ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ କଲିନ ପୱେଲଙ୍କ ପରଲୋକ

ୱାଶିଂଟନ ଡିସି: ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା, ଜଣେ ଶୀର୍ଷ ସାମରିକ ଅଧିକାରୀ ତଥା ଆମେରିକାର ତତ୍କାଳୀନ ଏକାଧିକ ରିପବ୍ଲିକାନ ରାଷ୍ଟ୍ରପତିଙ୍କର ପସନ୍ଦଯୋଗ୍ୟ ବ୍ୟକ୍ତି କଲିନ ପୱେଲଙ୍କର ପରଲୋକ ଘଟିଛି । ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । କୋଭିଡ-୧୯ ଜନିତ ଜଟିଳ ଅବସ୍ଥା କାରଣରୁ ସୋମବାର ତାଙ୍କର ପରଲୋକ ଘଟିଛି । ସେ କୋଭିଡ ପ୍ରତିଷେଧକ ଟିକା ନେଇଥିଲେ ମଧ୍ୟ କୋଭିଡରେ ଆକ୍ରାନ୍ତ ହୋଇଥିବା ତାଙ୍କ ପରିବାର ସୂତ୍ରରୁ ଜଣାଯାଇଛି ।
ଜଣେ ଜାମାଇକ ପ୍ରବାସୀଙ୍କ ପୁତ୍ର କଲିନ ପୱେଲ ପ୍ରବାସୀ ପରିବାରଗୁଡିକ ପାଇଁ ଆମେରିକାରେ ଥିବା ସୁବିଧା ସୁଯୋଗକୁ ଉନ୍ମୁକ୍ତ କରିବାରେ ମୁଖ୍ୟ ଭୂମିକା ନେଇଥିଲେ । ପ୍ରଥମେ ଆମେରିକା ସୈନ୍ୟ ବିଭାଗରେ ନିଜର କ୍ୟାରିୟର ଆରମ୍ଭ କରି ସେ ସର୍ବୋଚ୍ଚ ପଦବୀ ଚେୟାରମ୍ୟାନ ଅଫ ଦି ଜଏଣ୍ଟ ଚିଫ୍ସ ଅଫ ଷ୍ଟାଫ ଭାବରେ ନିଯୁକ୍ତ ହୋଇଥିଲେ । ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ ସେ ବହୁବାର ଭାରତ ଗସ୍ତ କରିଥିଲେ ଏବଂ ସେ ଦେଶର ବୈଦେଶିକ ମନ୍ତ୍ରୀ ହେବାପରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କୁ ମଧ୍ୟ ସେ ବହୁବାର ଭେଟିଥିଲେ । ତାଙ୍କୁ ଜର୍ଜ ଡବ୍ଲୁ ବୁଶ୍‍ ଆମେରିକାର ବୈଦେଶିକ ମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲେ । ସେ ରିଚାର୍ଡ ନିକ୍ସନ, ରୋନାଲ୍ଡ ରେଗାନ, ଜର୍ଜ ଏଚ ଡବ୍ଲୁ ବୁଶ୍‍ ଆଦି ଏକାଧିକ ଆମେରିକା ରାଷ୍ଟ୍ରପତିଙ୍କ ନିକଟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ କାର୍ଯ୍ୟ କରିଥିଲେ ।

Comments are closed.