ସ୍ୱାଧୀନତା ସଂଗ୍ରାମୀ କୃପାସିନ୍ଧୁ ନାୟକଙ୍କ ପରଲୋକ

ତିହିଡି : ସ୍ୱାଧୀନତା ସଂଗ୍ରାମୀ କୃପାସିନ୍ଧୁ ନାୟକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ହୋଇଥିଲା। ଭଦ୍ରକ ଜିଲା ତିହିଡି ବ୍ଲକ ସୟା ପଞ୍ଚାୟତ ଅଧୀନ ମାଧପୁର ନାୟକସାହିରେ ସ୍ୱର୍ଗତ ନାୟକଙ୍କ ଘର। କିଛି ମାସ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ସୋମବାର ସନ୍ଧ୍ୟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମାତ୍ର ୨୦ବର୍ଷ ବୟସରେ ବେଳୁ ତିହିଡ଼ି ଅଞ୍ଚଳର ତତ୍କାଳୀନ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଉଥିବା ସ୍ୱର୍ଗତ ଭାଗବତ ପ୍ରସାଦ ସାହୁ ଓ ସ୍ୱର୍ଗତ ନୀଳମଣି ରାଉତରାୟଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ସେ କଂଗ୍ରେସ ଦଳରେ ଯୋଗଦେଇଥିଲେ। ୧୯୪୨ ମସିହାରେ ଫିରିଙ୍ଗି ଶାସନ ବିରୋଧରେ ସଂଗ୍ରାମ କରି ଭଦ୍ରକ ଜେଲରେ ୧୦୦ଦିନ କାରାବରଣ କରିଥିଲେ। କେବଳ ସ୍ୱାଧୀନତା ପ୍ରାପ୍ତି ନିମିତ୍ତ ନୁହେଁ ତାଙ୍କର ସଂଗ୍ରାମୀ ଚେତନା ତାଙ୍କୁ କଲକାତାର ଖିଦିରିପୁରରେ ଥିବା ମଜଦୁର ସଂଘର ସମ୍ପାଦକ ଭାବରେ ମଧ୍ୟ ପ୍ରତିଷ୍ଠିତ କରି ପାରିଥିଲା। ଦେଶ ସ୍ବାଧୀନ ହେବା ପରେ ସେ ପରିବାର ପୋଷଣ ପାଇଁ ଭଦ୍ରକ କଚେରିରେ ମୋହରିର ଭାବରେ ଦୀର୍ଘଦିନ କାର୍ଯ୍ୟ କରି ଆସୁଥିଲେ। ମୃତ୍ୟୁ ସମୟରେ ତାଙ୍କର ଧର୍ମପତ୍ନୀ କମଳା ନାୟକ, ପୁଅ ଅକ୍ଷୟ, ବିଜୟ, ଅମର ଓ ଅନ୍ୟ ପରିବାରବର୍ଗ ଉପସ୍ଥିତ ଥିଲେ।

Comments are closed.