ନକ୍ଆଉଟ୍ରେ ଫ୍ରାନ୍ସ ଓ ଅଷ୍ଟ୍ରେଲିଆ
ବିଜୟ ସତ୍ତ୍ବେ ଟ୍ୟୁନିସିଆର ବିଦାୟ

ଅଲ୍ ୱାକ୍ରା : ଚଳିତ ଫିଫା ବିଶ୍ବକପରେ ଗ୍ରୁପ୍ ‘ଡି’ରୁ ପ୍ରିକ୍ବାର୍ଟରଫାଇନାଲ ବା ଶେଷ-୧୬ରେ ପ୍ରବେଶ କରିଛନ୍ତି ଗତଥରର ଚମ୍ପିଆନ୍ ଫ୍ରାନ୍ସ ଓ ଅଷ୍ଟ୍ରେଲିଆ। ପ୍ରଥମ ୨ଟିଯାକ ଲିଗ୍ ମ୍ୟାଚ୍ ଜିତି ଫ୍ରାନ୍ସ ପ୍ରିକ୍ବାର୍ଟରରେ ପହଞ୍ଚି ସାରିଥିବା ବେଳେ ଦୀର୍ଘ ୧୬ବର୍ଷ ପରେ ଅଷ୍ଟ୍ରେଲିଆ ଫିଫା ବିଶ୍ବକପର ନକ୍ଆଉଟ୍ରେ ପହଞ୍ଚିଛି। ଶେଷ ମ୍ୟାଚରେ ଅଷ୍ଟ୍ରେଲିଆ ୧-୦ ଗୋଲରେ ଡେନମାର୍କକୁ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ୬ ପଏଣ୍ଟ ସହ ଗ୍ରୁପ୍ ‘ବି’ରେ ୨ୟ ସ୍ଥାନରେ ରହି ପ୍ରିକ୍ବାର୍ଟରକୁ ଉନ୍ନୀତ ହୋଇଛି। ପରାଜୟ ସହ ଡେନମାର୍କ ପ୍ରତିଯୋଗିତାରୁ ବିଦାୟ ନେଇଛି। ୬ଷ୍ଠ ଥର ବିଶ୍ବକପ ଖେଳୁଥିବା ଅଷ୍ଟ୍ରେଲିଆ ୨୦୦୬ରେ ଶେଷଥର ନକ୍ଆଉଟ୍କୁ ଉନ୍ନୀତ ହୋଇଥିଲା।
ରାଉଣ୍ଡ-୧୬ରେ ପହଞ୍ଚିବା ଲାଗି ଡେନମାର୍କ ଓ ଅଷ୍ଟ୍ରେଲିଆ ପାଇଁ ବିଜୟ ଏକମାତ୍ର ବିକଳ୍ପ ଥିଲା। ପ୍ରାରମ୍ଭରୁ ଅଷ୍ଟ୍ରେଲିଆ ଉପରେ ଡେନମାର୍କ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ୨ ମିନିଟ୍ରେ ଡେନମାର୍କକୁ ଏକ ଫ୍ରିକିକ୍ ମିଳିଥିଲା। ଏରିକ୍ସନଙ୍କ ସଟ୍ ବାର୍ ଉପର ଦେଇ ଚାଲି ଯାଇଥିଲା। ୨୯ ମିନିଟ୍ରେ ଡେନମାର୍କ ଗୋଲ ଦେବାର ୨ୟ ସୁଯୋଗ ହାତଛଡ଼ା କରିଥିଲା। ଏରିକ୍ସନ ଗୋଲ ଦେବାର ସୁଯୋଗ ପାଇଥିଲେ ମଧ୍ୟ ବିଫଳ ହୋଇଥିଲେ। ଡେନମାର୍କର ଆକ୍ରମଣକୁ ଅଷ୍ଟ୍ରେଲୀୟ ରକ୍ଷଣାଭାଗ ପ୍ରତିହତ କରିବାରେ ସଫଳ ହୋଇଥିଲେ। ପ୍ରଥମାର୍ଦ୍ଧ ଗୋଲ୍ଶୂନ୍ୟ ରହିଥିଲା। ଦ୍ବିତୀୟାର୍ଦ୍ଧରେ ମ୍ୟାଚ ଅଧିକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୪୬ ମିନିଟ୍ରେ ମ୍ୟାକଗ୍ରେସଙ୍କ ଏକ ସଟ୍ ଡେମମାର୍କ ଗୋଲପୋଷ୍ଟ ବାରରେ ବାଜି ଚାଲି ଯାଇଥିଲା। ୫୨ ମିନିଟ୍ରେ ଡେନମାର୍କର ଲିଣ୍ଡଷ୍ଟ୍ରୋନଙ୍କ ସଟ୍ ଗୋଲପୋଷ୍ଟର ସାମାନ୍ୟ ଉପର ଦେଇ ଚାଲି ଯାଇଥିଲା। ୬୦ ମିନିଟ୍ରେ ଅଷ୍ଟ୍ରେଲିଆ ପକ୍ଷରୁ ମାଥ୍ୟୁ ଲିକେଲ ଗୋଲ୍ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ଲିକେଲଙ୍କ ଚମତ୍କାର ହେଡର୍ ଗୋଲପୋଷ୍ଟ ଭେଦ କରି ଚାଲି ଯାଇଥିଲା। ଡେନମାର୍କ ମ୍ୟାଚକୁ ଫେରିବା ନେଇ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ କୌଣସି ସୁଯୋଗ ଦେଇନଥିଲା। ଅଷ୍ଟ୍ରେଲିଆ ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ୬ ପଏଣ୍ଟ ପାଇଛି। ଡେନମାର୍କ ୩ଟି ମ୍ୟାଚରୁ ୨ଟି ପରାଜୟ ଓ ଗୋଟିଏ ଡ୍ର ରଖି ମାତ୍ର ୧ ପଏଣ୍ଟ ପାଇଛି।
ବିଜୟ ସତ୍ତ୍ବେ ଟ୍ୟୁନିସିଆର ବିଦାୟ
ଚଳିତ ଫିଫା ଫୁଟ୍ବଲ ବିଶ୍ବକପ୍ରେ ତା’ର ଶେଷ ଲିଗ୍ ମ୍ୟାଚ୍ ଜିତିବା ସତ୍ତ୍ବେ ବିଦାୟ ନେଇଛି ଟ୍ୟୁନିସିଆ। ତା’ର ଶେଷ ଲିଗ୍ ମ୍ୟାଚ୍ରେ ଗତଥରର ଚମ୍ପିଆନ୍ ଫ୍ରାନ୍ସକୁ ୧-୦ ଗୋଲ୍ରେ ହରାଇବା ସତ୍ତ୍ବେ ଟ୍ୟୁନିସିଆର ବିଶ୍ବକପ୍ ଅଭିଯାନ ଶେଷ ହୋଇଯାଇଛି। ଗ୍ରୁପ୍ ‘ଡି’ରେ ୨ଟି ଲେଖାଏଁ ମ୍ୟାଚ୍ ଜିତିଥିବା ଫ୍ରାନ୍ସ ଓ ଅଷ୍ଟ୍ରେଲିଆ ପ୍ରିକ୍ବାର୍ଟରଫାଇନାଲରେ ପହଞ୍ଚିଛନ୍ତି। ୪ ପଏଣ୍ଟ ପାଇଥିବା ଟ୍ୟୁନିସିଆ ଓ ୧ ପଏଣ୍ଟ ପାଇଥିବା ଡେନ୍ମାର୍କ ବିଦାୟ ନେଇଛନ୍ତି। ଟ୍ୟୁନିସିଆ ଜିତିଥିବା ବେଳେ ଡେନ୍ମାର୍କ ସହ ଅଷ୍ଟ୍ରେଲିଆ ମ୍ୟାଚ୍ ଡ୍ର ରଖିଥିଲେ କିମ୍ବା ହାରିଥିେଲ ଟ୍ୟୁନିସିଆ ପ୍ରିକ୍ବାର୍ଟର ଖେଳିଥାଆନ୍ତା। ତେବେ ଟ୍ୟୁନିସିଆର ରାସ୍ତା ବନ୍ଦ କରିଦେଇଛି ଅଷ୍ଟ୍ରେଲିଆ।
