ଆଇସିୟୁରେ ସ୍ୱାଧୀନତା ସଂଗ୍ରାମୀ ଭବାନୀ ପଟ୍ଟନାୟକ

ଚିକିତ୍ସା ପାଇଁ ଗରୁତ୍ୱପୂର୍ଣ୍ଣ ବୈଠକ ଓ ଗଠନ ହେଲା ସ୍ୱତନ୍ତ୍ର ଡାକ୍ତରୀ ଟିମ୍‍

ଭୁବନେଶ୍ୱର : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଦେହ ଖରାପ ଥିବାରୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ତାଙ୍କୁ ଏକ ଅଭିଜ୍ଞତା ସମ୍ପନ୍ନ ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି।
ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ତାଙ୍କୁ ହସ୍ପିଟାଲରେ ଭେଟିବା ସହ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗଇଦେବାକୁ ମନ୍ତ୍ରୀ ଶ୍ରୀ ଦାଶ ଅନୁରୋଧ କରିଥିଲେ।
ତାଙ୍କ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ୟାପିଟାଲ ହସ୍ପିଟାଲରେ ଅନୁଷ୍ଠିତ ବୈଠକରେ ହେମାଟୋଲୋଜି ପ୍ରଫେସର ରବୀନ୍ଦ୍ର ଜେନା, ଏସ୍‍ସିବି ପଲମୋନାରୀ ମେଡିସିନ ବିଭାଗ ପ୍ରଫେସର ମନୋରଞ୍ଜନ ପଟ୍ଟନାୟକ,କ୍ୟାପିଟାଲ ମେଡିକାଲ ନିର୍ଦେଶକ ଡ.ଅଶୋକ କୁମାର ପଟ୍ଟନାୟକ, ଆଇସିୟୁ ଇନ୍‍ଚାର୍ଜ ଡ.ଲମ୍ବୋଦୋର ପଣ୍ଡା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ, ନିମାପଡା ସହିଦ ସ୍ମୃତି ସଂସଦ ସମ୍ପାଦକ ଡ.ବେଣୁଧର ସେନାପତି, ପଦ୍ମଶ୍ରୀ ପଟ୍ଟାନୟକଙ୍କ ପୁଅ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଓ ସୁରେଶ ଚନ୍ଦ୍ର ପଟ୍ଟନାୟକ ଉପସ୍ଥିତ ଥିଲେ।
ଏହି ବୈଠକରେ ନିଷ୍ପତ୍ତି ହୋଇଛି ଯେ, କ୍ୟାପିଟାଲ ହସ୍ପିଟାଲ ଆଇସିୟୁରେ ତାଙ୍କ ଚିକିତ୍ସା ଜାରି ରହିବ। ଆବଶ୍ୟକସ୍ଥଳେ ଅନ୍ୟ ପ୍ରତିଷ୍ଠିତ ମେଡିକାଲର ଡାକ୍ତର ତାଙ୍କ ଚିକିତ୍ସା କାର୍ଯ୍ୟରେ ନିୟୋଜିତ ହେବେ। ମନ୍ତ୍ରୀ ଶ୍ରୀ ଦାଶ ଡାକ୍ତରୀ ଦଳ ସହ ବିସ୍ତୃତ ଭାବେ ଆଲୋଚନା କରିବା ସହ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।
ସେହିପରି ପଦ୍ମଶ୍ରୀ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ବନ୍ଧରେ ଚିକିତ୍ସା କରୁଥିବା ଡାକ୍ତରୀ ଦଳଙ୍କ ସହ ମହାକାଳପଡ଼ା ବିଧାୟକ ତଥା ଓଡ଼ିଶା ମୋ’ ପରିବାରର ଆବାହକ ଅତନୁ ସବ୍ୟସାଚୀ ନାୟକ ଆଲୋଚନା କରିଛନ୍ତି। କିଭଳି ଭାବେ ସ୍ୱାସ୍ଥ୍ୟରେ ଉନ୍ନତି ଆସିପାରିବେ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ନାୟକ ଡାକ୍ତରଙ୍କୁ ଅନୁରୋଧ କରିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Comments are closed.