୫ ମାସ ଯାଏ ଗରିବଙ୍କୁ ମାଗଣା ଚାଉଳ-ଗହମ, ୩ ମାସ ପାଇଁ ରନ୍ଧନ ଗ୍ୟାସ

ସହରାଞ୍ଚଳ​‌​‌ର ପ୍ରବାସୀ ଓ ଗରିବ ଶ୍ରମିକଙ୍କ ପାଇଁ ନିର୍ମାଣ ହେବ ଶସ୍ତା ଭଡ଼ାଘର

ଅଗଷ୍ଟ ମାସ ପର୍ଯ୍ୟନ୍ତ କର୍ମଚାରୀଙ୍କ ଇପିଏଫ୍ ଜମା କରିବେ ସରକାର 
ଖାଲିପଡିଥିବା ସମସ୍ତ ସରକାରୀ ଆବାସିକ କମ୍ପ୍ଲେକ୍ସ ହେବ ଏଆରଏଚସିଏସ୍
ଆଉ ତିନି ମାସେ ଯାଏ ସରକାର ଦେବେ ଇପିଏଫଓ ଯୋଗଦାନ

ନୂଆଦିଲ୍ଲୀ : ଦେଶର ଗରିବଙ୍କୁ ୩ମାସ ପାଇଁ ମାଗଣା ରନ୍ଧନ ଗ୍ୟାସ ଓ ୫ ମାସ ପାଇଁ ଖାଦ୍ୟଶସ୍ୟ ଯୋଗାଇବେ କେନ୍ଦ୍ର ସରକାର । ସେହିପରି ସହରାଞ୍ଚଳର କରିବଙ୍କୁ ଶସ୍ତାରେ ଭଡ଼ାଘର ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକରେ ହୋଇଛି ଏପରି ନିଷ୍ପତ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି ।​‌ ବୈଠକରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ମିଆଦ ବୃଦ୍ଧିକୁ ମଞ୍ଜୁରି ଦିଆଯାଇଛି। କୋଭିଡ-୧୯ ମହାମାରୀ ସମୟରେ ଆର୍ଥିକ ସୁବିଧା ସୁଯୋଗ ପ୍ରଦାନ ପାଇଁ ଏହାର ମିଆଦକୁ ଆଉ ପାଞ୍ଚ ମାସ ବୃଦ୍ଧି କରାଯାଇଛି । ଏହି ଯୋଜନା ଅଧୀନରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ହିତାଧିକାରୀମାନଙ୍କୁ ୯.୭ ଲକ୍ଷ ଟନ ଚଣା ପ୍ରଦାନ କରାଯିବ। ଜାତୀୟ ଖାଦ୍ୟ ନିରପତ୍ତା ଆଇନ ୨୦୧୩ ଅନ୍ତର୍ଭୁକ୍ତ ପ୍ରତି ଘରକୁ ଆସନ୍ତା ୫ ମାସ ପାଇଁ ୧ କେଜି ଲେଖାଏଁ ଚଣା ଦିଆଯିବ। ଏବାବଦ ପ୍ରାୟ ୬୮୪୯.୨୪ କୋଟି ଟଙ୍କା ବ୍ୟୟ ଆକଳନ କରାଯାଇଛି । ଏହି ଯୋଜନା ଅଧୀନରେ ୧୯.୪ କୋଟି ଘର ଅନ୍ତର୍ଭୁକ୍ତ ହେବେ। ପୂର୍ବରୁ  ଜୁନ୍‌ ୩୦ରେ ଯୋଜନାର ମିଆଦକୁ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ସରକାର ଘୋଷଣା କରିଥିଲେ ।

ସେହିଭଳି ବୈଠକରେ ସହରାଞ୍ଚଳର ପ୍ରବାସୀ ଓ ଗରିବ ଶ୍ରମିକଙ୍କ ପାଇଁ ସୁଲଭ ଭଡାଘର କମ୍ପ୍ଲେକ୍ସ (ଏଆରଏଚ୍‌ସିଏସ୍‌) ନିର୍ମାଣ ସମ୍ପର୍କିତ ଏକ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳର ଏକ ଉପଯୋଜନା ଭାବେ ଏହା କାର୍ଯ୍ୟକାରୀ ହେବ ଏବଂ ଏହାର ନାମ ପିଏମ୍‌ଏୱାଇ-ୟୁ ରହିବ। ଏହା ନିମ୍ନଲିଖିତ ବ୍ୟବସ୍ଥାରେ କାର୍ଯ୍ୟକାରୀ ହେବ। ବର୍ତ୍ତମାନ ଖାଲି ପଡିଥିବା ସମସ୍ତ ସରକାରୀ ଆବାସିକ କମ୍ପ୍ଲେକ୍ସକୁ ଏଆରଏଚସିଏସ୍‌ରେ ପରିଣତ କରାଯିବ । ଏଥିପାଇଁ ୨୫ ବର୍ଷିଆ ରିଆତି ଚୁକ୍ତିରେ ବ୍ୟବସ୍ଥା ରହିବା ଚୁକ୍ତି ସ୍ୱାକ୍ଷରକାରୀ ଏସବୁ କମ୍ପ୍ଲେକ୍ସକୁ ମରାମତି ଓ ବାସୋପଯୋଗୀ କରିବେ ତଥା କୋଠରିଗୁଡିକର ରକ୍ଷାଣାବେକ୍ଷଣ ଦାୟିତ୍ୱ ତୁଲାଇବେ । ଏହା ଆତ୍ମନିର୍ଭର ଭାରତ ପ୍ୟାକେଜର ଏକ ଅଂଶବିଶେଷ ।

