦକ୍ଷିଣ ଆଫ୍ରିକାର ରାଭେନ୍ କ୍ଲାସେନ୍ ଓ ନ୍ୟୁଜିଲାଣ୍ଡର ମାଇକେଲ ​ଭିନସ୍‌ଙ୍କୁ ପରାସ୍ତ କରିଛନ୍ତି।

Comments are closed.