ନ୍ୟୁୟର୍କର ବ୍ରୋନକ୍ସ ଚିଡିଆଖାନାର ଆଉ ୪ ବାଘ ଓ ୩ ସିଂହ କରୋନା ସଂକ୍ରମିତ

ସମାଜ ପୋର୍ଟାଲ ଡେସ୍କ : ନ୍ୟୁୟର୍କର ବ୍ରୋନକ୍ସ ଚିଡିଆଖାନାରେ ପୁଣି ୪ ବାଘ ଓ ୩ ସିଂହ କରୋନା ସଂକ୍ରମିତ ଥିବା ଜଣାପଡିଛି । ଏହି ଚିଡିଆଖାନାରେ ପୂର୍ବରୁ ଗୋଟିଏ ବାଘୁଣୀ କରୋନା ସଂକ୍ରମିତ ହୋଇଥିଲା । ବାଘୁଣୀ କରୋନା ସଂକ୍ରମିତ ଥିବା ଚିହ୍ନଟ ହେବାର ୩ ସପ୍ତାହ ପରେ ବୁଧବାର ସେଠାରେ ଆଉ ୪ଟି ବାଘ ଓ ୩ଟି ସିଂହ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ପରୀକ୍ଷାରୁ ଜଣାପଡିଛି। ଚିଡ଼ିଆଖାନାର ଦେଖାଶୁଣା କରୁଥିବା ଓ୍ବାଇଲ୍ଡ ଲାଇଫ କଞ୍ଜରଭେଶନ ସୋସାଇଟି (ଡବ୍ଲ୍ୟୁସିଏସ୍‌) ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏପ୍ରିଲ ମାସ ଆରମ୍ଭରେ ସେଠାରେ ୪ ବର୍ଷର ଏକ ବାଘୁଣୀ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା ।

ବର୍ତ୍ତମାନ ବ୍ରୋନକ୍ସ ଚିଡିଆଖାନାରେ କରୋନା ସଂକ୍ରମିତ ହୋଇଥିବା ସମସ୍ତ ୮ ପ୍ରାଣୀ ଧୀରେ ଧୀରେ ସୁସ୍ଥ ହେଉଥିବା ଚିଡ଼ିଆଖାନା କର୍ତ୍ତୃପକ୍ଷ କହିଛନ୍ତି। ସମସ୍ତଙ୍କ ପରୀକ୍ଷା ଭେଟେରିନାରି ଲାବରେଟୋରିରେ ହୋଇଥିବା ଓ୍ବାଇଲ୍ଡ ଲାଇଫ କଞ୍ଜରଭେଶନ ସୋସାଇଟି (ଡବ୍ଲ୍ୟୁସିଏସ୍‌) କହିଛି ।  ପ୍ରଥମ ସଂକ୍ରମିତ ବାଘୁଣୀର ନାକ, ଗଳା ଓ ଶ୍ୱାସନଳୀରୁ ସ୍ବାବ ନିଆଯାଇ ପରୀକ୍ଷା କରାଯାଇଥିଲା। ଅନ୍ୟମାନଙ୍କର ମଳ ନମୁନାରୁ ଏହି ପରୀକ୍ଷା କରାଯାଇଛି। ବର୍ତ୍ତମାନ ଚିଡିଆଖାନାରେ ଥିବା ଅନ୍ୟ ବନ୍ୟପ୍ରାଣୀ ସୁସ୍ଥ ଅଛନ୍ତି ଓ ସେମାନଙ୍କଠାରେ ରୋଗର କୌଣସି ଲକ୍ଷଣ ଦେଖାଯାଇନାହିଁ। ଚିଡିଆଖାନା କର୍ମଚାରୀଙ୍କଠାରୁ ଏହି ଭୂତାଣୁ ପ୍ରାଣୀ ଶରୀରକୁ ବ୍ୟାପିଥିବା କୁହାଯାଉଛି। ମଣିଷଠାରୁ ପ୍ରାଣୀ ଦେହକୁ କୋଭିଡ୍‌-୧୯ ସଂକ୍ରମିତ ହେଉଥିବାରୁ ଏଥିପାଇଁ ଚିଡିଆଖାନା କର୍ତ୍ତୃପକ୍ଷ ବିଭିନ୍ନ ପ୍ରତିଶେଧକମୂଳକ ବ୍ୟବସ୍ଥା ଗ୍ରହଣ କରୁଥିବା ଜଣାପଡିଛି ।

Comments are closed.