ଆଜିଠାରୁ ଦେଶର ସମସ୍ତ ୧୮ ବର୍ଷରୁ ଅଧିକ ନାଗରିକଙ୍କୁ ମାଗଣା ଟିକା

ନୂଆଦିଲ୍ଲୀ: ଦେଶରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତ ନାଗରିକଙ୍କୁ ଆଜିଠାରୁ ମାଗଣା ଟିକାକରଣ ଆରମ୍ଭ ହୋଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍‍ ୭ ତାରିଖରେ ଏ ସମ୍ପର୍କରେ ଘୋଷଣା କରିଥିଲେ । ସମସ୍ତ ସରକାରୀ ସ୍ୱାସ୍ଥ୍ୟସେବା ସ୍ଥଳରେ ଏଥିପାଇଁ କୋଭିଡ ଟିକା ମାଗଣାରେ ଉପଲବ୍ଧ ହେବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାର ଟିକା ନିର୍ମାତାଙ୍କ ନିକଟରୁ ୭୫% ଟିକା ସଂଗ୍ରହ କରି ତାହା ରାଜ୍ୟ ସରକାରମାନଙ୍କୁ ମାଗଣାରେ ଯୋଗଇଦେବେ । ନୂଆ ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ କେନ୍ଦ୍ର ସଂଗ୍ରହ କରୁଥିବା ସମସ୍ତ ଟିକା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ସେମାନଙ୍କ ଜନସଂଖ୍ୟା ଆଧାରରେ ଯୋଗାଇ ଦିଆଯିବ । ତେବେ ଘରୋଇ ଡାକ୍ତରଖାନାଗୁଡିକ ନିମନ୍ତେ ଟିକା ନିର୍ମାତା ମାନେ ପ୍ରତ୍ୟେକ ପ୍ରକାର ଟିକା ମୂଲ୍ୟ ସର୍ବସାଧାରଣରେ ଘୋଷଣା କରିବେ । ସମସ୍ତ ନାଗରିକଙ୍କୁ ମାଗଣା ଟିକା ଦେବା ବ୍ୟବସ୍ଥା କରାଯାଇଥିବାବେଳେ ଯେଉଁମାନେ ଏଥିପାଇଁ ଅର୍ଥ ପ୍ରଦାନ କରିବାକୁ ଚାହାନ୍ତି, ସେମାନେ ଘରୋଇ ଡାକ୍ତରଖାନାଗୁଡିକୁ ଯାଇ ଟିକା ନେଇପାରିବେ । ଏଥିସହିତ ଟିକାକରଣ କରୁଥିବା ଘରୋଇ ଡାକ୍ତରଖାନାଗୁଡିକ ନିମନ୍ତେ ମଧ୍ୟ ପ୍ରତ୍ୟେକ ଟିକା ପାଇଁ ସରକାର ମୂଲ୍ୟ ସ୍ଥିର କରିଛନ୍ତି । ସେମାନେ ପ୍ରତି ପାନ କୋଭିଶିଲ୍ଡ ଟିକା ପାଇଁ ୭୮୦ ଟଙ୍କା, କୋଭାକ୍ସିନ ପାଇଁ ୧୪୧୦ ଟଙ୍କା ଏବଂ ସ୍ପୁଟନିକ ଭି ପାଇଁ ୧୧୪୫ ଟଙ୍କା ନେଇପାରିବେ ।

Comments are closed.