ଟ୍ରେନରେ କଟିଗଲେ ୪ ଗ୍ୟାଙ୍ଗମ୍ୟାନ

0

ଲକ୍ଷ୍ନୌ : ଉତ୍ତରପ୍ରଦେଶ ହରଦୋଇ ଜିଲାର ସାଣ୍ଡିଲା ଏବଂ ଉମରତାଲି ରେଳ ଷ୍ଟେସନ୍‍ ମଝି ରେଳ ପଥରେ ରବିବାର ଟ୍ରେନ୍‍ରେ କଟି ୪ ଜଣ ଗ୍ୟାଙ୍ଗମ୍ୟାନଙ୍କ ମୃତ୍ୟୁ ଘଟିଛି। ଗ୍ୟାଙ୍ଗମ୍ୟାନମାନେ ରେଳ ଧାରଣା ମରାମତି କରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିବା ଜାଣିବାକୁ ମିଳିଛି।
ସୂଚନା ଅନୁସାରେ ରବିବାର ମଧ୍ୟାହ୍ଣ ପ୍ରାୟ ୧୨ଟା ସମୟରେ ୪ ଜଣ ଗ୍ୟାଙ୍ଗମ୍ୟାନ ସାଣ୍ଡିଲା- ଉମରତାଲି ରେଳ ଧାରଣା ମରାମତି କରୁଥିଲେ। ସେହି ସମୟରେ ଅକାଲ ତଖ୍ତ ଏକ୍ସପ୍ରେସ୍ ଦ୍ରୁତଗତି​‌ରେ ଆସି ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଏହି ଘଟଣାରେ ରେଳ ବିଭାଗର ବଡ଼ ଅବହେଳା ସାମ୍ନାକୁ ଆସିଛି। ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି। ରେଲୱେ ପୁଲିସ୍‍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପ୍ରତ୍ୟକ୍ଷଦର୍ଶୀ ଓ ଅନ୍ୟ ଗ୍ୟାଙ୍ଗମ୍ୟାନଙ୍କ କହିବା ଅନୁସାରେ ଗ୍ୟାଙ୍ଗମ୍ୟାନମାନେ ରେଳ ଧାରଣାରେ କାମ କରୁଥିବାବେଳେ ପଥକୁ ବନ୍ଦ (ବ୍ଲକ୍) କରାଯାଇନଥିଲା । ରେଳ ପଥ ନିକଟରେ କୌଣସି ପତାକା ଟଙ୍ଗା ଯାଇନଥିବାରୁ ଟ୍ରେନ୍ ଚାଳକ ହର୍ଣ୍ଣ ବଜାଇ ନଥିଲେ । ଫଳରେ ଧାରଣାରେ କାମ କରୁଥିବା ଗ୍ୟାଙ୍ଗମାନ ଟ୍ରେନ୍ ଆସୁଥିବା ଜାଣିପାରିନଥିଲେ । ଟ୍ରେନ୍ ଅତି ନିକଟରେ ପହଞ୍ଚିବା ପରେ କିଛି ଗ୍ୟାଙ୍ଗମ୍ୟାନ ରେଳ ଧାରଣାରୁ ବାହାରକୁ ଡେଇଁ ଜୀବନ ବଞ୍ଚାଇଥିଲେ । ହେଲେ ୪ ଜଣ ଗ୍ୟାଙ୍ଗମ୍ୟାନ ଟ୍ରେନରେ କଟିଯାଇଥିଲେ । ଦୁର୍ଘଟଣା ସମୟରେ ସେଠାରେ ପ୍ରାୟ ୮ରୁ ୧୦ ଜଣ ଗ୍ୟାଙ୍ଗମ୍ୟାନ କାମ କରୁଥିଲେ ବୋଲି କୁହାଯାଉଛି ।

Leave A Reply