ବାକ୍‌ ସ୍ବାଧୀନତା କେତେ ସ୍ବାଧୀନ ?

ଅମ୍ବିକା ପ୍ରସାଦ ପାଣି

୧୯୫୭ରେ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର “ପ୍ୟାସା”ର ଗୀତ “ଜାନେ କ୍ୟା ତୁନେ କହି; ଜାନେ କ୍ୟା ମୈନେ ଶୁନି; ବାତ୍‌ କୁଛ୍‌ ବନ୍‌ ହି ଗୟୀ” ସାମ୍ପ୍ରତିକ ପରିସ୍ଥିତିରେ ବାକ୍‌ ସ୍ୱାଧୀନତାର ଚିତ୍ର ଓ ଚରିତ୍ରକୁ ସ୍ପଷ୍ଟ କରେ। ଏ ଗୀତର ପ୍ରଚ୍ଛଦପଟ ଓ ଅର୍ଥ ଭିନ୍ନ ହୋଇଥିଲେ ମଧ୍ୟ ସମ୍ବିଧାନ ପ୍ରଦତ୍ତ ବାକ୍‌ ସ୍ୱାଧୀନତାର ଅଧିକାରକୁ ଆଳକରି ମତ ପ୍ରଦାନ, ଗ୍ରହଣ ଓ ବିଶ୍ଳେଷଣ ପରିପ୍ରେକ୍ଷୀରେ ଏ ଗୀତର ପ୍ରାସଙ୍ଗିକତା ରହିଛି ବୋଲି ମନେହୁଏ। ନିକଟରେ ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏକ ମାମଲାର ଶୁଣାଣିକରି ରାୟ ଦେଇଥିଲେ ଯେ ସମ୍ବିଧାନ ପ୍ରଦତ୍ତ ବାକ୍‌ ସ୍ୱାଧୀନତାର ଅଧିକାର ସାମ୍ପ୍ରତିକ ସମୟର ସବୁଠୁ ବହୁଳଭାବେ ଅପବ୍ୟବହୃତ ଅଧିକାର ଅଟେ। ସମ୍ବିଧାନ ପ୍ରଣୟନର ୭୦ବର୍ଷ ପରେ ମଧ୍ୟ ଏକ ଅଧିକାରକୁ ସାବ୍ୟସ୍ତ କରିବାର ପ୍ରକ୍ରିୟା, ରାଷ୍ଟ୍ରର ଆଭିମୁଖ୍ୟ ଓ ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖିଲେ ଜଣାଯାଏ ଯେ ଏହା ଏକ ପ୍ରବୁଦ୍ଧ ଗୋଲକଧନ୍ଦା, ଯାହାର ସମୀକରଣ ନିତାନ୍ତ ପକ୍ଷେ କଷ୍ଟକର ଅଟେ। ବିଶେଷକରି କୋଭିଡ-୧୯ ପରି ବିପର୍ଯ୍ୟୟ ସମୟରେ ଏହି ବାକ୍‌ ସ୍ୱାଧୀନତା କିମ୍ବା ମତପୋଷଣ ଅଧିକାରର ଉଲ୍ଲଙ୍ଘନ ବହୁଳମାତ୍ରାରେ ବୃଦ୍ଧି ପାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମତ ଅନୁଯାୟୀ ଅଧୁନା କୋଭିଡ-୧୯ ପରି ସ୍ୱାସ୍ଥ୍ୟ ମହାମାରୀ ସହ ‘ଇନଫୋଡେମିକ୍‌ସ’ ପରି ମହାମାରୀକୁ ସାରା ବିଶ୍ୱ ସାମ୍ନା କରୁଛି। ଏହାର ଅର୍ଥ ବହୁଳ ସୂଚନାର ପ୍ରଚାରପ୍ରସାର ହେଉଛି, ଯେଉଁଥିରୁ ଗୁଜବ, ଅପପ୍ରଚାର, ଗୁଲିଗପ, ମିଥ୍ୟାଖବରର ସଂଖ୍ୟା ସର୍ବାଧିକ ଅଟେ। ଭାରତରେ ଇନଫୋଡେମିକ୍‌ସର ପରିସୀମା କୋଭିଡର ଉତ୍ପତ୍ତିଠାରୁ ଆରମ୍ଭକରି ଉପଚାର ଯାଏ ବ୍ୟାପ୍ତ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ କେବଳ ମାର୍ଚ୍ଚ ମାସରେ ସାରା ବିଶ୍ୱରେ କୋଭିଡ-୧୯ ସଂକ୍ରାନ୍ତ ୟୁଟ୍ୟୁବରେ ଅପ୍‌ଲୋଡ ହୋଇଥିବା ଭିଡିଓ ସଂଖ୍ୟା ୩୬ କୋଟି ୧୦ ଲକ୍ଷ। ଆଗକୁ ନିର୍ବାଚନ ଓ ଉପନିର୍ବାଚନ ପରିବେଶ ଉଷ୍ମ ହେବାକୁ ଯାଉଥିବାରୁ ବାକ୍‌ ସ୍ବାଧୀନତା ଊଲ୍ଲଙ୍ଘନ ଅଭିଯୋଗ ସଂଖ୍ୟା ବୃଦ୍ଧି ପାଇବ। ନିକଟରେ ମଧ୍ୟପ୍ରଦେଶର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏକ ନିର୍ବାଚନି ସଭାରେ ଅନ୍ୟ ଦଳର ଜଣେ ମହିଳା ପ୍ରାର୍ଥିନୀଙ୍କୁ ‘ଆଇଟମ’ ବୋଲି ସମ୍ବୋଧନ କରିବାକୁ ନେଇ ରାଜନୀତି ଜୋର ଧରିଛି। ଏସବୁ ଘଟଣାବଳୀକୁ ଦେଖିସାରିଲା ପରେ ବାକ୍‌ ସ୍ୱାଧୀନତାର ଯଥାର୍ଥତାକୁ ନେଇ ଯେତିକି ପ୍ରଶ୍ନ ନୁହେଁ ବରଂ ତା’ଠୁ ଅଧିକ ଚର୍ଚ୍ଚା ଏଇ ଅଧିକାରର ଲକ୍ଷ୍ମଣରେଖାକୁ ନେଇ ହେବା ଉଚିତ ବୋଲି ମତ ପ୍ରକାଶ ପାଇଛି।

ଭାରତୀୟ ସମ୍ବିଧାନର ଧାରା ୧୯ (୧) (କ) ଅନୁସାରେ ପ୍ରତ୍ୟେକ ନାଗରିକର ବାକ୍‌ ସ୍ୱାଧୀନତା ଅବା ସ୍ବାଧୀନ ଭାବେ ମତପୋଷଣର ଅଧିକାର ରହିଛି। ଧାରା ୧୯ (୨) ଅନୁସାରେ ରାଷ୍ଟ୍ର ସୁରକ୍ଷା ଓ ସାର୍ବଭୌମତ୍ୱ, ପଡ଼ୋଶୀ ରାଷ୍ଟ୍ର ସହ ବନ୍ଧୁତା, ଜନଶୃଙ୍ଖଳା, ଶିଷ୍ଟତା ଓ ନୈତିକତା, ଅପରାଧିକ ଅଦାଲତ ଅବମାନନା, ମାନହାନି, ଦେଶଦ୍ରୋହ, ଅପରାଧ ଓ ହିଂସାକାଣ୍ଡ ପାଇଁ ଉସୁକେଇବା ଆଦି କ୍ଷେତ୍ରରେ ରାଷ୍ଟ୍ରଦ୍ୱାରା ନାଗରିକର ବାକ୍‌ ସ୍ୱାଧୀନତା ଉପରେ ନ୍ୟାୟସଂଗତ ଅଙ୍କୁଶ ଲାଗୁହୋଇପାରିବ ବୋଲି ପ୍ରାବଧାନ ରହିଛି। ପରିତାପର ବିଷୟ ଯେ ଏଇ ଅଧିକାରର ଗୁରୁତ୍ୱକୁ ଉପଲବ୍ଧି କରିବାର ଆବଶ୍ୟକୀୟ ବିଚାରବୋଧର ଅନୁପସ୍ଥିତି ହିଁ ଆଜି ଏପରି ଏକ ପରିସ୍ଥିତି ସୃଷ୍ଟି କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ହେଲା ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର ବାକ ସ୍ୱାଧୀନତା ଅଧିକାରର