ସଂସଦର ମୌସୁମୀ ଅଧିବେଶନ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ୧୩ ପୂର୍ବତନ ସାଂସଦଙ୍କୁ ଶ୍ରଦ୍ଧାଞ୍ଜଳି

ଆସନ୍ତାକାଲିଠାରୁ ଅପରାହ୍ଣ ୩ଟା ରୁ ୭ଟା ପର୍ଯ୍ୟନ୍ତ ଚାଲିବ  ଲୋକସଭା ଅଧିବେଶନ

ନୂଆଦିଲ୍ଲୀ : କରୋନା ସଂକଟ ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି।  ଅଧିବେଶନର ପ୍ରଥମ ଦିନରେ  ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ସପ୍ତଦଶ ଲୋକସଭାର ସାଂସଦ ଏଚ୍‍. ବସନ୍ତ କୁମାର, ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ପଣ୍ଡିତ ଯଶରାଜ ଲାଲଜୀ ଟଣ୍ଡନ, ଅଜିତ ଯୋଗୀ ଏବଂ ଚେତନ ଚୌହ୍ୱାନଙ୍କ ସମେତ ୧୩ଜଣ ପୂର୍ବତନ ସଦସ୍ୟଙ୍କ
ବିୟୋଗରେ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

ତେବେ ପ୍ରଶ୍ନକାଳ ସଂପର୍କରେ ବି​ରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ​‌ ଲୋକସଭାକୁ ୧ ଘଣ୍ଟା ପାଇଁ ମୁଲତବୀ ରଖାଯାଇଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଲୋକସଭା ବାଚସ୍ପତି ଓମ୍‍ ବିର୍ଲା ଦିବଙ୍ଗତ ନେତା ଓ ନିରାପତ୍ତା ବାହିନୀ କର୍ମଚାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେହିପରି କରୋନାକୁ ନିୟନ୍ତ୍ରଣ କରିବାକୁ ଯାଇ ପ୍ରାଣ ହରାଇଥିବା ଡାକ୍ତର, ନର୍ସ, ସଫେଇ କର୍ମଚାରୀ, ପୁଲିସ କର୍ମଚାରୀ ଓ ସ୍ୱେଚ୍ଛାସେବୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।

ତେବେ ଆସନ୍ତାକାଲିଠାରୁ ଲୋକସଭା ଅଧିବେଶନ ଅପରାହ୍ଣ ୩ଟା ରୁ ୭ଟା ପର୍ଯ୍ୟନ୍ତ ଚାଲିବ।

ସୂଚନାଯୋଗ୍ୟେ, ଲୋକସଭା ଇତିହାସରେ ପ୍ରଥମଥର ପାଇଁ ମୌସୁମୀ ଅଧିବେଶନ ସମୟରେ ସଦସ୍ୟମାନେ ମାସ୍କ ପରିଧାନ ପୂର୍ବକ ସାମାଜିକ ଦୂରତା ବଜାୟ ରଖି ଗୃହକାର୍ଯ୍ୟରେ ଅଂଶଗ୍ରହଣ କରୁଛନ୍ତି। ୧୮ ଦିନ ଧରି ଚାଲିବାକୁ ଥିବା ଅଧିବେଶନ ପାଇଁ ବ୍ୟାପକ  ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅଧିବେଶନ ଅଂଶଗ୍ରହଣ କରୁଥିବା ସାଂସଦମାନଙ୍କ ପାଇଁ କୋଭିଡ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍‍ ରହିଛି କେବଳ ସେହି ସଦସ୍ୟମାନଙ୍କୁ ଗୃହକାର୍ଯ୍ୟରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯାଇଛି।

 

Comments are closed.