ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଦିଲ୍ଲୀପ ଗାନ୍ଧୀଙ୍କ ପରଲୋକ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଦିଲ୍ଲୀପ ଗାନ୍ଧୀଙ୍କର ପରଲୋକ ଘଟିଛି। ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିଲେ। ଆଜି ସକାଳେ ସେଠାରେ ତାଙ୍କର ୬୯ ବର୍ଷ ବୟସରେ ପରଲୋକ ଘଟିଛି। ଗତ ମଙ୍ଗଳବାର ଦିନ ତାଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। ପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ମହାରାଷ୍ଟ୍ରର ଦକ୍ଷିଣ ଅହମ୍ମଦନଗର ନିର୍ବାଚନ ମଣ୍ଡଳୀରୁ ସଂସଦକୁ ୩ଥର ନିର୍ବାଚିତ ହୋଇଥିଲେ।


ସେ ମହାବିଦ୍ୟାଳୟରେ ଛାତ୍ରଥିବା ସମୟରେ ବିଜେପିରେ ଯୋଗ ଦେଇଥିଲେ। ସେ ଭାରତୀୟ ଜନତା ଯୁବମୋର୍ଚ୍ଚାର ଅଧ୍ୟକ୍ଷ ଥିଲେ। ସେ ମଧ୍ୟ ଅହମ୍ମଦନଗର ମ୍ୟୁନିସିପାଲିଟିର ଉପାଧ୍ୟକ୍ଷ ଥିଲେ। ୧୯୯୯ ମସିହାରେ ସେ ପ୍ରଥମଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍‍ କରି ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଦିଲ୍ଲୀପ ଗାନ୍ଧୀ ଗରିବମାନଙ୍କ ପାଇଁ ତାଙ୍କର ସେବା ଲାଗି ସବୁବେଳେ ମନେ ରହିବେ।

ସେ ମହାରାଷ୍ଟ୍ର ବିଜେପି ସଂଗଠନକୁ ସୁଦୃଢ଼ କରିବା ପାଇଁ ଅନେକ କାର୍ଯ୍ୟ କରିଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ତାଙ୍କର ପରିବାରବର୍ଗଙ୍କ ପାଇଁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦିଲ୍ଲୀପ ଗାନ୍ଧୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି କହିଛନ୍ତି, ତାଙ୍କ ଜୀବନ ଜନସେବା ଓ ଦଳୀୟ ସାଂଗଠନିକ କାର୍ଯ୍ୟ ପାଇଁ ସମର୍ପିତ ଥିଲା।

Comments are closed.