ଅବାଧ, ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନକୁ ଗୁରୁତ୍ବ

0
କାର୍ଯ୍ୟକ୍ଷମ ହେବ ସି-ଭିଜିନ ଆପ୍
-ବୁଥରେ ଅନିୟମିତତା ସମ୍ପର୍କରେ ତୁରନ୍ତ ଅଭିଯୋଗ କରିପାରିବେ ଜନସାଧାରଣ
-ଆରକ୍ଷୀ, ଆୟକର ଏବଂ ଅବକାରୀ ବିଭାଗ ବରିଷ୍ଠ ଅଧିକାରୀଙ୍କ ବୈଠକ
-ତାଲିମ ଖସଡ଼ା ପ୍ରସ୍ତୁତ, ପୁଲିସ କର୍ମଚାରୀଙ୍କୁ ଦିଆଯିବ ପ୍ରଶିକ୍ଷଣ
-ଏବେ ଠାରୁ ଅବକାରୀ କାରବାର ଉପରେ ରହିବ ନଜର

ଭୁବନେଶ୍ୱର : ସାଧାରଣ ନିର୍ବାଚନର ସୁପରିଚାଳନା ଏବଂ ଏହାକୁ ଅପରାଧମୁକ୍ତ ତଥା ଅଧିକ ଶୃଙ୍ଖଳିତ କରିବା ନେଇ ଶନିବାର ଆରକ୍ଷୀ, ଆୟକର ଏବଂ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଆଲୋଚନା କରିଛନ୍ତି। ଆସନ୍ତା ନିର୍ବାଚନ ଯେପରି ଅବାଧ, ସ୍ବଚ୍ଛ ଓ ନିରପେକ୍ଷ ହେବ ସେ ନେଇ ପଦକ୍ଷେପ ନେବାକୁ ସେ ସଂପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଚଳିତବର୍ଷ ହେବାକୁ ଥିବା ନିର୍ବାଚନରେ ସି-ଭିଜିନ ଆପ ଜରିଆରେ ଲୋକମାନେ ବିଭିନ୍ନ ବୁଥ ସଂପର୍କରେ ଖବର ପାଇପାରିବେ। ଏହି ଆପରେ ଅଭିଯୋଗ କଲେ କମିଶନଙ୍କ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅପରାଧ କାର୍ଯ୍ୟକଳାପ ରୋକିବାରେ ଏହା ଯଥେଷ୍ଟ ସହାୟକ ହେବ। ଅନ୍ୟ ରାଜ୍ୟରେ ଏହି ଆପ ବ୍ୟବହାର କରାଯାଇଛି। ନିର୍ବାଚନ କମିଶନଙ୍କ ଅନୁମୋଦନ ପରେ ଆଗାମୀ ନିର୍ବାଚନରେ ଓଡ଼ିଶାରେ ଏହା କାର୍ଯ୍ୟକ୍ଷମ ହେବ। ଏହି ଆପ ମାଧ୍ୟମରେ ଜନସାଧାରଣ ନିଜ ବୁଥର ଅସୁବିଧା ଏବଂ ଅନିୟମିତତା ସମ୍ପର୍କରେ ଜଣାଇ ପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନିଶାଦ୍ରବ୍ୟ କାରବାର ଓ ଟଙ୍କାବଣ୍ଟା ରୋକିବା ନେଇ ପଦକ୍ଷେପ ନେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦେଶ ଦେଇଛନ୍ତି। ଏବେ ଠାରୁ ମଦ କାରବାର ଉପରେ ପଦକ୍ଷେପ ନେବାକୁ ସେ ନିର୍ଦେଶ ଦେଇଛନ୍ତି। ନିର୍ବାଚନ ଆଚରଣବିଧି କଡ଼ାକଡ଼ି ପାଳନ କରିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି।


