ଫ୍ରାନ୍ସ ଗଣମାଧ୍ୟମର ଦାବି; ରାଫେଲ ଡିଲ୍‌ରେ ହୋଇଛି ୮.୫ କୋଟିର ଲାଞ୍ଚ କାରବାର

ନୂଆଦିଲ୍ଲୀ: ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ରାଫେଲ ଯୁଦ୍ଧ ବିମାନ କାରବାରରେ ପୁଣି ଥରେ ଦୁର୍ନୀତିର ଗନ୍ଧ ସାମ୍ନାକୁ ଆସିଛି। ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ଡିଲ୍‌ ପାଇଁ ଫ୍ରାନ୍ସର ରାଫେଲ ଯୁଦ୍ଧ ବିମାନ ନିର୍ମାତା କମ୍ପାନୀ ଡାସଲ୍‌ଟକୁ ଭାରତର ଜଣେ ମଧ୍ୟସ୍ଥଙ୍କୁ ୮ କୋଟି ୫୦ ଲକ୍ଷ ଟଙ୍କାର ଲାଞ୍ଚ ଦେବାକୁ ପଡ଼ିଥିଲା। ଫ୍ରାନ୍ସର ଏକ ଗଣମାଧ୍ୟମ ସଂସ୍ଥା ଏହି ଦାବି କରିଛି। ଏ ନେଇ ଉକ୍ତ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ପୁଣି ଥରେ ଦୁଇ ଦେଶ ମଧ୍ୟରେ ରାଫେଲ ଡିଲ୍‌କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଫ୍ରାନ୍ସର ଏକ ପ୍ରକାଶନୀ ସଂସ୍ଥା ‘ମିଡିଆପାର୍ଟ’ ଏକ ରିପୋର୍ଟରେ ଦାବି କରିଛି ଯେ, ୨୦୧୬ରେ ଯେତେବେଳେ ଭାରତ-ଫ୍ରାନ୍ସ ମଧ୍ୟରେ ରାଫେଲ ଯୁଦ୍ଧ ବିମାନକୁ ନେଇ ବୁଝାମଣା ହୋଇଥିଲା, ତା’ ପରେ ଡାସଲ୍‌ଟ ଭାରତର ଜଣେ ମଧ୍ୟସ୍ଥକୁ ଉପରୋକ୍ତ ପରିମାଣର ଅର୍ଥ ଦେଇଥିଲା। ୨୦୧୭ରେ ଡାସଲ୍‌ଟ ଗ୍ରୁପ ଆକାଉଣ୍ଟରୁ ୫ ଲକ୍ଷ ୮ ହଜାର ୯୨୫ ୟୁରୋ (ପ୍ରାୟ ୮କୋଟି ୫୦ ଲକ୍ଷ) ‘ଗିଫ୍ଟ ଟୁ କ୍ଲାଏଣ୍ଟ୍‌ସ’ ନାମରେ ଟ୍ରାନ୍ସଫର ହୋଇଥିଲା।

ଫ୍ରାନ୍ସର ଦୁର୍ନୀତି ନିରୋଧୀ ସଂସ୍ଥା ଏଏଫଏ ଯେତେବେଳେ ଡାସଲ୍‌ଟ କମ୍ପାନୀର କାଗଜପତ୍ରକୁ ଅଡିଟ୍‌ କରିଥିଲା, ସେତେବେଳେ ଏହି ତଥ୍ୟ ସାମ୍ନାକୁ ଆସିଥିଲା। ମିଡିଆପାର୍ଟ ରିପୋର୍ଟ ଅନୁସାରେ, ଏହାର ପର୍ଦ୍ଦାଫାଶ ହେବାରୁ ଡାସଲ୍‌ଟ ସଫେଇ ଦେଇ କହିଥିଲା ଯେ, ରାଫେଲ ଯୁଦ୍ଧ ବିମାନର ୫୦ଟି ବଡ଼ ମଡେଲ ତିଆରିରେ ଏହି ଅର୍ଥର ବ୍ୟବହାର ହୋଇଥିଲା। କିନ୍ତୁ ଏପରି କୌଣସି ମଡେଲ ତିଆରି ହୋଇ ନ ଥିଲା।

ଅଡିଟ୍‌ରେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ବି ଦୁର୍ନୀତି ନିରୋଧୀ ସଂସ୍ଥା କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି। ଯାହା ଫ୍ରାନ୍ସର ରାଜନେତା ଏବଂ ନ୍ୟାୟିକ ବ୍ୟବସ୍ଥା ମଧ୍ୟରେ ରହିଥିବା ମଧୁଚନ୍ଦ୍ରିକାକୁ ଦର୍ଶାଉଛି ବୋଲି ରିପୋର୍ଟ କହିଛି।

Comments are closed.