ଏମଏସଏସ ବିଦ୍ୟାପୀଠର ରୂପାନ୍ତରିକରଣ ପାଇଁ ଶିଳାନ୍ୟାସ

ଆଠଗଡ :  ଆଠଗଡ ବ୍ଲକର ଯୋରନ୍ଦାସ୍ଥିତ ମାଧବ ସାମନ୍ତ ସିଂହାର ବିଦ୍ୟାପୀଠକୁ ୫-ଟି ବିଭାଗ ପକ୍ଷରୁ ୨ୟ ପର୍ଯ୍ୟାୟରେ ରୂପାନ୍ତରିକରଣ ପାଇଁ ମନୋନୀତ କରାଯାଇଛି । ଏହି ରୂପାନ୍ତରିକରଣ କାର୍ଯ୍ୟପାଇଁ ବିଦ୍ୟାଳୟକୁ ୪୫ଲକ୍ଷ ଟଙ୍କାର ଅନୁଦାନ ମିଳିଥିବାବେଳେ ସୋମବାର ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏଥିପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଯୋଗଦେଇଥିବା ମନ୍ତ୍ରୀ ଶ୍ରୀ ସ୍ୱାଇଁ ରାଜ୍ୟର ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟି ବିଭାଗ ମାଧ୍ୟମରେ ଯେଉଁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ତାର ସୁଫଳ ଲକ୍ଷାଧିକ ଛାତ୍ରଛାତ୍ରୀ ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋରନ୍ଦା ସରପଞ୍ଚ ସୂର୍ଯ୍ୟକାନ୍ତ ସ୍ୱାଇଁ ସମିତି ସଭ୍ୟ ସୁକାନ୍ତି ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ବିଦ୍ୟାଳୟକୁ ରୂପାନ୍ତରିକରଣ ଯୋଜନାରେ ସାମିଲ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ, ସ୍ଥାନୀୟ ବିଧାୟକ ତଥା ଯୋଗାଣ ମନ୍ତ୍ରୀ ଏବଂ ୫-ଟି ସଚିବଙ୍କୁ କୃତଜ୍ଞତା ଜଣାଇଥିଲେ । ୧୦ମ ଶ୍ରେଣୀ ଛାତ୍ର ଶୁଭ୍ରଜିତ୍ ଶ୍ରଦ୍ଧାସୁମନ ଓ ଛାତ୍ରୀ ସୌମ୍ୟାଶ୍ରୀ ପଟ୍ଟନାୟକ ବିଦ୍ୟାଳୟ ରୂପାନ୍ତରିକରଣ ସଂପର୍କରେ ନିଜର ଅଭିମତ ରଖିଥିଲେ। ଯୋରନ୍ଦାର ସମାଜସେବୀ ଉଦୟନାଥ ନାୟକ ଓ ହାଡିବନ୍ଧୁ ସ୍ୱାଇଁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଶିକ୍ଷକ ସନ୍ତୋଷ କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ଆରତୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.