କାଶ୍ମୀରରେ ପାକିସ୍ତାନର ୪ ସ୍ନାଇପର ସକ୍ରିୟ, ସତର୍କତା ଜାରି

0

ଶ୍ରୀନଗର : କାଶ୍ମୀର ଘାଟିରେ ଏବେ ପାକିସ୍ତାନର ଉଚ୍ଚପ୍ରଶିକ୍ଷିତ ୪ ଜଣ ସ୍ନାଇପର (ସଠିକ ଲକ୍ଷ୍ୟ ଭେଦ କରୁଥିବା ବନ୍ଧୁକଧାରୀ) ସକ୍ରିୟ ଅଛନ୍ତି। ଏହି ସ୍ନାଇପରମାନେ ଜୈଶ ଏ ମହମ୍ମଦ ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି ଜାଣିବାକୁ ମିଳିଛି। ଏହା ଭାରତୀୟ ସୁରକ୍ଷା ବାହିନୀ ପାଇଁ ଚିନ୍ତା ଓ ଆହ୍ୱାନର ବିଷୟ ହୋଇଛି। ଏନେଇ ଭାରତୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ସୁରକ୍ଷା ବାହିନୀଙ୍କୁ ଅବଗତ କରାଯିବା ପରେ ସୀମାରେ ସତର୍କତା ଜାରି କରାଯାଇଛି। ସୂଚନା ଅନୁସାରେ ସେପ୍ଟେମ୍ବର ମଧ୍ୟ ଭାଗରୁ ଏପର୍ଯ୍ୟନ୍ତ ଏହି ସ୍ନାଇପରଙ୍କ ଗୁଳିରେ ୩ ଜଣ ଯବାନ ସହିଦ୍‍ ହୋଇଛନ୍ତି। ସ୍ନାଇପରଙ୍କ ମୁକାବିଲା ପାଇଁ ଭାରତୀୟ ସୁରକ୍ଷା ବାହିନୀଙ୍କୁ ନୂଆ ରଣନୀତି ଆପଣାଇବାକୁ ପଡିଛି।
ଉଲ୍ଲେଖଯୋଗ୍ୟ ଯେ ସ୍ନାଇପର ହେଉଛନ୍ତି ଉଚ୍ଚପ୍ରଶିକ୍ଷିତ ବନ୍ଧୁକଧାରୀ। ସେମାନେ ବହୁ ଦୂର ସ୍ଥାନରୁ ଧାର୍ଯ୍ୟ ଲକ୍ଷ୍ୟକୁ ସଠିକ୍‍ରେ ନିଶାଣ କରିପାରନ୍ତି। ପାକିସ୍ତାନରୁ ଆସିଥିବା ଏହି ସ୍ନାଇପାରମାନେ ଗୋଟିଏ ସ୍ଥାନରେ ଲୁଚି ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ଗୁଳି ମାରୁଛନ୍ତି। ଭବିଷ୍ୟତରେ ସୁରକ୍ଷା ବାହିନୀଙ୍କ ଉପରେ ଏଭଳି ଆକ୍ରମଣ ଜାରି ରହିବ ବୋଲି ସେନାର ଅଧିକାରୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ତେଣୁ ସ୍ନାଇପର ଆକ୍ରମଣ ନେଇ ସେନା, ସିଆରପିଏଫ, ଜାମ୍ମୁ କାଶ୍ମୀର ପୁଲିସ୍‍ ସମେତ ଅନ୍ୟ ସୁରକ୍ଷା ବାହିନୀଙ୍କୁ ଏକ ବିଶେଷ ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ସ୍ନାଇପରଙ୍କ ପାଖରେ ଆମେରିକା ନିର୍ମିତ ଏମ୍‍-୪ କାର୍ବାଇନ୍ସ ବନ୍ଧୁକ ଅଛି। ପାକିସ୍ତାନରେ ସ୍ୱତନ୍ତ୍ର ବାହିନୀ ଏହି ବନ୍ଧୁକର ବ୍ୟବହାର କରୁଛି। ଆଫଗାନିସ୍ତାନରେ ତାଲିବାନ ବିରୋଧରେ ଆମେରିକା ସେନା ମଧ୍ୟ ଏହି ବନ୍ଧୁକର ବ୍ୟବହାର କରୁଥିଲା। କାଶ୍ମୀର ଘାଟିରେ ବୁଲୁଥିବା ୪ ଆତଙ୍କବାଦୀ ଏବେ ଦୁଇଟି ଦଳରେ ବିଭକ୍ତ ହୋଇ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରୁଛନ୍ତି। ସେପ୍ଟେମ୍ବର ୧୮ରେ ପ୍ରଥମେ ପୁଲୱାମାଠାରେ ସୁରକ୍ଷା କର୍ମୀଙ୍କ ଉପରେ ସ୍ନାଇପର ଆକ୍ରମଣ ହୋଇଥିଲା। ଏଥିରେ ଜଣେ ସିଆରପିଏଫ ଯବାନ ଆହତ ହୋଇଥିଲେ। ଏହାପରଠାରୁ ଏଭଳି ଅନେକ ଆକ୍ରମଣ ହୋଇଛି ବୋଲି ଭାରତୀୟ ସୁରକ୍ଷା ବାହିନୀର ଅଧିକାରୀମାନେ କହିଛନ୍ତି।

Leave A Reply