ଋଣ ଯୋଗାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟ୍‌, ଆସାମୀ ଫେରାର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଗ୍ରାମ ପଞ୍ଚାୟତର ଅଡାବଡ଼ି ଗ୍ରାମର ରବି କୌଶଲ୍ୟା ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଭାବେ ଋଣ ପ୍ରଦାନ କରିବା ନାଁରେ ଅଗ୍ରିମ ଜୀବନ ବୀମା ରାଶି ବୋଲି କହି ଲକ୍ଷାଧିକ ଟଙ୍କା ସଂଗ୍ରହ କରି ଋଣ ନ ଯୋଗାଇ ଫେରାର ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏକ ଲକ୍ଷ ଟଙ୍କା ପାଇଁ ୧୫୦୦ ଟଙ୍କା ଲେଖାଏଁ କରି ଲକ୍ଷାଧିକ ଟଙ୍କା ସଂଗ୍ରହ କରି ରବି ଲୋକଙ୍କୁ ଭୁଆଁ ବୁଲାଉ ଥିବା ଅଭିଯୋଗ ହୋଇଛି। ଏହିଭଳି ବଡ଼ ଠକାମିର ଶିକାର ହୋଇଛନ୍ତି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଗୋଡିବାଲି, ମାଣ୍ଡିବିଶ, ସିରିପାଇ ଓ କଲ୍ୟାଣସିଂହପୁର ଅଞ୍ଚଳର ଶିକରପାଈ, ବୁଡ଼ାଗୁଡ଼ା ପଞ୍ଚାୟତ ଲୋକମାନେ।

ଅଡାବାଡ଼ି ଗ୍ରାମର ଆସାମୀ ରବି କୌଶଲ୍ୟା ଗୋଡିବାଲି ଗ୍ରାମର ହରିଜନ ସାହିର ଝିଅକୁ ବାହା ହୋଇ ଜ୍ୱାଇଁ ପୁଅ ହୋଇ କୁଣିଆ ଆସିଥିଲେ। ସେହି ସମୟରେ ଅଞ୍ଚଳର ଆଦିବାସୀ ଓ ହରିଜନ ଲୋକଙ୍କୁ ବ୍ୟକ୍ତିଗତ ଓ ଗ୍ରୁପ ମାଧ୍ୟମରେ ଋଣ ଯୋଗାଇବା ସଂସ୍ଥାରେ ଚାକିରୀ କରୁଛି ତେଣୁ ଯାହାର ଋଣ ଦରକାର ସେମାନେ ଅଗ୍ରିମ ବୀମା ରାଶି ବାନ୍ଧିଲେ ପନ୍ଦର ଦିନ ମଧ୍ୟରେ ଟଙ୍କା ଋଣ ଆକାରରେ ତମ ପାସବହିକୁ ଆସିବ ବୋଲି କହିଥିଲେ। ଏହାପରେ ସମସ୍ତଙ୍କ ଡକୁମେଣ୍ଟ ଓ ଲକ୍ଷାଧିକ ଟଙ୍କା ହଡପ କରି ଫେରାର ହୋଇଯାଇଥିଲେ। କିଛି ଦିନ ତଳେ ଶ୍ୱଶୁର ଘରକୁ ଆସିଥିବାବେଳେ ଗୋଡିବାଲିର ସାମନ୍ତ ମାଝୀ, ହରିଶ୍ଚନ୍ଦ୍ର ମାଝୀ, ଯୁଗୁ ମାଝୀ, ମୁନି ନାୟକ, କାନୂ ନାୟକ ଧରି ଅଟକାଇ ପଚାରିଥିଲେ। ସେହି ସମୟରେ ରବି ଏକ ଧଳା କାଗଜରେ ନିଜ ସ୍ଵାକ୍ଷରିତ ଏଗ୍ରିମେଣ୍ଟ କରି ସମସ୍ତ ୬୧୫୦୦ ଟଙ୍କା ୨୬/୦୩ ସୁଦ୍ଧା ଫେରାଇ ଦେବି ନଚେତ ସରକାରଙ୍କ ଆଇନ ଅନୁସାରେ ଦଣ୍ଡିତ ହେବି ବୋଲି ନିଜ ହାତ ଲେଖା ଦେଇ ସେଠାରୁ ଖସି ପଳାଇଥିଲେ। ସେବେଠାରୁ ଦେଖା ନାହିଁ ବୋଲି ଟଙ୍କା ଦେଇଥିବା କୁସନ ନାଇକ, ଶଶୀ ନାଇକ, ସୁବା ମାଝୀ, ମୁଗରୀ ମାଝୀ, ମୋହନ ଗୌଡ଼ ଓ ଏଭଳି ୫୦ରୁ ଊ୍ଦର୍ଦ୍ଧ୍ବ ଲୋକ କହିଛନ୍ତି । ଏ ସମ୍ପର୍କରେ ରବି କୌଶଲ୍ୟାଙ୍କ ଘର ଅଡାବଡ଼ି ଯାଇ ତାଙ୍କ ବାପାଙ୍କୁ ପଚାରିବାରୁ ସେ ମୋର ପୁଅ ନୁହେଁ ମୋତେ କିଛି ଜଣା ନାହିଁ ବୋଲି କହିଥିଲେ।

ଅଭିଯୁକ୍ତକୁ ଧରି ପ୍ରଶାସନ ତା’ଠାରୁ ଟଙ୍କା ଆଦାୟ କରି ତା’ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ କରିବାକୁ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି ଅଭିଯୋଗକାରୀ। ଏହି ଫେରାର ଆସାମୀଠାରୁ ଆମ୍ଭମାନଙ୍କ ଟଙ୍କା ଆଦାୟ କରି ଫେରସ୍ତ କରାଇଲେ ଆମ ଗରିବ ପରିବାରକୁ ସହାୟକ ହେବ ବୋଲି ସେମାନେ କହିଛନ୍ତି। ଏ ବିଷୟରେ ଥାନାରେ କୌଣସି ମାମଲା ଦେଇ ନ ଥିବା କହିଛନ୍ତି।

Comments are closed.