ଉଲ୍ଲଙ୍ଘନ କିମ୍ବା ମାତ୍ରାଧିକ ରାଷ୍ଟ୍ର ନିୟନ୍ତ୍ରଣକୁ ଖୋରାକ ଯୋଗାଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏହା ସତ୍ୟ ଯେ ସାମାଜିକ ଗଣମାଧ୍ୟମ ପ୍ରକୃତ ଜନମତର ପ୍ରତିଫଳନ ନହେଲେ ମଧ୍ୟ ଜନମତକୁ କେତେକାଂଶରେ ପ୍ରଭାବିତ କରିବା ସହ ବିଭ୍ରାନ୍ତ କରିଥାଏ, ଯାହା ଫଳରେ ମିଥ୍ୟା ଖବର, ଗୁଜବ, ଘୃଣିତ ମନ୍ତବ୍ୟ, ହିଂସାକାଣ୍ଡ, ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହେବାର ଯଥେଷ୍ଟ ନଜିର ରହିଛି। ‘କ୍ଲିକ ଓ ଫରୱାର୍ଡ଼’ ଅର୍ଥାତ୍‌ ଦେଖି-ଶୁଣି ଆଗକୁ ପଠାଅ ରୂପକ ଆଳାପ-ବ୍ୟାକରଣ ସମ୍ପନ୍ନ ସାମାଜିକ ଗଣମାଧ୍ୟମର ବ୍ୟବହାର ବ୍ୟକ୍ତିର ବ୍ୟବହାରକୁ ନିୟନ୍ତ୍ରଣ କରି କେବଳ ସୂଚନା ପ୍ରଦୂଷଣ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ। ଆମେରିକାର ଏମ.ଆଇ.ଟି. ଶିକ୍ଷାନୁଷ୍ଠାନ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡ଼େ ଯେ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଖବର ତଥା ଗୁଜବର ପ୍ରଚାର ପ୍ରସାରର ମାତ୍ରା ସାଧାରଣ ତଥ୍ୟସମ୍ବଳିତ ସୂଚନା ପ୍ରଦାନକାରୀ ପ୍ରସଙ୍ଗର ପ୍ରଚାର ପ୍ରସାର ଠାରୁ ୭୦% ଅଧିକ।

ଯେତେବେଳେ ଏଇ ଅଧିକାରକୁ ସାବ୍ୟସ୍ତ କରାଯାଏ ସେତେବେଳେ ମନେ ରଖିବା ଉଚିତ ଯେ ସରକାରୀ ନୀତିକୁ ସମାଲୋଚନା କରିବା ଓ ସମାଜର କୌଣସି ବ୍ୟକ୍ତି ବା ଗୋଷ୍ଠୀଙ୍କୁ କଟାକ୍ଷ କରିବା ମଧ୍ୟରେ ପାର୍ଥକ୍ୟ ରହିଛି। ସେ ସମାଲୋଚନା ବା କଟାକ୍ଷ ବେଳେବେଳେ ଘୃଣିତ ମନ୍ତବ୍ୟର ସ୍ଥାନ ନେଇଯାଏ, ଯାହାକି ଜଣେ ବ୍ୟକ୍ତି କିମ୍ବା ଗୋଷ୍ଠୀର ଜାତି, ଧର୍ମ, ଭାଷା, ବର୍ଣ୍ଣ, ଲିଙ୍ଗ, ସାମାଜିକ ଶ୍ରେଣୀ, ଆଦର୍ଶବାଦ, ଚେହେରା, ମାନସିକ ଅବସ୍ଥାକୁ ଭିତ୍ତିକରି ପ୍ରୟୋଗ ହୋଇଥାଏ। ଦାର୍ଶନିକ ପ୍ଲାଟୋଙ୍କ ମତରେ ‘ନୀରବତା ହିଁ ସ୍ୱୀକୃତି’ କିମ୍ବା ମାର୍ଟିନ ଲୁଥର କିଙ୍ଗ (କନିଷ୍ଠ)ଙ୍କ ମତରେ ‘ପରିପାର୍ଶ୍ୱରେ ସର୍ବାଧିକ ପ୍ରଭାବ ପକାଉଥିବା ଘଟଣାବଳୀ ଉପରେ ନିରବ ରହିବା ଦିନ ହିଁ ଜୀବନର ଅନ୍ତ ହୁଏ’ ଆଦି ସିଦ୍ଧାନ୍ତ ମତ ପରିପ୍ରକାଶର ଏକ ସକାରାତ୍ମକ ଦିଗକୁ ସୂଚାଏ।

