ପୂର୍ବତନ ଅଣ୍ଡରୱାର୍ଲ୍ଡ ଡନ୍‌ ମୁଥାପା ରାଏ ମୃତ

ବେଙ୍ଗାଲୁରୁ: ପୂର୍ବତନ ଅଣ୍ଡରୱାର୍ଲ୍ଡ ଡନ୍‌ ମୁଥାପା ରାଏର ମୃତ୍ୟୁ ଘଟିଛି। ସେ କିଛିମାସ ହେବ କର୍କଟ ରୋଗରେ ଆକ୍ରାନ୍ତ ଥିଲା। ଶୁକ୍ରବାର ମଣିପାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଛି।

ମୁଥାପାର ଆପରାଧିକ କାର୍ଯ୍ୟକଳାପର ତାଲିକା ବହୁ ଲମ୍ବା। ଏଥିପାଇଁ ସେ ରାଜ୍ୟ ଏବଂ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ରାଡାର୍‌ରେ ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ସମାଜସେବୀ ଭାବେ କାର୍ଯ୍ୟ କରିଆସୁଥିଲା। ଗତ ଏପ୍ରିଲରେ କେନ୍ଦ୍ରୀୟ କ୍ରାଇମବ୍ରାଞ୍ଚର ଅଧିକାରୀମାନେ ତାକୁ ୨ ଘଣ୍ଟା ଧରି ଜେରା କରିଥିଲେ। ଅଣ୍ଡରୱାର୍ଲ୍ଡ ଡନ୍‌ ରବି ପୂଜାରୀ ସହିତ ତା’ର ଲିଙ୍କ୍ ଥିବା ଅଭିଯୋଗରେ ଏହି ଜେରା କରାଯାଇଥିଲା। ଗତ ଜାନୁୟାରୀରେ ମୁଥାପା ବିଦାଦୀସ୍ଥିତ ତା’ର ବାସଭବନରେ ଥିବା ସମୟରେ ମସ୍ତିଷ୍କ କର୍କଟରେ ଆକ୍ରାନ୍ତ ହୋଇଥିବା ପ୍ରକାଶ କରିଥିଲା। ମୁଥାପାର ଘର ଦକ୍ଷିଣ କନ୍ନଡ଼ ଜିଲାରେ। ଗତ ଗୁରୁବାର ରାତିରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତା’କୁ ହସ୍ପିଟାଲରେ ଭିର୍ତ୍ତି କରାଯାଇଥିଲା।

ସୂଚନାଯୋଗ୍ୟ, ପାସ୍‌ପୋର୍ଟ ମାମଲାରେ ମୁଥାପାକୁ ୨୦୦୨ରେ ଦୁବାଇରୁ ଭାରତ ପ୍ରତ୍ୟର୍ପଣ କରାଯାଇଥିଲା। ପରେ ଦାଉଦ ଇବ୍ରାହିମ ସହିତ ସମ୍ପର୍କ ଥିବା ଅଭିଯୋଗରେ ତା’କୁ ର’, ସିବିଆଇ, ଗୁଇନ୍ଦା ବ୍ୟୁରୋ ଏବଂ କର୍ଣ୍ଣାଟକ ପୁଲିସ ଜେରା କରିଥିଲା।

Comments are closed.