ରେଙ୍ଗାଲି କେନାଲରୁ ଭୂତଳ ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ

ଆଠଗଡ :  ରେଙ୍ଗାଲି ଦକ୍ଷିଣ କେନାଲରୁ ଚାଷଜମିଗୁଡିକୁ ଭୂତଳ ପାଇପ ଯୋଗେ ଜଳସେଚନ ପ୍ରକଳ୍ପ ପାଇଁ ରବିବାର ଖୁଣ୍ଟକଟାଠାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଆଠଗଡ ଓ ବଡମ୍ବା ନିର୍ବାଚନ ମଣ୍ଡଳି ଅଞ୍ଚଳ ସମେତ ବାଙ୍କୀ ଓ ଢେଙ୍କାନାଳ ସଦର ଅଞ୍ଚଳରେ ଏହି ଭୂତଳ ପାଇପ ଜଳସେଚନ ପ୍ରକଳ୍ପ ଲାଗି ରାଜ୍ୟ ସରକାର ଜିଏସଟିକୁ ମିଶାଇ ମୋଟ ୪୪୩.୨୨କୋଟି ଟଙ୍କା ନିଜସ୍ୱ ପାଣ୍ଠିରୁ ଯୋଗାଇ ଦେଇଛନ୍ତି। ଏହା ଦ୍ୱାରା ୨୬୩୩୪ ହେକ୍ଟର ଜମି ଜଳସେଚିତ ହୋଇପାରିବ। ସେଥିମଧ୍ୟରୁ କେବଳ ଆଠଗଡ ବ୍ଲକର ୧୨୬୯୬ ଓ ତିଗିରିଆ ବ୍ଲକର ୯୪୦୬ହେକ୍ଟର ଜମି ଜଳସେଚନ ପାଇଁ ଏହି ଭୂତଳ ପାଇପ ଜଳ ଯୋଗାଣ ପ୍ରଣାଳୀ ଲାଗି୧୯୮କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ଏବଂ ଆସନ୍ତା ୨ବର୍ଷ ମଧ୍ୟରେ ଏହି କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ରେଙ୍ଗାଲି ଦକ୍ଷିଣ କେନାଲର ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ସହକାରୀ ଯନ୍ତ୍ରୀଙ୍କ ଉପସ୍ଥିତିରେ ଖୁଣ୍ଟକଟାଠାରେ ରବିବାର ଅପରାହ୍ନରେ ଏହି ଭୂତଳ ପାଇପ ଯୋଗେ ଜଳସେଚନ ପ୍ରକଳ୍ପ ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଶିଳନ୍ୟାସ କରିବା ସହ ଏହା ଦ୍ୱାରା ଆଠଗଡ ଓ ତିଗିରିଆ ଅଞ୍ଚଳର ହଜାର ହଜାର ଚାଷୀ ଉପକୃତ ହେବେ ଓ ସେମାନଙ୍କ ସମେତ ଅଞ୍ଚଳର ଆର୍ଥିକ ବିକାଶ ଘଟିବ ବୋଲି ମତପ୍ରକାଶ କରିଥିଲେ। ଏଥିସହିତ ମନ୍ତ୍ରୀ ଶ୍ରୀ ସ୍ୱାଇଁ ରବିବାର ରାଜନଗର, ମଞ୍ଚେଶ୍ୱର ଓ ମେଘାଠାରେ ସେବା ସମବାୟ ସମିତିର ନୂତନ ଗୃହ, ଲକ୍ଷ୍ମୀନାରାୟଣପୁର ସମିତିର ଗୋଦାମ ଗୃହ ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହିସବୁ କାର୍ଯ୍ୟକ୍ରମରେ ନୃସିଂହଚରଣ ମହାପାତ୍ର, ବିଜୟ ପ୍ରଧାନ, ମନି ନାଏକ, ମନୋରଞ୍ଜନ ନାୟକ, ରଞ୍ଜନ ପ୍ରଧାନଙ୍କ ସମେତ ଆଠଗଡ ସମବାୟ ସମିତିର ଉପନିବନ୍ଧକ ଓ ସମସ୍ତ ସେବା ସମବାୟ ସମିତିର ସଂପାଦକ ଯୋଗଦେଇଥିଲେ

Comments are closed.