ଏ କଥା ସ୍ବୀକାରଯୋଗ୍ୟ ଯେ ସମୟ ବଦଳିବା ସହ ବାକ ସ୍ୱାଧୀନତା ଉପରେ ଅଙ୍କୁଶ ଲଗେଇବାର ଚେଷ୍ଟା ପର୍ଯ୍ୟାୟକ୍ରମେ ବୃଦ୍ଧି ପାଇଛି। କୌଣସି ଅବ୍ୟବସ୍ଥାକୁ ନେଇ ସମାଲୋଚନା କଲା ମାତ୍ରେ ଦେଶଦ୍ରୋହ ମାମଲା ରୁଜୁ କରିବାର ପ୍ରକ୍ରିୟା ଆରମ୍ଭ ହୁଏ କିମ୍ବା କୌଣସି ବ୍ୟକ୍ତି ବିଶେଷଙ୍କୁ ପ୍ରଲୋଭନ ଦେଖାଇ ତାଙ୍କ ମାଧ୍ୟମରେ ମାନହାନି ମୋକଦ୍ଦମା କରିବାର ଧମକ ମିଳେ। ଇତିହାସରୁ ଏହା ପ୍ରମାଣିତ ଯେ ବାକ ସ୍ୱାଧୀନତା ଆଳରେ ନ୍ୟାୟାଳୟର ରାୟ ଆସିଲା ପୂର୍ବରୁ କିଛି ଗଣମାଧ୍ୟମ ଶୁଣାଣି/ବିଚାର ପ୍ରକ୍ରିୟା ଆରମ୍ଭ କରି ଦୋଷୀ ଓ ନିର୍ଦୋଷ ସ୍ଥିର କରିନିଅନ୍ତି, ଯାହାକି ଜନମତକୁ ବିଭ୍ରାନ୍ତ କରିଥାଏ। ୨୦୧୦ର ଜେସିକାଲାଲ ମାମଲା କିମ୍ବା ୨୦୧୩ର ଆଋଷି ହତ୍ୟାକାଣ୍ଡ ଘଟଣା କିମ୍ବା ୨୦୨୦ର ସୁଶାନ୍ତ ସିଂ ରାଜପୁତ ମାମଲାରେ କିଛି ଗଣମାଧ୍ୟମର ବାକ୍‌ ସ୍ବାଧୀନତା ଓ ସ୍ୱାଧୀନ ଭାବେ ମତପୋଷଣର ଅଧିକାରର ଖୋଲା ଉଲ୍ଲଙ୍ଘନ ଦେଖିବା ପାଇଁ ମିଳେ। ସମାଜବିଜ୍ଞାନୀ ଆଣ୍ଡ୍ରେ ବେତେଙ୍କ ମତରେ ଗଣତନ୍ତ୍ରର ଦୃଢ଼ତାକୁ ମାପିବା ପାଇଁ ଗୋଟିଏ ସରକାର କେତେ ଶକ୍ତିଶାଳୀ ତାହା ଏକ ମାନଦଣ୍ଡ ନୁହେଁ ବରଂ ସେ ଗଣତନ୍ତ୍ରର ଦୃଢ଼ତା ବିରୋଧୀଙ୍କ ସାମର୍ଥ୍ୟ ତଥା ବିରୋଧର ସୁଯୋଗ ଓ ସ୍ଥାନ ଉପରେ ନିର୍ଭରଶୀଳ। ଯେତେବେଳେ ଭିନ୍ନମତକୁ ପରିପ୍ରକାଶର ସୁଯୋଗ ମିଳେ ନାହିଁ ସେତେବେଳେ ତାହା ମିଥ୍ୟା, ଗୁଜବ, ଗୁଲିଗପ ଆଦିର ରୂପନିଏ। ୧୯୬୨ରେ ଏକ ମାମଲାର ଶୁଣାଣିକରି ସର୍ବୋଚ୍ଚ ନ୍ୟାୟାଳୟ ମତ ଦେଇଥିଲେ ଯେ ଜଣେ ନାଗରିକର ନିଜ ଇଚ୍ଛା ଅନୁଯାୟୀ ମତପୋଷଣ କରିବାର ଅଧିକାର ରହିଛି ଏବଂ ଶାସନ ବ୍ୟବସ୍ଥା ପ୍ରତି ସେ ମତ ସମାଲୋଚନାମୂଳକ ହୋଇପାରେ କିମ୍ବା ସାଧାରଣ ମତ/ମନ୍ତବ୍ୟ ହୋଇପାରେ। ଏହି