ବୈଠକରେ ହୋଇଥିବା ଆଲୋଚନାରୁ ଜଣାଯାଇଛି, ନିର୍ବାଚନ ପରିଚାଳନା ନିମନ୍ତେ ଆରକ୍ଷୀ ବିଭାଗ ଦ୍ୱାରା ଭିନ୍ନ ଭିନ୍ନ ସ୍ତରରେ କମିଟି ଗଠନ କରାଯିବ। ସଂପୃକ୍ତ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ ନିମନ୍ତେ ଏକ ‘ତାଲିମ ଖସଡ଼ା’ ପ୍ରସ୍ତୁତ କରାଯାଇଛି। ଏହି ‘ତାଲିମ ଖସଡ଼ା’ ପୋଲିସ ମହାନିର୍ଦେଶକଙ୍କୁ ପ୍ରଦାନ କରାଯାଇଛି। ଆଇଜି, ଡିଆଇଜି ଏବଂ ଜିଲାସ୍ତରରେ ଥିବା ଆରକ୍ଷୀ ଅଧୀକ୍ଷକମାନେ ଅନୁରୂପ କମିଟି ଗଠନ କରି କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ ନିମନ୍ତେ ନିର୍ଦେଶ ଦେବାକୁ କୁହାଯାଇଛି।
ନିର୍ବାଚନକୁ ଆଖି ଆଗରେ ରଖି ଭିଡିଓ ସର୍ଭିଲାନ୍ସ, ସଫାଟିକ୍ ସର୍ଭିଲାନ୍ସ, ଫ୍ଲାଇଂ ସ୍କ୍ୱାଡ୍, ଅବକାରୀ ମନିଟରିଂ, ଆଇନଶୃଙ୍ଖଳା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତ୍ୱାରୋପ କରିଛନ୍ତି। ଏହାବ୍ୟତୀତ ପୁଲିସ ମହାନିର୍ଦେଶକଙ୍କ ଦ୍ୱାରା ଦୁଇଜଣ ଉଚ୍ଚପଦସ୍ଥ ଅଧିକାରୀ ନୋଡାଲ ଅଧିକାରୀ ଭାବେ ନିୟୋଜିତ ହେବେ। ଯେଉଁମାନେ କି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହିତ ଯୋଗସୂତ୍ର ରକ୍ଷାକରି ନିର୍ବାଚନ ସମୟରେ ଦୈନିକ ଆଇନ ଶୃଙ୍ଖଳା ଓ ନିର୍ବାଚନ ଖର୍ଚ୍ଚ ସଂପର୍କିତ ରିପୋର୍ଟ ପ୍ରଦାନ କରିବେ। ତାହା ଭାରତର ନିର୍ବାଚନ କମିଶନଙ୍କ ନିକଟକୁ ପଠାଯିବ। ନିର୍ବାଚନ ପରିଚାଳନା ସହ ସମ୍ବେଦନଶୀଳ ବୁଥ ଚିହ୍ନଟ ଓ ଖର୍ଚ୍ଚ ପରିଚାଳନା ଉପରେ ସେ ଗୁରୁତ୍ବ ଦେଇଛନ୍ତି।
ବୈଠକରେ ଉନ୍ନୟନ କମିଶନର ଅସିତ ତ୍ରିପାଠୀ, ଭାରତ ନିର୍ବାଚନ କମିଶନଙ୍କ ନିର୍ବାଚନ ଖର୍ଚ୍ଚ ତଦାରଖ ନିର୍ଦେଶକ ବିକ୍ରମ ବାତ୍ରା, ପୁଲିସ ମହା ନିର୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା, ଅବକାରୀ କମିଶନର ଦେବେନ୍ଦ୍ର ନାଥ ମହାପାତ୍ର, ଭୁବନେଶ୍ୱର-କଟକ ପୁଲିସ କମିଶନର ସତ୍ୟଜିତ ମହାନ୍ତି, କ୍ରାଇମ ବ୍ରାଞ୍ଚର ଅତିରିକ୍ତ ଆରକ୍ଷୀ ମହା ନିରୀକ୍ଷକ ସନ୍ତୋଷ କୁମାର ଉପାଧ୍ୟାୟ, ରେଳବାଇ, ସାମୁଦ୍ରିକ ସୁରକ୍ଷା ଅତିରିକ୍ତ ଆରକ୍ଷୀ ମହା ନିରୀକ୍ଷକ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଡ. ସନ୍ତୋଷ ବାଲା, କେନ୍ଦ୍ରାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଆରକ୍ଷୀ ମହାନିରୀକ୍ଷକ (ପର୍ସନାଲ) ପି.ଏସ୍. ରଣପିସେ, ଆରକ୍ଷୀ ମହାନିରୀକ୍ଷକ(ମୁଖ୍ୟ କାର୍ଯ୍ୟାଳୟ) ଅସିତ କୁମାର ପାଣିଗ୍ରାହୀ, ଅତିରିକ୍ତ ଆରକ୍ଷୀ ମହାନିରୀକ୍ଷକ (ଅପରେସନ୍) ଆର୍. ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିରୀକ୍ଷକ (ଏସ୍ଏପି) ମନୋଜ କୁମାର ଛାବ୍ରା, ଉପ ଆରକ୍ଷୀ ମହାନିରୀକ୍ଷକ (ଏନ୍ସିଆର୍, ତାଳଚେର) ନରସିଂହ ଭୋଳ, ଉପ ଆରକ୍ଷୀ ମହାନିରୀକ୍ଷକ(ପଶ୍ଚିମାଞ୍ଚଳ, ରାଉରକେଲା) କବିତା ଜଲାଣ, ଉପ ଆରକ୍ଷୀ ମହାନିରୀକ୍ଷକ, ହିମାଂଶୁ କୁମାର ଲାଲ, ସ୍ୱତନ୍ତ୍ର ଗୁଇନ୍ଦା ଶାଖାର ଆରକ୍ଷୀ ମହାନିରୀକ୍ଷକ ଘନଶ୍ୟାମ ଉପାଧ୍ୟାୟ, ଆରକ୍ଷୀ ମହାନିରୀକ୍ଷକ (ଆଇନଶୃଙ୍ଖଳା) ଅମିତାଭ ଠାକୁର, ଦକ୍ଷିଣାଞ୍ଚଳ ଉପ ଆରକ୍ଷୀ ମହାନିରୀକ୍ଷକ ଆଶିଷ କୁମାର ସିଂହ, ସମ୍ବଲପୁର ଉପ ଆରକ୍ଷୀ ମହାନିରୀକ୍ଷକ ସତ୍ୟବ୍ରତ ଭୋଇ, ଆୟକର ବିଭାଗର ଯୁଗ୍ମ କମିଶନର ଆଶୁତୋଷ ପ୍ରଧାନ, ସ୍ୱତନ୍ତ୍ର ଟାସ୍କ ଫୋର୍ସର ଆରକ୍ଷୀ ମହାନିରୀକ୍ଷକ ଯତୀନ୍ଦ୍ର କୋଏଲ୍, ଅପରାଧ ଅନୁସନ୍ଧାନ ଶାଖାର ଆରକ୍ଷୀ ମହାନିରୀକ୍ଷକ ସାଇନ୍ ଏସ୍, କଟକ ଡିସିପି ଅଖିଳେଶ୍ୱର ସିଂହ, ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ, କଟକ ଏସପି ଏ.ସି. ସାହୁ ଓ କେନ୍ଦ୍ରାଞ୍ଚଳ ଡେପୁଟି କମିଶନର ରାମଚନ୍ଦ୍ର ପଳତା ପ୍ରମୁଖ ଉପସ୍ଥିତ ଥି​‌େ​‌ଲ।

Leave A Reply