ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ପଦକ୍ଷେପ ; ୩ କୋଟି ୭୮ ଲକ୍ଷ ଟଙ୍କାର ମଦ ଜବତ

ଭୁବନେଶ୍ୱର : ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ଶନିବାର ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲାରେ ୧୩ ହଜାର ୯୬୫ ଗୋଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ ହୋଇଥିବାବେଳେ ବିଭିନ୍ନ ଜିଲାରେ ୬୨ ହଜାର ୭୬୫ ଜଣଙ୍କୁ ଅଟକ ରଖାଯାଇଛି। ସେହିପରି ୫ ହଜାର ୩୭୦ଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନଠାରେ ଜିମା ଦିଆଯାଇଛି ଓ ଲାଇସେନ୍ସ ନଥିବା ୨୪୬ ଟି ଅସ୍ତ୍ରଶସ୍ତ୍ର ଏବଂ ୧୪୫୭.୫୮୨ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଜବତ କରାଯାଇଛି। ଶନିବାର ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲାରେ ଅବକାରୀ ବିଭାଗ ଓ ପୁଲିସ୍ ସହାୟତାରେ ପ୍ରାୟ ୧୪୪୬୫୦.୫୮୮ ଲିଟର ମଦ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୩ କୋଟି ୭୮ ଲକ୍ଷ ୧୧ ହଜାର ୪୩୨ ଟଙ୍କା ହେବ। ଅପରପକ୍ଷେ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରି ଆଜି ସୁଦ୍ଧା ସର୍ବସାଧାରଣ ସ୍ଥାନରେ ଲାଗିଥିବା ୩୬ ଲକ୍ଷ ୬୨ ହଜାର ୩୪୪ଟି ପୋଷ୍ଟରକୁ ହଟାଇ ଦିଆଯାଇଛି। ରାଜ୍ୟସ୍ତରରେ ଖୋଲାଯାଇଥିବା ନିୟନ୍ତ୍ରଣ କକ୍ଷକୁ ଶନିବାର ସୁଦ୍ଧା ୧୦୭୨ଟି କଲ୍ ଏବଂ ଭୋଟର ହେଲ୍ପଲାଇନ୍ ନମ୍ବର ୧୯୫୦କୁ ୧୬ ହଜାର ୨୮୭ଟି ଫୋନ୍ ଆସିଥିବା ବେଳେ ନିର୍ବାଚନ ସଂପର୍କିତ ବିଭିନ୍ନ ଅଭିଯୋଗ ଗ୍ରହଣ କରାଯିବା ସହ ଆବଶ୍ୟକ ପଦକ୍ଷେପ ସହ ସୂଚନା ପ୍ରଦାନ କରାଯାଇ ଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।

Comments are closed.