ଅଧିକାର ସେତେବେଳ ପର୍ଯ୍ୟନ୍ତ କେବଳ ଅଧିକାରରେ ସୀମିତ, ଯେ ପର୍ଯ୍ୟନ୍ତ ମତପୋଷଣ ବା ମନ୍ତବ୍ୟ ପ୍ରଦାନ ଏକ ରାଷ୍ଟ୍ରର ସରକାରଙ୍କ ବିରୁଦ୍ଧରେ ହିଂସାକାଣ୍ଡ ପାଇଁ ଜନତାଙ୍କୁ ଉସୁକେଇବା କିମ୍ବା ଜନବିଶୃଙ୍ଖଳା ସୃଷ୍ଟି ଉଦ୍ରେକକାରୀ ନୁହେଁ। ଅଧିକାର ଊଲ୍ଲଙ୍ଘନ କ୍ଷେତ୍ରରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନ୍ୟାୟିକ ପ୍ରକ୍ରିୟା ବିଳମ୍ବିତ ହୋଇପାରେ; କିନ୍ତୁ ଅତୀତରେ ଅନେକ ଘଟଣାରୁ କିଛି ତ ଶିକ୍ଷାଲାଭ କରିବାର ଆବଶ୍ୟକତା ରହିଛି। ପ୍ରଶାନ୍ତ ଭୂଷଣଙ୍କ ଅଦାଲତ ଅବମାନନା ରାୟରେ ‘ଏକ ଟଙ୍କା’ର ଅର୍ଥଦଣ୍ଡ ସୂଚେଇଦିଏ ଯେ ବାକ୍‌ ସ୍ୱାଧୀନତା ଅଧିକାର କିମ୍ବା ସ୍ବାଧୀନଭାବେ ମତପୋଷଣ ଅଧିକାର ସାବ୍ୟସ୍ତର ଦାୟିତ୍ୱ ନିଜ ହାତରେ ଅର୍ଥାତ୍‌ ‘ଟ୍ୱିଟ ଆଟ ୟୋର ଓନ ରିସ୍କ’ରେ ରହିଛି।

ସମ୍ବିଧାନରେ ଜୀବନଧାରଣ ଅଧିକାର ପରେ ସ୍ବାଧୀନଭାବେ ମତପୋଷଣର ଅଧିକାର ଅବା ବାକ୍‌ ସ୍ୱାଧୀନତାର ଅଧିକାର ବ୍ୟକ୍ତି ସ୍ୱତନ୍ତ୍ରତା କ୍ଷେତ୍ରରେ ଦ୍ବିତୀୟ ଗୁରୁତ୍ୱପୂର୍ଣ୍ଣ ଅଧିକାର ଭାବେ ବିବେଚିତ ହୁଏ। ବାକ୍‌ ସ୍ୱାଧୀନତା ଉପରେ ଗୁରୁତ୍ୱାରୋପ କରିବା ଯେପରି ଏକ ଆବଶ୍ୟକତା, ବାକ୍‌ ସଂଯମତା ଉପରେ ନିରୀକ୍ଷଣ ରଖିବା ସେତିକି ବାଧ୍ୟବାଧକତା। ମତ ମନ୍ତବ୍ୟ ପ୍ରଦାନ କିମ୍ବା ବାକ୍‌ ସ୍ୱାଧୀନତାର ଅଧିକାର ଥାଇପାରେ; କିନ୍ତୁ ସେଇ ମତ ମନ୍ତବ୍ୟରେ ବ୍ୟବହୃତ ସୂଚନା କିମ୍ବା ତଥ୍ୟ କୌଣସି ଅଧିକାର ପରିସୀମାଭୁକ୍ତ ନୁହେଁ ଯେ ପର୍ଯ୍ୟନ୍ତ ସେ ତଥ୍ୟ ରାଷ୍ଟ୍ରଦ୍ୱାରା ସୀକୃତପ୍ରାପ୍ତ ନୁହେଁ। ରାଷ୍ଟ୍ର ମଧ୍ୟ ଅଙ୍କୁଶ ପ୍ରୟୋଗ କରି ଅଧିକାରକୁ ସଂକୁଚିତ କରିବାର ଅପଚେଷ୍ଟାରୁ ଦୂରେଇ ରହି ଗଠନମୂଳକ ସମାଲୋଚନାକୁ ପ୍ରଶ୍ରୟ ଦେବା ଉଚିତ। କାରଣ ଭୁଲିଯିବା ଉଚିତ ନୁହେଁ କି ଭାଷାର କେବେ ନିରୀହତା ପ୍ରମାଣ କରାଯାଇପାରେ ନାହିଁ; ସେ ଭାଷା ନାଗରିକର ହେଉ କିମ୍ବା ରାଷ୍ଟ୍ରର।

Comments are closed.