ଆଠଗଡ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ବିଦ୍ୟାଳୟ ରୂପାନ୍ତରିକରଣ ପାଇଁ ଶିଳାନ୍ୟାସ

ଆଠଗଡ : ଆଠଗଡ ସହରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୫-ଟି ବିଭାଗ ଦ୍ୱାରା ହେବାକୁ ଥିବା ବିଦ୍ୟାଳୟ ରୂପାନ୍ତରିକରଣ କାର୍ଯ୍ୟ ପାଇଁ ବୁଧବାର ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶଙ୍କର୍ଷଣ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ରାଜ୍ୟ ସରକାରଙ୍କର ଏହା ଏକ ଅଭିନବ ଯୋଜନା ବୋଲି କହିବା ସହ ଏହାଦ୍ୱାରା ବିଦ୍ୟାଳୟର ଭିତ୍ତିଭୂମି ବିକାଶ ହେବା ସଙ୍ଗେ ସଙ୍ଗେ ଏକ ଉନ୍ନତ ଶୈଖିକ ବାତାବରଣ ସୃଷ୍ଟି ହେବ ବୋଲି ମତବ୍ୟକ୍ତ କରିଥିଲେ। କଟକ ସହରକୁ ଛାଡିଦେଲେ ଆଠଗଡ ସହରରେ ହିଁ କେବଳ ୨ଟି ପ୍ରମୁଖ ବିଦ୍ୟାଳୟ ଯଥା ପ୍ରଥମେ ବିଶ୍ୱନାଥ ବିଦ୍ୟାପୀଠ ଏବଂ ଏବେ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଏହି ରୂପାନ୍ତରିକରଣ ଯୋଜନାରେ ସାମିଲ କରାଯାଇଥିବାରୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ କୃତଜ୍ଞତା ଜଣାଇଥିଲେ। ଏଥିରେ ସମ୍ମାନିତ ଅତିଥିଭାବେ ସ୍କୁଲ ପରିଚାଳନା କମିିଟି ସଭାପତି ସରୋଜ ପଟ୍ଟନାୟକ ଯୋଗଦେଇଥିଲେ । ଏହାଛଡା ଆଠଗଡ ଏନଏସିର ଦୁଇ ପୂର୍ବତନ ନଗରପାଳ ସୁଚିତ୍ରା ସାହୁ ଓ ସୁବର୍ଣ୍ଣ ମଞ୍ଜରୀ ଭଞ୍ଜଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ପୁରାତନ ଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ। ଆସନ୍ତା ଫେବୃଆରୀ ଶେଷ ସପ୍ତାହ ସୁଦ୍ଧା ବାଳିକା ଉଚ୍ଚ ବିଦ୍ୟାଳୟର ରୂପାନ୍ତରିକରଣ ଯୋଜନାରେ ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ମାର୍ଚ୍ଚ ୫ତାରିଖରେ ଏହା ଉଦ୍‍ଘାଟନ ପାଇଁ ଲକ୍ଷ୍ୟ ରଖାଯାଇଥିବା ପ୍ରଧାନଶିକ୍ଷକ ଶ୍ରୀ ସାହୁ ପ୍ରକାଶ କରିଥଲେ । ଶିକ୍ଷୟିତ୍ରୀ ହେମାଙ୍ଗିନି ସାହୁ, ବିଜୟିନି ମହାନ୍ତି, ସଂଯୁକ୍ତା ଦାଶ, ଶୁଭଲକ୍ଷ୍ମୀ ତ୍ରିପାଠୀଙ୍କ ସମେତ ବିଦ୍ୟାଳୟର କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ମଧୁଲିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.