ପାକିସ୍ତାନ ଡ଼େଣା କାଟିଲା ଫ୍ରାନ୍ସ: ବିମାନ ଓ ବୁଡ଼ାଜାହାଜ ନବୀକରଣ ସହାୟତା ଲାଗି ଇମ୍ରାନଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ

ପାକିସ୍ତାନର ଡ଼େଣା କାଟିଛି ଫ୍ରାନ୍ସ । ପାକ୍ ବାୟୁସେନାରେ ସାମିଲ ମିରାଜ ଯୁଦ୍ଧ ବିମାନ  ନବୀକରଣ ନିମନ୍ତେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଅନୁରୋଧକୁ ଫ୍ରାନ୍ସ ରାଷ୍ଟ୍ରପତି ରୋକଠୋକ୍ ମନା କରିଦେଇଛନ୍ତି । ଫଳରେ ପାକିସ୍ତାନ ବଡ଼ ଅଡ଼ୁଆ ପରିସ୍ଥିତିରେ ପଡ଼ିଛି । ନିକଟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ମନ୍ତବ୍ୟକୁ ଇମ୍ରାନ କରିଥିବା ସମାଲୋଚନା ଯୋଗୁଁ ତାଙ୍କୁ କେବଳ ବହୁମୂଲ୍ୟ ଦେବାକୁ ପଡ଼ିନାହିଁ, ଇସ୍ଲାମୀୟ ଆତଙ୍କବାଦୀଙ୍କ ପ୍ରୋତ୍ସାହିତ କରୁଥିବାଯୋଗୁଁ ମଧ୍ୟ ପାକିସ୍ତାନ ଲାଗି ସମସ୍ୟା ସୃଷ୍ଟି କରିଛି ।

ଫ୍ରାନ୍ସ ସରକାର ବିଧିବଦ୍ଧ ଭାବରେ ଭାରତକୁ ଏ ସମ୍ପର୍କରେ ଅବଗତ କରିଛନ୍ତି । ଭାରତୀୟ ବୈଦେଶିକ ସଚିବ ହର୍ଷବର୍ଧନ ଶ୍ରୀଙ୍ଗାଲାଙ୍କୁ ଫ୍ରାନ୍ସ ସରକାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ କାତାର ସରକାରଙ୍କୁ ମଧ୍ୟ ଫ୍ରାନ୍ସ ସରକାର ଏକ ପରାମର୍ଶ ଦେଇଛନ୍ତି । ପାକିସ୍ତାନର ଟେକ୍ନିସିଆନମାନଙ୍କୁ ବିମାନରେ କାମ ନ କରିବାକୁ ମଧ୍ୟ ଫ୍ରାନ୍ସ ସରକାର କାତାର ସରକାରଙ୍କୁ କହିଛନ୍ତି । ଭାରତୀୟ ବାୟୁସେନାକୁ ଫ୍ରାନ୍ସ ବିକ୍ରି କରିଥିବା ଛାମୁଆଁ ଯୁଦ୍ଧବିମାନ ମିରାଜର ବୈଷୟିକ ଜ୍ଞାନକୌଶଳ ଏମାନେ ପାକିସ୍ତାନକୁ ଯୋଗାଇ ପାରନ୍ତି ବୋଲି ଫ୍ରାନ୍ସ ସନ୍ଦେହ କରୁଛି ।

ପୂର୍ବରୁ ପାକିସ୍ତାନ ବିରୋଧରେ ଏପରି ଅଭିଯୋଗ ଆସିଛି । ପୂର୍ବରୁ ଅନ୍ୟ ଦେଶରୁ ସଂଗ୍ରହ କରିଥିବା ଯୁଦ୍ଧାସ୍ତ୍ର ଓ ପ୍ରତିରକ୍ଷା ସୂଚନା ପାକିସ୍ତାନ ଚୀନକୁ ଯୋଗାଇଥିବା ଅଭିଯୋଗ ହୋଇଛି । କତାର ବାୟୁସେନା ଫ୍ରାନ୍ସ ପ୍ରସ୍ତୁତ ରାଫେଲ ଯୁଦ୍ଧବିମାନ ବ୍ୟବହାର କରୁଛି । ତେଣୁ ଫ୍ରାନ୍ସ କାତାରକୁ ଏଥିଲାଗି ସତର୍କ କରାଇ ଦେଇଛି । ଏହାବ୍ୟତୀତ ଫ୍ରାନ୍ସ ସରକାର ପାକିସ୍ତାନରୁ ଆସି ଫ୍ରାନ୍ସରେ ଆଶ୍ରୟ ନେଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଅନୁସନ୍ଧାନ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ନିର୍ଦେଶ ଦେଇଛି ।

ସମ୍ପ୍ରତି ପାକିସ୍ତାନ ଓ ଫ୍ରାନ୍ସ ମଧ୍ୟରେ ସମ୍ପର୍କ ଅତି ଖରାପ ସ୍ଥିତିରେ ରହିଛି । ପାକିସ୍ତାନରେ ଫ୍ରାନ୍ସ ଓ ଏହାର ରାଷ୍ଟ୍ରପତିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗତ ସେପ୍ଟେମ୍ବର ମାସରେ ଜଣେ ପାକିସ୍ତାନୀ ଯୁବକ ଅଲି ହାସନ ପ୍ୟାରିସରେ ଚାର୍ଲି ହେବଡ଼ୋ ପତ୍ରିକା କାର୍ଯ୍ୟାଳୟ ବାହାରେ ୨ ଜଣଙ୍କୁ ହତ୍ୟା କରିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି । ଏହା ସହ ଅଲି ହାସନର ବାପା ତାଙ୍କ ପୁଅ ଭଲ କାମ କରିଛି ବୋଲି କହିବା ଫ୍ରାନ୍ସକୁ କ୍ଷୁବ୍ଧ କରିଛି ।

ଏହି ସ୍ଥିତିରେ ଫ୍ରାନ୍ସ ପାକ୍ ମିରାଜ ଏଫ୍ ଓ ମିରାଜ-୩ ଯୁଦ୍ଧ ବିମାନର ନବୀକରଣ ପ୍ରସ୍ତାବକୁ ଖାରଜ କରି ଦେଇଛି । ପାକ୍ ବିମାନ ବାହିନୀରେ ଫ୍ରାନ୍ସ ପ୍ରସ୍ତୁତ ୧୫୦ଟି ମିରାଜ ଯୁଦ୍ଧବିମାନ ରହିଛି । ଏଥିରୁ ଅଧେ ବ୍ୟବହାରଯୋଗ୍ୟ ନୁହେଁ । ପୁଣି ଫ୍ରାନ୍ସ ଅବଶିଷ୍ଟ ବିମାନର ନବୀକରଣ ପ୍ରସ୍ତାବକୁ ଖରାଜ କରିଦେବା ପରେ ପାକିସ୍ତାନ ଅଡ଼ୁଆରେ ପଡ଼ିଛି ।

Comments are closed.