ପ୍ରିକ୍ବାର୍ଟରଫାଇନାଲ ଖେଳିବା ନିଶ୍ଚିତ କରି ସାରିଥିବାରୁ ଦଳର ପ୍ରମୁଖ ଖେଳାଳିଙ୍କ ବିନା ୨ ଥର ବିଶ୍ବ ଚମ୍ପିଆନ୍ ଫ୍ରାନ୍ସ ବୁଧବାର ଟ୍ୟୁନିସିଆ ବିପକ୍ଷରେ ଖେଳିଥିଲା। ସ୍ବାଭାବିକ ଭାବେ ଏହା ଟ୍ୟୁନିସିଆକୁ ଉତ୍ସାହିତ କରିଥିଲା। ତେଣୁ ଆରମ୍ଭରୁ ଆଫ୍ରିକୀୟ ଦେଶ ଟ୍ୟୁନିସିଆ ଆକ୍ରମଣ କରିଥିଲା। ୮ମ ମିନିଟରେ ଟ୍ୟୁନିସିଆର ଖେଳାଳି ବଲ୍କୁ ଫ୍ରାନ୍ସ ଗୋଲ୍ପୋଷ୍ଟ ମଧ୍ୟକୁ ପଠାଇଥିଲେ। ୱାହ୍ବି ଖାଜ୍ରିଙ୍କ ଫ୍ରିକିକ୍କୁ ଟ୍ୟୁନିସିଆର ନାଦେର ଘାନ୍ଦ୍ରି ଗୋଲ୍ ଦେଇଥିଲେ ହେଁ ଘାନ୍ଦ୍ରିଙ୍କୁ ଅଫ୍ସାଇଡ୍ ଘୋଷଣା କରା ଯାଇଥିଲା। ଏହାସତ୍ତ୍ବେ ଟ୍ୟୁନିସିଆ ଆକ୍ରମଣ ଜାରି ରଖିଥିଲା। ପ୍ରଥମାର୍ଦ୍ଧରେ ଟ୍ୟୁନିସିଆର ପ୍ରାଧାନ୍ୟ ଦେଖିବାକୁ ମିଳିଥିବା ବେଳେ ଏହା ଗୋଲ୍ଶୂନ୍ୟ ରହିଥିଲା। ଦ୍ବିତୀୟାର୍ଦ୍ଧ ଆରମ୍ଭରୁ ଟ୍ୟୁନିସିଆ ଅଧିକ ଆକ୍ରମଣ କରିଥିଲା। ୫୮ ମିନିଟରେ ଟ୍ୟୁନିସିଆ ଗୋଲ୍ଦେଇ ଫ୍ରାନ୍ସ ସମର୍ଥକଙ୍କୁ ସ୍ତବ୍ଧ କରି ଦେଇଥିଲା। ଫ୍ରାନ୍ସର ୟୁସୁଫ୍ ଫୋଫାନାଙ୍କଠାରୁ ବଲ୍ ଛଡ଼ାଇନେଇ ୱାହ୍ବି ଖାଜ୍ରି ପ୍ରତିପକ୍ଷର ରାଫେଲ ଭାରାନେଙ୍କୁ ଚକ୍ମାଦେଇ ଗୋଲ୍ ଦେଇଥିଲେ। ଏହି ଗୋଲ୍ ପରେ ଫ୍ରାନ୍ସ ତା’ର ପ୍ରମୁଖ ଖେଳାଳିଙ୍କୁ ପଡ଼ିଆକୁ ଓହ୍ଲାଇଥିଲା। କିଲିଆନ୍ ଏମ୍ବାପେ, ଆଡ୍ରିଏନ୍ ରାବିଓ, ଆଣ୍ଟୋଏନ୍ ଗ୍ରିଜ୍ମ୍ୟାନ୍ ପ୍ରଭୃତି ଆସିବା ପରେ ଫ୍ରାନ୍ସ ଆକ୍ରମଣ ଅଧିକ ସଂଗଠିତ ଲାଗିଥିଲା। ଶେଷ ୧୦ ମିନିଟରେ ଫ୍ରାନ୍ସ ଗୋଲ୍ଦେବାର ଏକାଧିକ ସୁଯୋଗ ସୃଷ୍ଟି କରିଥିଲା। ୮ ମିନିଟ ଇଞ୍ଜ୍ୟୁରି ସମୟ ମିଳିଥିବା ବେଳେ ଏହାର ଶେଷ ମିନିଟରେ ଫ୍ରାନ୍ସ ଗୋଲ୍ ଦେଇଥିଲା। ଫ୍ରାନ୍ସର ଅଭିଜ୍ଞ ମିଡ୍ଫିଲ୍ଡର ଆଣ୍ଟୋଏନ୍ ଗ୍ରିଜ୍ମ୍ୟାନ ଦେଇଥିବା ଗୋଲ୍କୁ ଭିଏଆର୍ ଜରିଆରେ ରେଫେରୀ ନାକଚ କରି ଦେଇଥିଲେ। କାରଣ ଗ୍ରିଜ୍ମ୍ୟାନ୍ ଅଫ୍ସାଇଡ୍ ଥିଲେ।
Comments are closed.