ଭାରତୀୟ ସ୍ୱାଧୀନତା ସଂଗ୍ରାମର ଏକମାତ୍ର ଆମେରିକୀୟ ସଂଗ୍ରାମୀ

0

ଆମେରିକାର ଫିଲାଡେଲ୍‍ଫିଆ ବାସିନ୍ଦା ଏକ ଧନାଢ୍ୟ ପରିବାରର ସନ୍ତାନ ସାମୁଏଲ ଇଭାନ୍ସ ଷ୍ଟୋକ୍‍ସ ଜୁନିଅର କୁଷ୍ଠରୋଗରେ ଆକ୍ରାନ୍ତଙ୍କ ସେବା ଲାଗି ଭାରତ ଆସିଥିଲେ। ଭାରତରେ ରହିବା ମଧ୍ୟରେ ସେ ପାଲଟିଗଲେ ସ୍ୱାଧୀନତା ସଂଗ୍ରାମୀ, ସାମୁଏଲରୁ ହୋଇଗଲେ ସତ୍ୟାନନ୍ଦ। ପିତା ଷ୍ଟୋକ୍‍ସ ସିନିଅର ଜଣେ ଶିଳ୍ପପତି ଥିଲେ, କିନ୍ତୁ ବଡପୁଅ ସାମୁଏଲଙ୍କର ବ୍ୟବସାୟରେ ଆଦୌ ରୁଚି ନଥିଲା। ୧୯୦୪ରେ ୨୨ବର୍ଷର ସାମୁଏଲ ନିଜ ବିଳାସମୟ ଜୀବନ ଛାଡି ଭାରତ ଆସି ଶିମ୍‍ଲାର ହିମାଳୟ କୋଳରେ ରହି କୁଷ୍ଠ ରୋଗୀଙ୍କ ସେବା କରିବାକୁ ନିଷ୍ପତ୍ତି ନେଲେ। ଏ ସମ୍ପର୍କରେ ତାଙ୍କ ଆତ୍ମଜୀବନୀ ‘ଆନ୍‍ ଆମେରିକାନ୍‍ ଇନ୍‍ ଗାନ୍ଧୀସ୍‍ ଇଣ୍ଡିଆ’ରେ ଅଣନାତୁଣୀ ଆଶା ଶର୍ମା ଉଲ୍ଲେଖ କରିଛନ୍ତି। ପିତା ଭାବିଥିଲେ, ସାମୁଏଲ କିଛିଦିନ ଭାରତରେ କୁଷ୍ଠରୋଗୀଙ୍କ ସେବା କରି ଫେରିଆସିବେ। ସେଥିପାଇଁ ତାଙ୍କର ଯିବାଆସିବା ଓ ରହିବା ଖର୍ଚ୍ଚ ଲାଗି ଅର୍ଥ ଯୋଗାଇଦେଲେ ସେ। ସାମୁଏଲ କିନ୍ତୁ ଶିମ୍‍ଲାର କୋଟଗଡଠାରେ ରହି ସେଠାକାର ବାସିନ୍ଦାଙ୍କ ସେବା ସହ ସେମାନଙ୍କ ସହ ମିଶିବା ଲାଗି ନିଜ ଭାଷା ଏବଂ ପୋଷାକ ବଦଳାଇଥିଲେ। ୧୯୧୨ରେ ଜଣେ ରାଜପୁତ-ଖ୍ରୀଷ୍ଟିଆନ୍‍ କନ୍ୟା ବେଞ୍ଜାମିନ ଆଗ୍ନେଶଙ୍କୁ ବିବାହ କରି ଦୁହେଁ ଏକାଠି ସେବାକାର୍ଯ୍ୟରେ ଲାଗିଗଲେ। ହିମାଳୟ ପାଦଦେଶରେ ଘର କରି ରହିଲେ ବି ପାହାଡି ଲୋକମାନଙ୍କର ଦାରିଦ୍ର୍ୟ ସାମୁଏଲ୍‍ଙ୍କୁ ବିବ୍ରତ କରୁଥିଲା। ସେଠାରେ କିଛି ଫଳ ଚାଷ କରି ସେମାନଙ୍କୁ ଆର୍ଥିକ ଦିଗରୁ ଉନ୍ନତ କରାଯାଇପାରେ ବୋଲି ସେ ଚିନ୍ତା କଲେ।
୧୯୧୬ରେ ଆମେରିକାର ଲୁଇସିଆନାଠାରେ ବିକଶିତ କରାଯାଇଥିବା ଏକପ୍ରକାର ସେଓ ହିମାଳୟ ଅଞ୍ଚଳରେ ଚାଷ କରାଯାଇପାରିବ ଜାଣି ସେ ନିଜ ଜମିରେ ସେଓ ଲଗାଇବା ସହ ସେଠାକାର ବାସିନ୍ଦାଙ୍କୁ ଏଥିପାଇଁ ପ୍ରେରଣା ଯୋଗାଇଥିଲେ। ଏହିଠାରୁ ହିମାଚଳୀ ସେଓ ଚାଷ ଆରମ୍ଭ ହୋଇଥିଲା। ହିମାଚଳର ଯୁବକମାନଙ୍କୁ ବ୍ରିଟିଶ ସରକାର ବାଧ୍ୟକରି ସେନାରେ ପ୍ରବେଶ କରାଉଥିବାରୁ ଏହାକୁ ବିରୋଧ କରିଥିଲେ ସାମୁଏଲ। ଏହାପରେ ଜାଲିଆଁୱାଲାବାଗ ଗଣହତ୍ୟା ପରେ ବ୍ରିଟିଶ ବିରୋଧୀ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ ସେ। ପରେ ହିନ୍ଦୁଧର୍ମ ଗ୍ରହଣ କରି ସେ ନିଜର ନାମ ପରିବର୍ତ୍ତନ କରିଥିଲେ ସତ୍ୟାନନ୍ଦ ଏବଂ ପତ୍ନୀ ବେଞ୍ଜାମିନ ହୋଇଥିଲେ ପ୍ରିୟାଦେବୀ। ଦୁହେଁ ନିଜ ପିଲାମାନଙ୍କୁ ଭାରତୀୟ ସଂସ୍କାର ଦେଇ ବଢାଇଥିଲେ। ସାମୁଏଲ ଏବଂ ଭାରତ ପରସ୍ପରକୁ ଏପରି ଆଦରି ନେଇଥିଲେ ଯେ ଏବେ ବି ଶିମଲାର କୋଟଗଡଠାରେ ତାଙ୍କର ସମାଧି ରହିଛି।

Leave A Reply