ଏହାଛଡା ବୈଠକରେ  ଉଜ୍ଜ୍ୱଳା ହିତାଧିକାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ସୁବିଧା ପାଇବାର ସମୟ ମିଆଦ ଆଉ ୩ ମାସ ବୃଦ୍ଧି କରାଯାଇଛି । ଉଜ୍ଜ୍ୱଳା ଯୋଜନାର କେତେକ ହିତାଧିକାରୀଙ୍କ ଖାତାକୁ ସରକାର ଯେଉଁ ଅଗ୍ରିମ ଅର୍ଥ ପଠାଇଥିଲେ ତାହାକୁ ସେମାନେ ନିର୍ଦ୍ଧାରିତ ସମୟରେ ଗ୍ୟାସ୍‌ ସିଲିଣ୍ଡର କିଣିବାରେ ବ୍ୟୟ କରିପାରିନାହାନ୍ତି । ତେଣୁ ସେମାନଙ୍କୁ ସୁଯୋଗ ଦେବା ପାଇଁ କ୍ୟାବିନେଟ୍‌ ବୈଠକରେ ଏହି ସମୟସୀମା ବୃଦ୍ଧି କରାଯାଇଛି । ବୈଠକରେ ପେଟ୍ରୋଲିୟମ ମନ୍ତ୍ରାଳୟର ଏ ସଂକ୍ରାନ୍ତ ପ୍ରସ୍ତାବ ଗୃହୀତ ହେବା ପରେ ସଂପୃକ୍ତ ହିତାଧିକାରୀମାନେ ଯେଉଁ ଅଗ୍ରିମ ଅର୍ଥ ସରକାରଙ୍କଠାରୁ ଇତିମଧ୍ୟରେ ପାଇସାରିଛନ୍ତି ସେମାନେ ଆସନ୍ତା ସେପ୍ଟେମ୍ବର ୩୦ପର୍ଯ୍ୟନ୍ତ ମାଗଣା ଗ୍ୟାସ୍‌ ସିଲିଣ୍ଡର ନେଇପାରିବେ। କେନ୍ଦ୍ର କ୍ୟାବିନେଟ ରାଷ୍ଟ୍ରାୟତ୍ତ କ୍ଷେତ୍ରର ତିନୋଟି ସାଧାରଣ ବୀମା କମ୍ପାନୀ- ଓରିଏଣ୍ଟାଲ ଇନ୍ସ୍ୟରାନ୍ସ କମ୍ପାନୀ ଲିମିଟେଡ, ନ୍ୟାସନାଲ ଇନ୍ସ୍ୟୁରାନ୍ସ କମ୍ପାନୀ ଲିମିଟେଡ ଓ ୟୁନାଇଟେଡ ଇଣ୍ଡିଆ ଇନ୍ସ୍ୟୁରାନ୍ସ କମ୍ପାନୀ ଲିମିଟେଡକୁ ମୋଟ ୧୨,୪୫୦ କୋଟି ଟଙ୍କା ସହାୟତା ଯୋଗାଣ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।
କୋଭିଡ୍‌-୧୯ ସ୍ଥିତିକୁ ଦୃଷ୍ଟିରେ ରଖି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ) ଅନ୍ତର୍ଗତ କର୍ମଚାରୀଙ୍କ ୧୨ ପ୍ରତିଶତ ଓ ନିଯୁକ୍ତିଦାତାଙ୍କ ସମାନ ପ୍ରତିଶତ ଅଂଶଧନକୁ ମିଶାଇ ମୋଟ ୨୪ ପ୍ରତିଶତ ଯୋଗଦାନ ଆଉ ତିନି ମାସ ଅର୍ଥାତ୍‌ ଅଗଷ୍ଟ ଯାଏ କରିବାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଏବଂ ଆତ୍ମନିର୍ଭର ଭାରତ ଅଧୀନରେ ସରକାରଙ୍କ ପକ୍ଷରୁ ଘୋଷିତ ପ୍ୟାକେଜ ମୁତାବକ ଏହି ସହାୟତା ଯୋଗାଇ ଦିଆଯିବ। ଏହାପୂର୍ବରୁ ମାର୍ଚ୍ଚଠାରୁ ମେ ମାସର ବେତନରେ ସମ୍ପୂର୍ଣ୍ଣ ଇପିଏଫ ଯୋଗଦାନ ସରକାର ଦେବା ପାଇଁ ଘୋଷଣା କରିଥିଲେ । ଏଥିପାଇଁ ମୋଟ ଆନୁମାନିକ ୪,୮୬୦କୋଟି ଟଙ୍କା ବ୍ୟୟ କରାଯିବ। ଏହାଦ୍ବାରା ୩.୬୭ ଲକ୍ଷ ପ୍ରତିଷ୍ଠାନ ଏବଂ ୭୨ ଲକ୍ଷରୁ ଅଧିକ କର୍ମଚାରୀ ଲାଭବାନ ହେବେ।

Comments are closed.