ସରକାରୀ ବନ୍ଧୁକରେ ଶାଶୁ ଓ ପତ୍ନୀଙ୍କ ସମେତ ୪ ଜଣଙ୍କୁ ହତ୍ୟା କଲେ ହେଡ କନେଷ୍ଟବଲ

ମୋଗା: ପଞ୍ଜାବର ମୋଗା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟି ଯାଇଛି। ପଞ୍ଜାବ ପୁଲିସର ଜଣେ ହେଡ୍ କନେଷ୍ଟବଲ ସରକାରୀ ବନ୍ଧୁକ ଏକେ-୪୭ରେ ପତ୍ନୀ ଓ ଶାଶୁଙ୍କ ସମେତ ଶ୍ବଶୁର ଘର ପରିବାରର ୪ ଜଣ ସଦସ୍ୟଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ତାଙ୍କର ପତ୍ନୀ ଓ ଶାଶୁ ଥିବା ବେଳେ ଅଭିଯୁକ୍ତର ଶାଳକ ଓ ଶାଳକଙ୍କ ପତ୍ନୀ ରହିଛନ୍ତି। ଏହି ବର୍ବରକାଣ୍ଡରେ ଶାଳକଙ୍କ ୧୦ ବର୍ଷିୟ ପୁଅ ଗୁରୁତର ଆହତ ହୋଇଛନ୍ତି। ରବିବାର ସକାଳ ୬ଟାରେ ଏହି ହତ୍ୟାକାଣ୍ଡ ଘଟିଛି। ପୁଲିସ ହତ୍ୟାକାରୀ କନେଷ୍ଟବଲଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ଗତ କିଛି ବର୍ଷ ପୂର୍ବେ ହେଡ୍ କନେଷ୍ଟବଲ କୁଲୱିନ୍ଦର ସିଂହ ଶ୍ବଶୁର ଘରର ଜମିରେ ଏକ ଫାର୍ମ କରିଥିଲେ। କିନ୍ତୁ କିଛି ଦିନ ହେବ ଶ୍ବଶୁର ଘର ଲୋକ କୁଲୱିନ୍ଦର ସିଂହ ଠାରୁ ସେହି ଜମି ଫେରାଇ ନେବାକୁ ଦାବି କରିଥିଲେ। ଏହାକୁ ନେଇ ଉଭୟଙ୍କ ପରିବାର ମଧ୍ୟରେ ବିବାଦ ଚାଲିଥିଲା। ଗତକାଲି ପତ୍ନୀକୁ ଧରି କୁଲୱିନ୍ଦର ସିଂହ ଶ୍ବଶୁର ଘରେ ପହଞ୍ଚିଥିଲେ। ଏହି ବିଷୟକୁ ନେଇ ପୁଣି ଶ୍ବଶୁର ଲୋକଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ କନେଷ୍ଟବଲ କୁଲୱିନ୍ଦର ସିଂହ ମଦ୍ୟପାନ କରିଥିଲେ। ତେଣୁ ଶ୍ବଶୁର ଲୋକଙ୍କ ପୁଲିସକୁ ଖବର ଦେବାରୁ ପୁଲିସ ଆସି ତାଙ୍କୁ ଉଠାଇ ନେଇଥିଲେ। କିନ୍ତୁ ନିଶା ଛାଡିବା ପରେ ସକାଳେ ୫ଟାରେ ପୁଲିସ ତାଙ୍କୁ ଛାଡି ଦେଇଥିଲା। ପୁଲିସ ଷ୍ଟେସନରୁ ସେ ସିଧାସଳଖ ଶ୍ବଶୁର ଘରେ ପହଞ୍ଚି ସରକାରୀ ବନ୍ଧୁକରେ ଗୁଳି ଚଳାଇଥିଲେ। ଏଥିରେ ତାଙ୍କ ପତ୍ନୀ, ଶାଶୁ, ଶାଳକ ଓ ଶାଳକଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଛି। ଶାଳକଙ୍କ ୧୦ ବର୍ଷିୟ ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ଖବର ପାଇ ପୁଲିସ ପହଞ୍ଚି ଅଭିଯୁକ୍ତ କନେଷ୍ଟବଲ କୁଲୱିନ୍ଦର ସିଂହକୁ ଗିରଫ କରି ନେଇଛି। ପୂର୍ବରୁ ମଧ୍ୟ ଅନେକ ଥର କୁଲୱିନ୍ଦର ସିଂହ ଶ୍ବଶୁର ଘରେ ଗୁଳିଚାଳନ କରିଥିଲେ ବୋଲି ଅଭିଯୋଗ ହୋଇଛି।

Comments are closed.